ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ପୁଣି ୨ ଜଣଙ୍କର ଆତ୍ମାହୁତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ   ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ମୃତକଙ୍କ ଭାଇ ସୁବ୍ରତ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ ଦେହରେ କିରୋସିନ ଢ଼ାଳି  ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀ ତାଙ୍କୁ କାବୁ କରି ନେଇଥିଲେ। ଏମାନଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ବୋଲି ଜଣାପଡ଼ିଛି।

Advertisment

ମାଆ ପୁଅ ଦୁହେଁ ମିଶି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବାର ଅଭାବନୀୟ ଦୃଶ୍ୟ ଆଜି ମଧ୍ୟାହ୍ନରେ ଦେଖିବାକୁ ମିଳିଛି। ଏହି ମାଆପୁଅଙ୍କୁ ପୁଲିସ୍‌ ଇନ୍ଦିରା ଗାନ୍ଧୀ ପାର୍କ ନିକଟରୁ ଉଦ୍ଧାର କରିଛି। ଗତ ବର୍ଷ ହୋଇଥିବା ଅନ୍ୟ ଏକ ପୁଅର ହତ୍ୟାକାଣ୍ଡର ନ୍ୟାୟ ମିଳୁ ନଥିବା ଅଭିଯୋଗ ଆଣି ମହିଳା ଜଣକ ଏପରି ପ୍ରତିବାଦ କରିଥିବା ଜାଣିବାକୁ ମିିଳିଛି। ଅମ୍ରୁତ ଦାସଙ୍କ ମୃତ୍ୟୁ ଘଟଣାରେ  ପୁଲିସ ନିକଟରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇ ଥିଲେ ହେଁ ତାହା ଗ୍ରହଣ କରାଯାଇ ନଥିଲା। ପରେ ପରିବାର ଅଦାଲତର ଦ୍ବାରସ୍ଥ ହେବା ପରେ ହତ୍ୟା ମାମଲା ରୁଜୁ .ହୋଇଥିଲା। ମାତ୍ର ପୁଲିସ ଏହାର ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ପରିବାର।

publive-image

ଉଲ୍ଲେଖଯୋଗ୍ୟ, ନିକଟରେ  ବିଧାନସଭା ସମ୍ମୁଖରେ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ। ବିଧାନସଭା ଗେଟ ନିକଟରେ ଚାଷୀମାନେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଏହି ଚାଷୀମାନଙ୍କ ଘର କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ହୋଇଥିବା ସୂଚନା ମିଳିଥିଲା। ଆଠଗଡର ତିନି ଜଣ ଚାଷୀ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ  କାବୁ କରି ନେଇ ଯାଇଥିଲା। କୁହାଯାଉଛି ଯେ ଏହି ଚାଷୀମାନଙ୍କ ନାମରେ ଋଣ ଦିଆଯାଇଥିବା ବେଳେ ସେମାନଙ୍କ ନିକଟରେ ଋଣ ଟଙ୍କା ପହଞ୍ଚି ନ ଥିଲା ବୋଲି ସେମାନେ ଆତ୍ମାହୁତି ଉଦ୍ୟମ କରିଥିଲେ।