ଭୁବନେଶ୍ବର,(ଗାର୍ଗୀ ଶତପଥୀ): କୋଭିଡ୍କୁ ହରାଇଦେଲେ, କିନ୍ତୁ ମାନସିକ ଚାପ ସହି ନ ପାରି ହାରିଦେଲେ ଜୀବନ। ଡାକ୍ତରଖାନାରେ ଦୀର୍ଘଦିନ ଧରି ଚିକିତ୍ସା ଯୋଗୁଁ ହୋଇଥିବା ଖର୍ଚ୍ଚର ଚାପ ସାଙ୍ଗକୁ ମା’ଙ୍କ ମୃତ୍ୟୁରେ ମ୍ରିୟମାଣ ଜଣେ ୩୫ ବର୍ଷୀୟ ଯୁବକଙ୍କ ମାନସିକ ସ୍ଥିତି ଏଭଳି ହେଲା ଯେ ସେ ଆତ୍ମହତ୍ୟାର ପଥ ବାଛିନେଲେ। ଶୋକସାଗରରେ ଭସାଇ ଦେଇଗଲେ ବୁଢାବାପା ଓ ଭାଇଙ୍କୁ। କେବଳ କୋଭିଡ୍ ଯୋଗୁଁ ନୁହେଁ; ମହାମାରୀ ସମୟରେ ବେକାରୀ ଓ ଅନ୍ୟାନ୍ୟ କାରଣରୁ ବଢୁଥିବା ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି। ମାନସିକ ସମସ୍ୟା ନେଇ ଏମ୍ସ ଭୁବନେଶ୍ବର, ଏସସିବି କଟକ ଏବଂ ଭିମସାର ବୁର୍ଲାକୁ ଆସୁଥିବା ରୋଗୀ ସଂଖ୍ୟା ପୂର୍ବ ତୁଳନାରେ ବେଶ୍ ବୃଦ୍ଧି ପାଇଥିବା ଡାକ୍ତରମାନେ କହିଛନ୍ତି। ଏଭଳି ସମସ୍ୟାରେ ପୀଡ଼ିତ ଅନେକ ରୋଗୀ ଅଛନ୍ତି, ଯେଉଁମାନେ ଡାକ୍ତରଖାନା ଆସୁନାହାନ୍ତି। ଆତ୍ମହତ୍ୟା ପ୍ରବଣତା ଥିବା ଲୋକଙ୍କୁ ଏଥିରୁ ବିରତ କରିବାକୁ ହେଲେ ପରିବାରର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମାନସିକ ବିଶେଷଜ୍ଞମାନେ କହିଛନ୍ତି। ତେଣୁ ବନ୍ଧୁ ପରିଜନ କିମ୍ବା କେହି ମଧ୍ୟ ଆପଣଙ୍କୁ ଆତ୍ମହତ୍ୟା କଥା କହିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ତାଙ୍କ ଭିତରେ ଜୀବନର ମୂଲ୍ୟ ବୁଝାନ୍ତୁ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଏସ୍ସିବି ମେଡିକାଲ ମନସ୍ତତ୍ବ ବିଭାଗର ନିର୍ଦେଶକ ପ୍ରଫେସର ସାରଦା ପ୍ରସନ୍ନ କହିଛନ୍ତି, ଏସ୍ସିବି ମନସ୍ତତ୍ବ ବିଭାଗ ଓପିଡିକୁ ଦୈନିକ ୨୦୦ରୁ ୨୫୦ ରୋଗୀ ଆସିଥା’ନ୍ତି। ଏହି ସଂଖ୍ୟା ମଧ୍ୟରୁ ସାଧାରଣ ସମୟରେ ପ୍ରାୟ ୫ ପ୍ରତିଶତ ରୋଗୀ ଆତ୍ମହତ୍ୟାପ୍ରବଣତା ନେଇ ଆସୁଥିଲେ। ବର୍ତ୍ତମାନ ୧୫ରୁ ୨୦ ପ୍ରତିଶତ ଏହି ସମସ୍ୟା ନେଇ ଆସୁଛନ୍ତି। ଚଳିତ ବର୍ଷ କୋଭିଡ ଯୋଗୁଁ ଦୀର୍ଘଦିନ ହେଲା ଆଇସିୟୁରେ ଥିବା ବ୍ୟକ୍ତି, ଅଭିଭାବକଙ୍କ ସମ୍ମୁଖରେ ପିଲାଙ୍କ ମୃତ୍ୟୁ(କେବଳ ସନ୍ତାନ ନୁହେଁ ଘନିଷ୍ଠ ସମ୍ପର୍କୀୟ ମଧ୍ୟ), ପରିଜନଙ୍କ ମୃତ୍ୟୁ ପରେ ଘରେ ଏକୁଟିଆ ହୋଇ ଯାଇଥିବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଉଛି। ଏହାବ୍ୟତୀତ ଭୀଷଣ ମାନସିକ ଚାପରେ ଥିବା ସମ୍ମୁଖ ଯୋଦ୍ଧା ଯଥା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୁଲିସ ଏବଂ କୋମରବିଡ୍ ରୋଗୀ କୋଭିଡ ଶିକାର ହୋଇଥିଲେ, ସେମାନଙ୍କ ମନରେ ବି ଆତ୍ମହତ୍ୟାର ଭାବନା ଆସୁଥିବା ଦେଖାଯାଉଛି। ଯେଉଁମାନଙ୍କ ପୂର୍ବରୁ ମାନସିକ ରୋଗ ରହିଥିଲା, ତାଙ୍କ ଔଷଧ ପରିବର୍ତ୍ତନ କରାଯାଉଛି। ଯେଉଁମାନଙ୍କ ପରିବାରରେ କାହାର ମୃତ୍ୟୁ ହୋଇଛି, ସେମାନଙ୍କ ପାଇଁ ସ୍ବତନ୍ତ୍ର କାଉନସେଲିଂ କରାଯାଉଛି।
ଏମ୍ସ ମନସ୍ତତ୍ବ ବିଭାଗର ଡାକ୍ତର ଦେବଦତ୍ତା ମହାପାତ୍ର କହିଛନ୍ତି, ଜୁନ ୨୮ ତାରିଖରେ ଓପିଡି ଖୋଲିବା ପରେ ଆମ ଓପିଡିକୁ ପ୍ରାୟ ୫୦ରୁ ୭୦ ରୋଗୀ ଆସୁଛନ୍ତି। ଟେଲିମେଡିସିନରେ ମଧ୍ୟ ନିୟମିତ ଅନେକ ମାନସିକ ରୋଗୀ ପରାମର୍ଶ ନେଉଛନ୍ତି। ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କିମ୍ବା ଆତ୍ମହତ୍ୟା ପ୍ରବଣତା ବ୍ୟକ୍ତି ମାସକୁ ୨ରୁ୪ ଜଣ ଆସୁଥିବାବେଳେ ବର୍ତ୍ତମାନ ମାସକୁ ପ୍ରାୟ ୧୦ ଜଣ ଆସୁଛନ୍ତି। ସାଧାରଣତଃ ନିଜ ଉପରେ ନିୟନ୍ତ୍ରଣ ନଥିବା ବ୍ୟକ୍ତି(ଇମପଲସିଭ), ଅବସାଦରେ ପୀଡ଼ିତ(ଡିପ୍ରେସିଭ) ବ୍ୟକ୍ତି ଆତ୍ମହତ୍ୟା କରିଥାଆନ୍ତି। ବର୍ତ୍ତମାନ ଅଚାନକ ନିଜ ଉପରେ ନିୟନ୍ତ୍ରଣ ହରାଇ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ବେଶି ରହୁଛନ୍ତି। ଡିପ୍ରେସନ୍ର ଶିକାର ବ୍ୟକ୍ତି ବି ଆତ୍ମହତ୍ୟା କରୁଛନ୍ତି। ବର୍ତ୍ତମାନ କିଶୋର-କିଶୋରୀଙ୍କ ମଧ୍ୟରେ ହାତକଟା ପ୍ରବଣତା ବଢିବାରେ ଲାଗିଛି। ଏସବୁର ବିଭିନ୍ନ କାରଣ ରହିଛି। ତେବେ ଯେଉଁମାନେ କରୋନା ଓ ଲକ୍ଡାଉନ୍ ଯୋଗୁଁ ଡାକ୍ତରଖାନା ଆସିପାରୁ ନାହାନ୍ତି, କାଉନସେଲିଂ ହୋଇ ପାରୁନାହାନ୍ତି ବା ଔଷଧ ପାଇ ପାରୁନାହାନ୍ତି, ସେମାନଙ୍କର ଏଥିଯୋଗୁଁ ସମସ୍ୟା ବଢୁଛି। ଏମ୍ସରେ ଟେଲି ମେଡିସିନ ଓ ସ୍ବାସ୍ଥ୍ୟ ଆପ୍ର ସୁବିଧା ରହିଛି। ଯେକୌଣସି ସମୟରେ ଆତ୍ମହତ୍ୟା ପ୍ରବଣତା ଆସିଲେ ଜଣେ ଏହାର ଲାଭ ନେଇ ପାରିବ। ମାତ୍ର ଏ ସମ୍ପର୍କରେ ଅନେକ ଜାଣି ପାରୁ ନାହାନ୍ତି। ଲକ୍ଡାଉନ୍, ରୋଜଗାର ହରାଇବା ଜନିତ ସମସ୍ୟା ସହିତ ୨୪ ଘଣ୍ଟା ଘରେ ବସିରହିବା ମଧ୍ୟ ମାନସିକ ଚାପର ଅନ୍ୟତମ କାରଣ। ତେଣୁ ହତାଶ ଲାଗିବା, ଏକୁଟିଆ ଭାବନା ଆସିବା, କିଛି କରିନପାରିବା, ପୂର୍ବରୁ ଭଲ ଲାଗୁଥିବା କାର୍ଯ୍ୟ ଭଲ ନଲାଗିବା, ଥକି ପଡ଼ିବାର ଭାବନା ଆସିଲେ ତୁରନ୍ତ କାଉନସେଲିଂ କରାନ୍ତୁ। ଡାକ୍ତର ହିଁ କହିଦେବେ ଏହା ମାନସିକ ସମସ୍ୟା କି ସାମାନ୍ୟ ଅସୁସ୍ଥତା। ମନରେ ଆତ୍ମହତ୍ୟାର ଭାବନା ଆସିଲେ ପାଣି ପିଇବାକୁ, ତକିଆ ବାଡେଇବାକୁ, ମାଟି ଖୋଳିବାକୁ, ମିଠା ଖାଇବାକୁ କିମ୍ବା ଯେକୌଣସି ଭାବରେ ମନକୁ ଡାଇଭର୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଡ.ଦେବଦତ୍ତା।
ଭିମସାର ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ରଜନୀକାନ୍ତ ଶୁକ୍ଳ କହିଛନ୍ତି, ନିଦ୍ରାହୀନତା, ବ୍ୟସ୍ତ ଲାଗିବା ଏବଂ ଡିପ୍ରେସନର ହାର ପ୍ରାୟ ୨୦ରୁ ୩୦ ପ୍ରତିଶତ ବଢ଼ିଛି। ତେବେ ଆମ ବିଭାଗକୁ ଆତ୍ମହତ୍ୟା ପ୍ରବଣତା ମାମଲା ସେତେ ଅଧିକ ଆସିନାହିଁ। ଗତବର୍ଷ କରୋନା ସମୟ ଅପେକ୍ଷା ଏ ବର୍ଷ ଲୋକେ ନିଜକୁ ଅଧିକ ଖାପ ଖୁଆଇଥିବା ଅନୁଭବ ହେଉଛି। ପୂର୍ବରୁ ମାସରେ ୪/୫ ଜଣ ମାନସିକ ରୋଗ ନେଇ ଆତ୍ମହତ୍ୟା ପ୍ରବଣତା ଥିବା ରୋଗୀ ଆସୁଥିଲେ। ବର୍ତ୍ତମାନ ମଧ୍ୟ ଏ ସଂଖ୍ୟା ସେହିଭଳି ରହିଛି। ଯଦିଓ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ବଢୁଛି, କିନ୍ତୁ ଏ ପ୍ରକାର ମାମଲା ମାନସିକ ରୋଗ ବିଭାଗକୁ ଆସୁ ନାହିଁ। ସର୍ବଦା ମାନସିକ ରୋଗ ଯୋଗୁଁ ନୁହେଁ; ଆଶା ହରାଇଲେ ମଧ୍ୟ କିଛି ଲୋକ ଆତ୍ମହତ୍ୟା କରୁଛନ୍ତି। କାରଣ ଯାହାବି ହେଉ ପ୍ରତ୍ୟେକ ମଣିଷକୁ ବୁଝିବାକୁ ହେବ, ଜୀବନ ଥରୁଟିଏ ମିଳେ। ତାହା ଅତି ମୂଲ୍ୟବାନ। ନିରାଶ ହେବାର କିଛି ନାହିଁ, ଏହି ସ୍ଥିତି ଟଳିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/suicide-1.jpg)