ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାର ଦ୍ବିତୀୟ ଲାଇନ୍ରେ ରହୁଥିବା ଜଣେ ଯୁବ ମଡେଲ୍ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ସ୍ବର୍ଗତ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ଝିଅ ଅର୍ଚ୍ଚିତା ମହାପାତ୍ର(୧୭) ବୋଲି ପୁଲିସ କହିଛି। ଅର୍ଚ୍ଚିତା ଯୁକ୍ତଦୁଇର ଛାତ୍ରୀ ଥିଲେ। ବଡ଼ବଜାର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ଅର୍ଚ୍ଚିତା ମଡେଲିଂରେ କ୍ୟାରିୟର୍ ଗଠନ କରିବାପାଇଁ ଲକ୍ଷ୍ୟ ରଖିଥିଲେ। ଏଣୁ ସେ ପାଠପଢ଼ା ସହିତ ମଡେଲିଂ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ଅର୍ଚ୍ଚିତା ଓ ମା’ ସୁପ୍ରଭା ମହାପାତ୍ର ଜଗନ୍ନାଥବିହାରସ୍ଥିତ ଘରେ ରହୁଥିଲେ। ସ୍ବାମୀଙ୍କ ମୃତ୍ୟୁପରେ ଘର ଚଳାଇବା କ୍ଷେତ୍ରରେ ସୁପ୍ରଭାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆର୍ଥିକ ସ୍ଥିତି ଭଲ ନଥିବାରୁ ଅର୍ଚ୍ଚିତା ମଧ୍ୟ ମଡେଲିଂ କ୍ଷେତ୍ରରେ କ୍ୟାରିୟର୍ କରିବାରେ ନାନା ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଗତରାତି ଅର୍ଚ୍ଚିତା ନିଜ ବେଡ୍ରୁମରେ ଥିବାବେଳେ ମା’ ଝିଅକୁ ଖାଇବା ପାଇଁ ଡାକିଥିଲେ। ସେ ଦୀର୍ଘସମୟ ପର୍ଯ୍ୟନ୍ତ ନଶୁଣିବାରୁ ସୁପ୍ରଭା ବେଡ୍ରୁମକୁ ଯାଇଥିଲେ। ସେଠାରେ ଅର୍ଚ୍ଚିତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଆର୍ଥିକ ସମସ୍ୟା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।