ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଚେତାବନୀ

ଧାନ କିଣାରେ କେଳେଙ୍କାରୀ,କଟନିଛଟନି ନାଁରେ ଶୋଷଣ

ବାସୁଦେବପୁର: ବାସୁଦେବପୁର ବ୍ଲକରେ ଧାନକିଣା କେଳେଙ୍କାରୀ ସାମନାକୁ ଆସିଛି। କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି। ସମବାୟ ସମିତି, ଯୋଗାଣ ବିଭାଗ ଓ ମିଲର ଚାଷୀଙ୍କ ଉପରେ ମାତ୍ରାଧିକ ଦାଉ ସାଧିବା ପରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ପାଖାପାଖି ୮ କୋଟି ଟଙ୍କାର ଚାଷୀ ଧାନକୁ ପ୍ରଶାସନ ଓ ମିଲର ହରିଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ଚାଷୀଙ୍କ ଅଭିଯୋଗ ନ ଶୁଣିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମନ୍ବିତ କୃଷକ ସଂଗଠନ ଅାତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଯୋଗାଣ ବିଭାଗର ତଥ୍ୟ ଅନୁଯାୟୀ, ବାସୁଦେବପୁର ବ୍ଲକର ୨୨ଟି ସମବାୟ ସମିତି ସମେତ ୭ସ୍ବୟଂ ସହାୟିକା ଗୋଷ୍ଠୀ ୪ ଲକ୍ଷ ୭୬ ହଜାର ୨ଶହ ୬୨ କୁଇିଣ୍ଟାଲ ଧାନ କ୍ରୟ କରିଛନ୍ତି। ଗତ ଖରିଫ ରୁତୁରେ ସ୍ଥାନୀୟ ପ୍ରଶାସନ ବେଆଇନ ଭାବେ ୮ ପ୍ରତିଶତ କଟନିଛଟନି କଲେ। ପୁଣି ମିଲରମାନେ ବୋଝ ଉପରେ ନଳିତା ବିଡା ସଦୃଶ ଚାଷୀଙ୍କ ଧାନ ଉପରେ ଦାଉ ସାଧି ସେମାନଙ୍କୁ ଭୁଆଁ ବୁଲାଇ ମାତ୍ରାଧିକ ଧାନ କାଟିବା ଘଟଣାର ରହସ୍ୟ ସାମନାକୁ ଆସିଥିଲା। ଧାନର ଏଫଏକ୍ୟୁକୁ ଢାଲ କରି ଅହେତୁକ କଟନିଛଟନି କରିବା ଦ୍ୱାରା ସରକାରୀ ବାବୁମାନଙ୍କ ଚାଷୀ ମାରଣ ନୀତି ପଦାରେ ପଡିଛି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋ‌ଷ ବୃଦ୍ଧି ପାଇବା ସହିତ ଆନ୍ଦୋଳନକୁ ଓହ୍ଲାଇବାକୁ ଅଣ୍ଟା ଭିଡୁଥିବା ଜଣାଯାଇଛି।

ବିଦେଇପୁର ଅଞ୍ଚଳର ଚାଷୀ ନମିତା ଦାସ ସ୍ଥାନୀୟ ରାଇସ ମିଲରେ ୫୨୫୦ କିଲୋ ଧାନ ଦେଇଥିବା ବେଳେ ସମୁଦାୟ ଧାନରୁ ମୈଶ୍ଚର ବାହାନାରେ ୮ ପ୍ରତିଶତ ଧାନ କାଟିଲେ। ପୁଣି ୪ କକୁଇଣ୍ଟାଲ ୨୦ କିଲୋ ଧାନ କାଟିବାକୁ ନେଇ ତୀବ୍ର ଅସନ୍ତୋ‌ଷ ଦେଖାଦେଇଛି। ଏହି ଗାଁର ଅନନ୍ତ ସିହ୍ନାଙ୍କ ଅବସ୍ଥା ମଧ୍ୟ ସମାନ। ସ୍ଥାନୀୟ ଦୁର୍ଗା ରାଇସ ମିଲରେ ଦେଇଥିବା ୩୪ କୁଇଣ୍ଟାଲ ୬୦ କିଲୋରୁ ୮ ପ୍ରତିଶତ ପରେ ପୁନର୍ବାର ୬ କୁଇଣ୍ଟାଲ ଧାନ କାଟିବାକୁ ପଛାଇ ନ ଥିଲେ। ଏମିତି ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳର ଶତାଧିକ ଚାଷୀମାନଙ୍କ ଧାନକୁ ବେଧଡ଼କ ଭାବେ ସମସ୍ତେ ମିଶି କାଟିବାରେ ଲାଗିଛନ୍ତି। ଏଭଳି କେଳେଙ୍କାରୀକୁ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ସବୁଜାଣି ମଧ୍ୟ କୌଣସି ପଦକ୍ଷେପ ନ ନେବା ଘଟଣା ଚାଷୀମାନଙ୍କୁ ମର୍ମାହତ କରିଥିଲା। ଏମିତି ଅଧିକ ଧାନ କାଟିବା ଘଟଣା ଦେଖା ଯାଇନାହିଁ ବୋଲି ଏସିଏସଓ(ସହ ଜିଲ୍ଲା ଯୋଗାଣ ଅଧିକାରୀ) ଶରତ ବେହେରା ସ୍ବୀକାର କରିଥିଲେ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ ବି ଦେଖିବା ବୋଲି କହି ଏଡ଼ାଇ ଯାଇଥିବା ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ଏସିଏସଓ ଶ୍ରୀ ବେହେରା ଏମିତି ଘଟଣା ସମ୍ପର୍କରେ ସୂଚନା ଦେବା ବହୁତ ବିଳମ୍ବ ହୋଇଗଲା ବୋଲି ସୂଚନା ରଖିଛନ୍ତି। ଧାନ କିଣା ସମୟରେ କହିଥିଲେ ହୁଏତ ଅାମ୍ଭେ ରୋକି ଦେଇ ପାରିଥାନ୍ତୁ ବୋଲି ସମ୍ବାଦକୁ ସୂଚନା ଦେଇଛନ୍ତି। ତେବେ କୃଷକ ସଂଗଠନର ଦାବି, ମିଲର ପଏଣ୍ଟକୁ ଧାନ ଯିବା ପାଇଁ ଗାଡି ଭଡା ଅର୍ଥ ଫେରାଇବା ସହ ପ୍ରଶାସନ ଧାର୍ଯ୍ୟ ୮ ପ୍ରତିଶତ ପରେ ପୁଣି ପ୍ରତି ଧାନ ବସ୍ତାରୁ ମାତ୍ରାଧିକ ଧାନ କଟନି ଚାଷୀଙ୍କୁ ବ୍ୟଥିତ କରିଛି। ପ୍ରଶାସନ ନ ଶୁଣିଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅାତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର