ବାମରା: ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ସର୍ଗିଡିହି ଗ୍ରାମର ଜଣେ ବିବାହିତା ମହିଳା ଗୁରୁବାର ମଧ୍ୟ ରାତ୍ରିରେ ଟ୍ରେନ୍‌ ଲାଇନ୍‌ରେ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଝାରସୁଗୁଡ଼ା ଷ୍ଟେସନ ଆଉଟର୍‌ରେ ଥିବା ଏଫସିଆଇ ଗୋଦାମ ନିକଟ ରେଳ ଧାରଣାରେ ଜଣେ ଅଚିହ୍ନା ମହିଳା ଆତ୍ମହତ୍ୟା କରିଥିବା ଜିଆର୍‌ପିକୁ ସୂଚନା ମିଳିଥିଲା।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ତାଙ୍କର ପରିଚୟ ପାଇପାରି ନଥିଲା। ପରେ ଏଥିପାଇଁ ସାମାଜିକ ଗଣମାଧ୍ୟମର ସହାୟତା ନିଆଯାଇଥିଲା। ସେଥିରୁ ମହିଳା ଜଣକ ଶର୍ଗିଡିହି ଗ୍ରାମର କିଶୋର ମେହେରଙ୍କ ସ୍ତ୍ରୀ ଶକୁନ୍ତଳା ଓରଫ କୁନି (୫୦) ବୋଲି ପରିଚୟ ମିଳିଥିଲା। ଶୁକ୍ରବାର ସକାଳେ ଜିଆର୍‌ପି ଶବ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଝାରସୁଗୁଡ଼ା ଜିଆର୍‌ପି ଥାନାରେ କେସ୍‌ ନମ୍ବର ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସ୍‌ଆଇ ସୁଶାନ୍ତ ଜେନା ତଦନ୍ତ ଆରମ୍ଭ କରିଛନ୍ତି।

ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଗାଁ’ରେ ଅନ୍ତିମ ସତ୍କାର କରାଯାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଶକୁନ୍ତଳା ଅତ୍ୟଧିକ ଘରୋଇ ଋଣ ବୋଝରେ ପଡ଼ି ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବସିଥିବା ଗ୍ରାମର କେତେକ ମହିଳା କହିଛନ୍ତି। ତାଙ୍କର ୨ ବିବାହିତ ଝିଅ ଓ ଗୋଟିଏ ପୁଅ ଅଛନ୍ତି।