ଅନୁଗୁଳ: ସାମାନ୍ୟ କଥାରେ ନେଇ ଯାଉଛନ୍ତି ଚରମ ନିଷ୍ପତ୍ତି। ପ୍ରେମ ପାଇଁ କିଏ ଝୁଲି ପଡ଼ୁଛି ତ ପାରିବାରିକ ବିବାଦ ପାଇଁ ବିଷ ପିଇ ଦେଉଛନ୍ତି। ସ୍ଥିତି ଏମିତି ଯେ ଅନୁଗୁଳ ଜିଲ୍ଲାରେ ପ୍ରାୟ ଦୁଇ ଦିନ‌ରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଜିଲ୍ଲାରେ ଏମିତି ଆତ୍ମହତ୍ୟା ପ୍ରବଣତା ବଢ଼ିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ମାନସିକ ଦୁର୍ବଳ ଲୋକଙ୍କୁ ପରାମର୍ଶ ଦେବା ଉପରେ ଗୁରୁତ୍ବ ଦିଆଯାଇଛି।

Advertisment

କିଛି ଦିନ ତଳେ ଅନୁଗୁଳ ସହରର ‌ଜଣେ ନାବାଳକ ଛାତ୍ର ମୋବାଇଲ୍‌ ‌ଫୋନ୍‌ରେ ଖେଳୁଥିଲେ। କିନ୍ତୁ କ’ଣ ହେଲା କେଜାଣି ସେ ମୋବାଇଲ୍‌ ଫୋନ୍‌କୁ ରଖିଦେଇ ଫ୍ୟାନ୍‌‌ରେ ଝୁଲି ପଡ଼ିଲେ। ଘର ଲୋକ ଯାଇ ଦେଖିଲା ବେଳକୁ ସବୁ ସରି ଯାଇଛି। କେବଳ ଗୋଟିଏ କାଗଜରେ ଲେଖି ଦେଇଥିଲେ ‘ମାମା କଲ୍‌ ଦି ପୁଲିସ’। ଶେଷରେ ପୁଲିସ ତଦନ୍ତ କରି ଜାଣିବାକୁ ପାଇଲା, ମୋବାଇଲ ଫୋନ୍‌ ଗେମ୍‌ ପାଇଁ ଅକାଳରେ ଜୀବନ ହାରିଛନ୍ତି ଏହି ମେଧାବୀ ଛାତ୍ର। ସରକାରୀ ହିସାବ ଅନୁସାରେ, ୨୦୨୪ ମସିହାରେ ଅନୁଗୁଳ ଜିଲ୍ଲାରେ ମୋଟ ୧୬୪ ଜଣ ଆତ୍ମହତ୍ୟା କରିଛନ୍ତି। ଏହି ହିସାବକୁ ଦେଖିଲେ ପ୍ରତି ଦୁଇରୁ ତିନି ଦିନ ଭିତରେ ଜଣେ ଆତ୍ମହତ୍ୟା କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ୨୦୨୧ ବେଳକୁ ଅନୁଗୁଳରେ ଆତ୍ମହତ୍ୟା ପ୍ରବଣତା ଏତେ ଅଧିକ ନ ଥିଲା। ସେହି ବର୍ଷ ଅନୁଗୁଳ ଜିଲ୍ଲାରେ ସମୁଦାୟ ୯୧ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୨ରେ ଆତ୍ମହତ୍ୟା ସଂଖ୍ୟା ୯୧ରେ ସ୍ଥିର ରହିଥିଲା। ୨୦୨୩ରେ ଏଥିରେ ସାମାନ୍ୟ ବୃଦ୍ଧି ପାଇ ସଂଖ୍ୟା ୧୦୦ ଛୁଇଁଥିଲା। ଆଉ ଗତବର୍ଷ ସବୁ ରେକର୍ଡକୁ ପଛରେ ପକାଇ ଏହା ୧୬୪ରେ ପହଞ୍ଚିଛି। ୨୦୨୧ରୁ ୨୦୨୪ ଭିତରେ ଆତ୍ମହତ୍ୟା ହାର ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ୫ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ୫୬୭ ଜଣ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ବର୍ଷକୁ ହାରାହାରି ୧୧୩ ଜଣ ଆତ୍ମହତ୍ୟା କରୁଛନ୍ତି। ଫଳରେ ଅକାଳରେ ଅନେକ ଜୀବନ ଝଡ଼ିଯାଉଛି। ଉଦ୍‌ବେଗର ବିଷୟ, ଯୁବପିଢ଼ିଙ୍କ ଭିତରେ ଏହି ଆତ୍ମହତ୍ୟା ପ୍ରବଣତା ବଢ଼ିଛି।

ଏଥିପାଇଁ ସମାଜ ଓ ଆମ ଆଧୁନିକ ଜୀବନଶୈଳୀକୁ ଦାୟୀ କରିଛନ୍ତି ବହୁ ବିଶେଷଜ୍ଞ। ସାମାଜିକ ଗଣମାଧ୍ୟମର ବହୁଳ ପ୍ରଭାବ ଆମକୁ ଧୀରେ ଧୀରେ ଅସାମାଜିକ କରିବାରେ ଲାଗିଛି। ପାଖ ଦୁନିଆ ସହ ଆଉ ସଂପର୍କ ରହୁନି। ତେଣୁ ଆବଶ୍ୟକ ସମୟରେ ମଣିଷ ଏକଲା ହୋଇଯାଉଛି। ଏନେଇ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡ. ସ୍ମିତା ମଲ୍ଲିକ କହିଛନ୍ତି, ଆଧୁନିକ ଜ୍ଞାନ କୌଶଳ ପାଇଁ ସମାଜର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଘରେ, ବାହାରେ ସମସ୍ତେ ମୋବାଇଲ ଫୋନ୍‌, ଟିଭି, କଂପ୍ୟୁଟରରେ ଏତେ ବ୍ୟସ୍ତ ଯେ କାହାରି ପାଇଁ କାହା ପାଖେ ସମୟ ନାହିଁ। ଫଳରେ ନିଃସଙ୍ଗତା ଓ ଅସହାୟତା ବଢ଼ି ଯାଇଛି। ଦୁଃଖ ସୁଖ ବାଣ୍ଟିବାକୁ ଯେତେବେଳେ ମଣିଷ କାହାକୁ ପାଉନି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଏପଟେ ପିଲାମାନେ ମଧ୍ୟ ସହଜରେ ଅଧିକ କିଛି ପାଇଯିବାକୁ ଚାହୁଁଛନ୍ତି। ଚାପ ସହିବାକୁ ମାନସିକ ଭାବେ ପ୍ରସ୍ତୁତ ନ ଥିବାରୁ ସେମାନେ ଅଳ୍ପରେ ଭାଙ୍ଗି ପଡ଼ୁଛନ୍ତି। ଏଥିପାଇଁ ପିଲାଙ୍କୁ ପରିବାର ଲୋକେ ସମୟ ଦେବା ସହ ସେମାନଙ୍କୁ ସମାଜ ସହ ଜିଇଁବାର କଳା ଶିଖାଇବାର ଆବଶ୍ୟକତା ରହିଛି ବୋଲି ଡ. ମଲ୍ଲିକ ପରାମର୍ଶ ଦେଇଛନ୍ତି।