କଟକ/କିଶନନଗର : ପୁଲିସଠାରୁ ନ୍ୟାୟ ନ ପାଇ କିଶନନଗର ଥାନା ପରିସରରେ ଗୁରୁବାର ଦିନ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧି ବିଶୋଇଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ଗୁରୁବାର ଦିନ ଗୁଣନିଧି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିବାବେଳେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
୫୨ ବର୍ଷ ବୟସ୍କ ଗୁଣନିଧିଙ୍କ ଆତ୍ମାହୁତି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନାବାଧିକାର କମିସନ। ନିଜଆଡୁ ମାମଲା ରୁଜୁ କରିଛନ୍ତି। ମାମଲାରେ ପୁଲିସ ମହାନିର୍ଦ୍ଦେଶକ ଓ ଆଇଜିଙ୍କୁ ନୋଟିସ୍ ଜାରି କରାଯାଇଛି। ଘଟଣାର ତଦନ୍ତ କରି ଜୁଲାଇ ୨୫ ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା କିଶନନଗର ଥାନା ଅନ୍ତର୍ଗତ ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ନ୍ୟାୟ ପାଇବା ପାଇଁ ୪ ଦିନ ହେଲା ଗୁଣନିଧି ଥାନାକୁ ଦୌଡୁଥିଲେ ବି କିଶନନଗର ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏପରିକି ବିଳମ୍ବରେ କେବଳ ନାମକୁ ମାତ୍ର ମାମଲା ରୁଜୁ କରିଥିଲା। ଏଭଳି ସ୍ଥିତିରେ ଗତକାଲି ସକାଳେ ଗୁଣନିଧି ଥାନାରେ ପହଞ୍ଚି ଥିଲେ। ଏକ ବ୍ୟାଗ୍ ସେ ସାଙ୍ଗରେ ଆଣିଥିଲେ। ଯେଉଁଥିରେ ତାଙ୍କର ବିଭିନ୍ନ ପରିଚୟପତ୍ର ଓ ପେଟ୍ରୋଲ ବୋତଲ ମଧ୍ୟ ଥିଲା। ଥାନାକୁ ଆସି ଗୁଣନିଧି ଆଇଆଇସି ସସ୍ମିତା ରଣାଙ୍କ ପାଖକୁ ଯାଇ ଆତ୍ମାହୁତି ଦେବି ବୋଲି କହିଥିଲେ। କିନ୍ତୁ, ଆଇଆଇସି ପଦକ୍ଷେପ ନ ନେବାରୁ ଥାନା ଓ ଆଇଆଇସିଙ୍କ କ୍ବାର୍ଟର ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିର ନିକଟସ୍ଥ ଏକ ଦେବଦାରୁ ଗଛ ତଳେ ଗୁଣନିଧି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁଣନିଧି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କ ଉପରେ ପାଣି ପକାଇ ନିଆଁ ଲିଭାଇ ଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଗୁଣନିଧିଙ୍କର ଆଜି ଦିନ ୩ଟାରେ ମୃତ୍ୟୁ ହୋଇଛି। ତାଙ୍କ ଶବ ଗାଁରେ ପହଞ୍ଚିବାପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅନ୍ୟପଟେ ପୁଲିସ ପକ୍ଷରୁ ଥାନାର ସିସିଟିଭି ଏବେ ଯାଞ୍ଚ କରାଯାଉଛି। ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ଓ ମନମାନିକୁ ନେଇ ଅଭିଯୋଗ ହେଉଥିବା ବେଳେ ପୁଲିସ ଏବେ ତତ୍ପରତା ଦେଖାଇବାକୁ ଯାଇ ଗୁଣନିଧି ପୂର୍ବରୁ କରିଥିବା ଅଭିଯୋଗ ଆଧାରରେ ତାଙ୍କ ପୁତୁରା ସାଗର ବିଶୋଇକୁ ଗିରଫ କରିଛି। କଟକ ଏଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/OHRC.jpg)