ଥାନା ଆଗରେ ଆତ୍ମାହୁତି ଘଟଣା: ଥାନାରେ ଦିଆଯାଇଥିଲା ନିର୍ଯାତନା, ଏସ୍‌ପିଙ୍କ ଲେଖିଥିବା ଦରଖାସ୍ତକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଦେଇଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଦରଖାସ୍ତକୁ ନେଇ ଏବେ ଚର୍ଚ୍ଚା। ସନ୍ତେ‌ାଷ ଏହି ଦରଖାସ୍ତରେ ନିଜର ସମସ୍ୟା ଜଣାଇବା ସହିତ ଥାନା ପକ୍ଷରୁ କିଭଳି ତାଙ୍କୁ ନିର୍ଯାତିନା ଦିଆଯାଉଛି, ସେ ସମ୍ପର୍କରେ ଜଣାଇଥିଲେ। ଯଦି ଏହି ଦରଖାସ୍ତରେ ସତ୍ୟତା ରହିଥାଏ, ତା’ହେଲେ ପୁଲିସ କାହିଁକି ଏଥିପ୍ରତି ଗୁରୁତ୍ବ ଦେଇନଥିଲେ? ଏହି ଦରଖାସ୍ତକୁ ତଦନ୍ତ ପରିସରଭୁକ୍ତ କରାଯାଇଛି କି? ଏବେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରଣ୍ଢା ଗ୍ରାମର ସନ୍ତୋଷ ଗତ ୩୧ ତାରିଖ ରାତି ୯ଟାରେ ଗୋଳନ୍ଥରା ଥାନାକୁ ଯାଇଥିଲେ। ତାଙ୍କୁ କେହି ଜଣେ ଧମକ ଦେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବାପରେ ଥାନା ଅଧିକାରୀ ତାଙ୍କୁ ଲିଖିତ ଭାବେ ଅଭିଯୋଗ ଦାଖଲ କରିବା ପାଇଁ କହିଥିଲେ। ଏହାପରେ ସନ୍ତୋଷ ଥାନାରୁ ବାହାରକୁ ଆସିଥିଲେ। ପ୍ରାୟ ୧ଘଣ୍ଟା ପରେ ସନ୍ତୋଷ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ତୁରନ୍ତ ସନ୍ତୋଷଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସନ୍ତୋଷଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ଏହିଭଳି ସ୍ଥିତିରେ ସନ୍ତୋଷଙ୍କ ଦରଖାସ୍ତ ଏବେ ଭିନ୍ନ ଦିଗକୁ ଇଙ୍ଗିତ କରିଛି। ଏଥିରେ ସେ ଲେଖିଛନ୍ତି, ‘ମହାଶୟ, ମୁଁ ସନ୍ତୋଷ କୁମାର ସାମନ୍ତରାୟ, ପିତା-ଲକ୍ଷ୍ମୀଚରଣ ସାମନ୍ତରାୟ, ରଣ୍ଢା ଗ୍ରାମବାସୀ ଲେଖି ଜଣାଇବା କାରଣ ଏହିକି ଯେ ମୁଁ ୩/୪ଦିନ ହେଲା ବିଶେଷସୂତ୍ରରୁ ଜାଣିବାକୁ ପାଇଲି କିଛି ଅନୈତିକ ଲୋକ ମୋତେ ଓ ମୋ ପରିବାରକୁ ଅତିଶୀଘ୍ର କ୍ଷତି ପହଞ୍ଚାଇବେ ଓ ଏହା ମୁଁ ସୁନିଶ୍ଚିତ। ଏହାବ୍ୟତୀତ ଗୋଳନ୍ଥରା ଥାନା ଅଧିକାରୀ ଦିନେ ମୋତେ ତାଙ୍କ ଚାମ୍ବରକୁ ଡାକି ରେପ୍‌ ଓ ମର୍ଡର୍‌ କିମ୍ବା ଗଞ୍ଜେଇ ଭଳି କିଛି ମିଥ୍ୟା କେସ୍ ମୋ ନାଁରେ ଦେବି ବୋଲି ମୋତେ ଧମକ ଦେବା ସହ ବହୁତ ମାନସିକ ଟର୍‌ଚର୍‌ ଦେଇଥିଲେ। ମୋ ପରିବାରର ଯଦି କୌଣସି କ୍ଷତି ଘଟେ, ତା’ହେଲେ ଆଇଆଇସି ଗୋଳନ୍ଥରା ସେଥିପାଇଁ ଦାୟୀ ହେବେ …’। ଏହି ଦରଖାସ୍ତଟି ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଏହା କେଉଁ ତାରିଖରେ ଲେଖାଯାଇଛି ତାହା ଦର୍ଶାଯାଇନାହିଁ। ଏଥିରେ ଉଲ୍ଲେଖ କରାଯାଇଥିବା ବିଷୟ ରହିଛି, ‘ମୋର ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ଦରଖାସ୍ତ।’

ତେବେ, ପ୍ରକୃତରେ ଏହି ଦରଖାସ୍ତ ସନ୍ତୋଷଙ୍କ ହାତଲେଖା ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି, ଘଟଣାର ୪ ଦିନ ପରେ ବି ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ସତ୍ୟାସତ୍ୟ ପାଇଁ ଏହାକୁ ହ୍ୟାଣ୍ଡ୍‌ରାଇଟିଂ ଏକ୍ସପର୍ଟଙ୍କ ଦ୍ବାରା ଏବଂ ଫରେନସିକ୍‌ ଯାଞ୍ଚ୍‌ କରାଯିବା ଅତି ଜରୁରୀ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର