ସପରିବାର ଆତ୍ମହତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

‘ନଭେମ୍ବର ୩୦ ହେବ ଶେଷ ଦିନ’

ଝାରବନ୍ଧ : ବରଗଡ଼ ଜିଲ୍ଲା ଚାଷୀ ଆତ୍ମହତ୍ୟା ପାଇଁ ଚର୍ଚ୍ଚାରେ ରହିଛି। ଏହାର ସମାଧାନ ଦିଗରେ କାହାରି ତତ୍ପରତା ଦେଖାଯାଉନଥିବା ବେଳେ ଏବେ ଜଣେ ସରକାରୀ କର୍ମଚାରୀ ବି ସରକାରଙ୍କ ଅବହେଳା ଯୋଗୁଁ ସପରିବାର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ହଲଦା ଗ୍ରାମର ମହେନ୍ଦ୍ର କୁମ୍ଭାର ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟ ଭାବରେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହା ଜୁନ ୩ ତାରିଖରୁ ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ। ପରେ ତାଙ୍କୁ ଡିସେମ୍ବର ୧୫ ତାରିଖରେ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲା। ତେବେ ଗତ ଅଗଷ୍ଟ ୨୦୧୬ରୁ ତାଙ୍କ ଦରମା ବନ୍ଦ ରହିଛି। ଶ୍ରୀ କୁମ୍ଭାରଙ୍କ କହିବା ହେଲା, ଦୀର୍ଘ ୧୬ ମାସ ହେବ ଦରମା ପାଇନଥିଲେ ହେଁ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରୀ କରିଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଛି। ତାଙ୍କ ପରିବାରରେ ସ୍ତ୍ରୀ ସୂର୍ଯ୍ୟକାନ୍ତିଙ୍କ ସହିତ ୮ ବର୍ଷର ଝିଅ ପ୍ରିୟଦର୍ଶିନୀ ଓ ୬ ବର୍ଷର ପୁଅ ଆୟୁଷ। ସେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ପରିବାର ଚଳାଇବା ପାଇଁ ଘରର ବାସନକୁସନ ଓ ଅସବାବପତ୍ର ସବୁ ବିକ୍ରି କରି ଦେଲେଣି। ସ୍ତ୍ରୀଙ୍କ ନାମରେ ଏସ୍‌କେଏସ୍‌ ମାଇକ୍ରୋ ଫାଇନାନ୍ସ ଓ ଏଲ୍‌ଏନ୍‌ଟି ମାଇକ୍ରୋ ଫାଇନାନ୍ସରୁ ୬୦ ହଜାର ଓ ହାତ ଉଧାରୀ ୧ ଲକ୍ଷ ଟଙ୍କା ନେଇ ସାରିଲେଣି। ଏପରି ଦରିଦ୍ର୍ୟ ଭିତରେ ପେଶି ହୋଇ ବାଧ୍ୟ ହୋଇ ଆତ୍ମହତ୍ୟା ବାଟ ବାଛିଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ୨୩ ତାରିଖରୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦାବି ନଶୁଣିଲେ ନଭେମ୍ବର ୩୦ ତାରିଖ ତାଙ୍କ ପରିବାର ପାଇଁ ଶେଷ ଦିନ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର