ସମ୍ବଲପୁର: ଆଜି ସମ୍ବଲପୁରର ଜଣାଶୁଣା ବ୍ୟକ୍ତି ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ (୮୭) ଜିଏମ୍‌ କଲେଜ୍‌ ଛକ ପାଖ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ରବିବାର ଦିନ ୧ଟା ପାଖପାଖି ସେ ରଶି ଲଗାଇ ଝୁଲି ପଡ଼ିଥିବା ତାଙ୍କ ସ୍ତ୍ରୀ ଦେଖିଥିଲେ। ସଂଗେ ସଂଗେ ସେ ତାଙ୍କ ପୁତୁରାଙ୍କୁ ଜଣାଇଥିଲେ। ତାଙ୍କ ପୁତୁରା ତୁରନ୍ତ ସେଠାରେ ପହଂଚି ଯତୀନ୍ଦ୍ରଙ୍କୁ ଉଦ୍ଧାର କରିବା ସହିତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତ‌େବେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସଂଗେସଂଗେ ଟାଉନ୍ ଥାନା ପୁଲିସକୁ ସୂଚନା ଦେଇଥିଲେ। ଟାଉନ୍ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରୁଛି। ଆର୍‌ଏସ୍ଏସ୍‌ ସହିତ ସଂପୃକ୍ତ ତଥା ‘ଗୀତା’ର ଜଣେ ଜଣାଶୁଣା ପ୍ରବଚକ ଯତୀନ୍ଦ୍ରଙ୍କ କାହିଁକି ଏଭଳି କଠୋର ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

Advertisment

ଉଲ୍ଳେଖଯୋଗ୍ୟ ଯେ, ଯତୀନ୍ଦ୍ର ସମ୍ବଲପୁରରେ ଏକଦା ‘ଡାକ୍ତର ବାପା’ ନାମରେ ପରିଚିତ ଥିବା ବିଶିଷ୍ଟ ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ସୁପୁତ୍ର ଅଟନ୍ତି। ତାଙ୍କ ପିତାଙ୍କ ସ୍ଥାପିତ ଏକ ଆଶ୍ରମର ସେ ପରିଚାଳନା ଦାୟିତ୍ବ ନିର୍ବାହ କରୁଥି‌ଲେ। ନିକଟରେ ଅନେକ ଧାର୍ମିକ କାର୍ଯ୍ୟ ସଂପର୍କିତ ପ୍ରକଳ୍ପ ବି ଆରମ୍ଭ କରିଥିଲେ। ସେ ସମ୍ବଲପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଘଚାଳକ ଥିଲେ। ଗୀତାର ନିୟମିତ ପ୍ରବଚକ ଭାବେ ତାଙ୍କର ସୁନାମ ରହିଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବଜରଙ୍ଗଦଳ, ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର, ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।