ଭୁବନେଶ୍ବର, (ସରିତ୍‌ଦିପ ଶତପଥୀ) : ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ୁଛି। ଜୀବନର ଚଲାପଥରେ ସାମାନ୍ୟ ବାଧାବିଘ୍ନ, ଦୁଃଖକଷ୍ଟକୁ ସହି ନପାରି ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଉଛନ୍ତି। ପ୍ରତିଦିନ ରାଜ୍ୟରେ କେଉଁଠି ନା କେଉଁଠି ଜଣେ, ଦୁଇଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରୁଛନ୍ତି। ଗତ ସୋମବାର ୨ଜଣ ଜୀବନ ହାରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସରକାରୀ ଚାକିରି ପାଇବାରେ ବାରମ୍ବାର ବିଫଳ ହେବାରୁ କେନ୍ଦୁଝର ଜିଲ୍ଲା, ରେକୁଟିଆ ଗ୍ରାମର ୨୨ବର୍ଷୀୟ ଯୁବକ ତ୍ରିନାଥ ନାୟକ କନିଅର ମଞ୍ଜି ଖାଇ ଦେଇଥିଲେ। ସେହିପରି ରାୟଗଡ଼ାର ଉତକାପାଡ଼ୁ ଗାଁର ଅଷ୍ଟମ ଓ ଦଶମରେ ପଢ଼ୁଥିବା ଦୁଇଜଣ ଯୁବତୀ ଏକାଠି ବିଷ ପିଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛି। ଅପରପକ୍ଷେ, ମଙ୍ଗଳବାର ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଅଞ୍ଚଳରେ ଥିବା ଏକ ବିଶ୍ବବିଦ୍ୟାଳୟର ୨୨ବର୍ଷୀୟା ଛାତ୍ରୀ ଅର୍ଚ୍ଚନା ଦାସ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଇଏ ତ କିଛି ଉଦାହରଣ ମାତ୍ର, ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇଲେ, ଓଡ଼ିଶା‌ରେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିବ।

Advertisment

୩ ବର୍ଷରେ ମରିଛନ୍ତି ୨୬୮୨ ଶିକ୍ଷାର୍ଥୀ
ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ
ଏନ୍‌ଆଇଟି, ଆଇଆଇଟି ଭଳି ଶିକ୍ଷାନୁଷ୍ଠାନର ମେଧାବୀ ବି ବାଦ୍‌ପଡ଼ୁନାହାନ୍ତି
ଛୋଟବେଳୁ ଧୈର୍ଯ୍ୟବାନ୍‌ ହେବାର ଗୁଣ ବିକଶିତ କରାଇବାକୁ ପଡ଼ିବ: ମନୋବିଜ୍ଞାନୀ

ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁସା‌ରେ, ଓଡ଼ିଶାରେ ୨୦୧୯ରୁ ୨୦୨୧, ୩ ବର୍ଷରେ ୨୬୮୨ଜଣ ଛାwତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯ଜଣ, ୨୦୨୦ରେ ୧୪୬୯ଜଣ ଓ ୨୦୨୧ରେ ୮୩୪ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ଚାଞ୍ଚଲ୍ୟକର କଥାଟି ହେଲା, ଶିକ୍ଷାର୍ଥୀ ଆତ୍ମହତ୍ୟା ମାମଲାରେ ବର୍ଷ ୨୦୨୦ରେ ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ତଥ୍ୟକୁ ନେଇ ଆଉ ଏକ ହିସାବ ଅନୁଯାୟୀ, ଶିକ୍ଷାର୍ଥୀ ଆତ୍ମହତ୍ୟାରେ ଜାତୀୟ ହାରଠାରୁ ରାଜ୍ୟର ହାର ଅଧିକ ରହିଛି। ଜାତୀୟ ହାର ୧୨ ପ୍ରତିଶତ ରହିଥିବା ବେଳେ ରାଜ୍ୟ ହାର ୧୨.୫ ପ୍ରତିଶତ ରହିଛି। ଅପରପକ୍ଷେ, ଗତ ୧୭ ତାରିଖ ଦିନ ରାଜ୍ୟସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରାଷ୍ଟ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଦେଶର ଆଗଧା‌ଡ଼ିର ଶିକ୍ଷାନୁଷ୍ଠାନ ଯେପରିକି ଆଇଆଇଟି, ଏନ୍‌ଆଇଟି, ଆଇଆଇଏମ୍‌ ଭଳି ଶିକ୍ଷାନୁଷ୍ଠାନ, ଯେଉଁଠାରେ ବିଚକ୍ଷଣ ବୁଦ୍ଧିସଂପନ୍ନ ଛାତ୍ରଛାତ୍ରୀ ପଢ଼ୁଛନ୍ତି, ସେଠାରେ ବି ଆତ୍ମହତ୍ୟା ହାର ଉଦ୍‌ବେଗଜନକ। ଏହିସବୁ ଶିକ୍ଷାନୁଷ୍ଠାନରେ ୨୦୧୮ରୁ ୨୦୨୩ ମଧ୍ୟରେ ମୋଟ ୬୧ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା‌ କରିଛନ୍ତି ବୋଲି ମନ୍ତ୍ରୀ ଉତ୍ତର ଦେଇଥିଲେ।

‌ତେବେ ଦେଶର ଭବିଷ୍ୟତମାନେ ଏପରି ଅକାଳରେ ଝଡ଼ି ପଡ଼ିବା ରାଜ୍ୟ ସମେତ ପୂରା ଦେଶ ପାଇଁ ଚିନ୍ତାର ବିଷୟ ହୋଇଛି। ଏ ବାବଦରେ ଉତ୍କଳ ବିଶ୍ବବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର୍‌ ପ୍ରତାପ ରଥ କହିଛନ୍ତି ଯେ ଆଜିର ଯୁବପିଢ଼ି ବିଫଳତାକୁ ଗ୍ରହଣ କରିପାରୁ ନାହାନ୍ତି। ବିଫଳତା ଜୀବନର ଏକ ଅଂଶ ବୋଲି ସେମାନଙ୍କୁ ଅଭିଭାବକମାନେ ବୁଝାଇବାକୁ ପଡ଼ିବ। ଛୋଟବେଳୁ ସେମାନଙ୍କ ଭିତରେ ଧୈର୍ଯ୍ୟବାନ୍‌ ହେବାର ଗୁଣ ବିକଶିତ କରାଇବାକୁ ପଡ଼ିବ। ଏହାଛଡ଼ା, ହଠାତ୍ କୌଣସି ନିଷ୍ପତ୍ତିରୁ ସେମାନେ ବିରତ ରହିବା ଆବଶ୍ୟକ। କିଛି ବି ନିଷ୍ପତ୍ତି‌ ନେବା ପୂର୍ବରୁ ପିତାମାତା ସାଙ୍ଗସାଥୀମାନଙ୍କ ସହ ଆଲୋଚନା କଲେ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ମହାପାପରୁ ବର୍ତ୍ତି ଯାଇପାରିବେ।

ଏହାଛଡ଼ା ସରକାର ବି ଏ ଦିଗରେ ଆଗେଇ ଆସିବା ଉଚିତ। ସରକାରଙ୍କ ତରଫରୁ ଏକ ୨୪ ଘଣ୍ଟିଆ ହେଲ୍ପ-ଲାଇନ୍‌ ନମ୍ବର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାରି କରାଯିବା ଉଚିତ। ଯାହାଦ୍ବାରା ସେମାନଙ୍କୁ କାଉନସିଲ କରାଯାଇ ସେମାନଙ୍କ ମନ ପରିବର୍ତ୍ତନ କରାଯାଇପାରିବ। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଲା, ପ୍ରତ୍ୟେକ ବଡ଼ ବଡ଼ ଶିକ୍ଷାନୁଷ୍ଠାନମାନଙ୍କରେ ଜଣେ ମାନସିକ ବିଶେଷଜ୍ଞଙ୍କୁ ଦିଆଯିବା ଉଚିତ। ସେମାନେ ଯେପରି ଛାତ୍ରଛାତ୍ରୀମାନଙ୍କୁ ସକାରାତ୍ମକତାର ସହ ଜୀବନରେ ଆଗକୁ ବଢ଼ିବା ପାଇଁ ବାଟ ଦେଖାଇ ପାରୁଥିବେ।