ଭଟଲି : ପାଣିଟାଙ୍କି ଉପରୁ ଆତ୍ମହତ୍ୟା ଧମକ, ଅଜଣା ମହିଳା ଉଦ୍ଧାର

ଭଟଲି : ଭଟଲି ଥାନା ଅନ୍ତର୍ଗତ କେସାଇପାଲି ଗ୍ରାମରେ ଥିବା ପାଣିଟାଙ୍କି ଉପରେ ଚଢ଼ି ଜଣେ ଅଜଣା ମହିଳା ଆତ୍ମହତ୍ୟା ଧମକ ଦେଉଥିବା ବେଳେ ସ୍ଥାନୀୟ ପୁଲିସ୍‌ ଓ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାରୁ ଜଣାପଡ଼ିଛି ଯେ ଛତିଶଗଡ଼ି ଭାଷା କହୁଥିବା ଏହି ୩୫ ବର୍ଷୀୟା ମହିଳା ଜଣକ ସମସ୍ତଙ୍କ ଅଜାଣତରେ ଆସି ଗାଁର ପାଣିଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ଗାଁ ଲୋକେ ଜାଣିପାରି ତାଙ୍କୁ ତଳକୁ ଆଣିବା ପାଇଁ ଉଦ୍ୟମ କରିବା ବେଳେ ସେ ରାଗିଯାଇ ଉପରୁ ତଳକୁ ଡେଇଁ ପଡ଼ିବାର ଧମକ ଦେଇଥିଲେ। ଫଳରେ ଗାଁଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଓ ଦମକଳ ବାହିନୀ ମିଶି ଉକ୍ତ ମହିଳାଙ୍କୁ ତଳକୁ ଓହ୍ଲାଇ ଆଣିବାରେ ସକ୍ଷମ ହୋଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ହିନ୍ଦୀ ସିନେମା ସୋଲେରେ ନାୟକ ବୀରୁ, ନାୟିକା ବସନ୍ତୀକୁ ବାହା ହେବା ଜିଦ୍‌ରେ ଗ‌ାଁ ପାଣିଟାଙ୍କି ଉପରୁ ଡେଇଁ ସୁଇସାଇଡ୍‌ ଧମକ ଦେଉଥିବା ଦୃଶ୍ୟ ବେଶ୍‌ ଉପଭୋଗ୍ୟ ଥିଲା। ହେଲେ ଏଠାରେ ଜଣେ ମହିଳା ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବା କଥା ଅଧିକ କୌତୁହଳ ସୃଷ୍ଟି କରିଛି। ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

ସମ୍ବନ୍ଧିତ ଖବର