ପିପିଲି : ବାଲେଶ୍ବର ଜିଲ୍ଲା କୋର୍ଟରେ ଟାଇପିଷ୍ଟ୍‌ ଭାବେ କାର୍ଯ୍ୟରତ ରେଣୁକା ମହାରଣା(୨୪) ଶୁକ୍ରବାର ଦିନ ତାଙ୍କ ପିପିଲି ଭାରତୀପୁର ଗ୍ରାମସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ରେଣୁକାଙ୍କର ବାପା ପର୍ଶୁରାମ ମହରଣା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ରେଣୁକା ୪ବର୍ଷ ହେଲା ବାଲେଶ୍ବର ଜିଲ୍ଲା କୋର୍ଟରେ ଟାଇପିଷ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ୨ଦିନ ତଳେ ସେ ଭାରତୀପୁରସ୍ଥିତ ନିଜ ଘରକୁ ଛୁଟିରେ ଆସିଥିଲେ। ଘରକୁ ଆସିବା ପରେ ଫୋନ୍‌ରେ କଥା ହେବା ଛଡ଼ା ସବୁବେଳେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ।

Advertisment

ତେବେ ଶୁକ୍ରବାର ସକାଳେ ରେଣୁକାଙ୍କ ସାନ ଭଉଣୀ ରଶ୍ମିତା ଶୋଇବା ଘର କବାଟ ବାଡ଼େଇବାରୁ ରେଣୁକା କବାଟ ଖୋଲିନଥିଲେ। ରଶ୍ମିତା ଏ ନେଇ ବାପାଙ୍କୁ ଫୋନ୍‌ କରି ଜଣାଇଥିଲେ। ପରିବାର ଲୋକେ କବାଟ ଭାଙ୍ଗିବା ପରେ ଘର ଫ୍ୟାନ୍‌ରେ ରେଣୁକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ପିପିଲି ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେକରେ ଲୁଗା ବାନ୍ଧି ସେ ଆତ୍ମହତ୍ୟା କରିଥିବା ରେଣୁକାଙ୍କ ଘରଲୋକ କହିଛନ୍ତି। ମୃତ୍ୟୁର କାରଣ ଷ୍ପଷ୍ଟ ହୋଇନଥିବା ବେଳେ ଅନ୍ୟ କାହାର ଚାପରେ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ବାପା ପର୍ଶୁରାମ ଥାନାରେ ଅଭିଯୋଗ କରିଛନ୍ତି। ପିପିଲି ଥାନା ଏସ୍‌ଆଇ ଆଲ୍‌ଫାରାଣୀ ସାମଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ।