ଭୁବନେଶ୍ବର: ବିକଶିତ ଦେଶଗୁଡ଼ିକରେ ଲୋକମାନେ ଟ୍ୟାପ୍ ଖୋଲି ସିଧା ପାଣି ପିଅନ୍ତି। ସେମାନେ ପାଣିକୁ ଗରମ କରି କି ଛାଣିକି ପିଅନ୍ତିନି। ଏପରିକି ଆକ୍ବାଗାର୍ଡ ବ୍ୟବହାର କରନ୍ତିନି। କାରଣ ସେମାନଙ୍କୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଣ ହୋଇଥାଏ। ଯାହା ଆଜିଠାରୁ ଭୁବନେଶ୍ବର ଓ ପୁରୀରେ ଆରମ୍ଭ ହେଲା। ଖୁବ୍ ଶୀଘ୍ର ସାରା ରାଜ୍ୟରେ ଏହି ଭଳି ପିଇବା ପାଣି ଯୋଗାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍ ‘ସୁଜଳ’ର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ସୁଦ୍ଧା ସବୁ ସହରାଞ୍ଚଳରେ ପାଇପ୍ ପାଣି ଯୋଗାଣ ହେବ। ଉନ୍ନତ ଦେଶର ଲୋକମାନଙ୍କ ଭଳି ଆମ ରାଜ୍ୟର ଲୋକମାନେ ଯେପରି ସିଧାସଳଖ ଟ୍ୟାପ୍ରୁ ପାଣି ଆଣି ପିଇପାରିବେ ସେ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ବରର ସାଲିଆ ସାହି ଓ ପୁରୀର ମଶାଣି ଚଣ୍ଡୀରେ ଏହି ଯୋଜନା ଲୋକାର୍ପିତ ହୋଇଥିଲା। ଏହାଦ୍ବାରା ଏବେ ଭୁବନେଶ୍ବର ଓ ପୁରୀର ୧୨ଟି ଅଞ୍ଚଳର ପ୍ରାୟ ୧ଲକ୍ଷ ୮୦ହଜାର ଲୋକ ଉପକୃତ ହେବେ। ଆଗାମୀ ଦିନରେ ଆଉ ୧୫ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ ଆରମ୍ଭ ହେବ। ଏଥିପାଇଁ ୧୩୦୦ କୋଟି ଖର୍ଚ୍ଚ ହେବ ବୋଲି କହିଥିଲେ। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ କାର୍ଯ୍ୟକାରୀ କରିବାରେ ଓଡ଼ିଶାରେ ଦେଶରେ ପ୍ରଥମ ରାଜ୍ୟ ହୋଇଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହରରେ ସବୁ ଘରକୁ ପାଇପ୍ ପାଣି ଯୋଗାଣରେ ବି ଭୁବନେଶ୍ବର ପ୍ରଥମ ସହର ପାଲଟିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ହେଉଛି ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି। ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ୍ ଦ୍ବାରା ପୁରୀକୁ ପ୍ଲାଷ୍ଟିକ ମୁକ୍ତ ସହର କରିପାରିବା। ପର୍ଯ୍ୟଟକ ଯେଉଁଠି ଟ୍ୟାପ୍ ଖୋଲିବେ ସେଠାରେ ଉନ୍ନତମାନର ପିଇବା ପାଣି ପାଇବେ। ସେହିପରି ଭୁବନେଶ୍ବର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ପାଇପ୍ ପାଣି ଯୋଗାଣ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଥିଲେ। ସୂଚନାଯୋଗ୍ୟଯେ ୫-ଟି ଗଭର୍ଣ୍ଣାନ୍ସରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଇଛି।ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ଯୋଜନାର ଲୋକାର୍ପଣ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିୟାନ କହିଥିଲେ ଯେ, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସାଲିଆ ସାହିରୁ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ବସ୍ତିରେ ସବୁ ଘରକୁ ପିଇବା ପାଣି ସଂଯୋଗ ଦିଆଯାଇପାରିବ ଏବଂ ସମସ୍ତେ ବିଶୁଦ୍ଧ ପାଣି ପାଇପାରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି। ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍, ଜନସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ବାଇଁ ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ।
ୱାଟ୍କୋ ବା ଜଳ ନିଗମ ପକ୍ଷରୁ ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଜଳ ଯୋଗାଣରେ ଯେପରି କିଛି ସମସ୍ୟା ରହିବନି ସେଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ୱାଟ୍କୋ ପକ୍ଷରୁ ପାଇପ୍ ମିସ୍ତ୍ରିମାନଙ୍କୁ ପ୍ରଶିକ୍ଷଣ ଦେଇ ଏଥିରେ ନିୟୋଜିତ କରାଯାଉଛି। ଆଜି ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଜଳ କର ଆଦାୟରେ ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ମିସନ୍ ଶକ୍ତିର ମା’ମାନେ ଜଳ ସାଥୀ ଭାବେ କାର୍ଯ୍ୟ କରିବେ। ଏହାସହ ସେମାନେ ଜଳର ମାନ ପରୀକ୍ଷା କରିପାରିବେ। ସେଥିପାଇଁ ଆଜି ସେମାନଙ୍କୁ ଯନ୍ତ୍ରାଂଶ ଦିଆଯାଇଥିଲା। ରାଜଧାନୀର ୮ଟି ଅଞ୍ଚଳକୁ ଓ ପୁରୀର ୪ଟି ଅଞ୍ଚଳକୁ ୱାଟ୍କୋ ୨୪ଘଣ୍ଟା ପାଇପ୍ ଯୋଗେ ପିଇବା ପାଣି ଯୋଗାଉଛି। ସୁଜଳ ଯୋଜନାରେ ଆଜି ବିଧିବଦ୍ଧ ଭାବେ ଏହି ଅଞ୍ଚଳକୁ ପାଣି ଯୋଗାଣ ହେଲା। ଏଠାରେ ଲୋକମାନେ ଟ୍ୟାପ୍ ଖୋଲି ବିଶୁଦ୍ଧ ପାଣି ପିଇପାରିବେ।
ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ନିଳାଦ୍ରୀବିହାର ବସ୍ତି, ଈଶାନେଶ୍ବର ବସ୍ତି, ସହିଦନଗର, ସାଲିଆ ସାହି, କଳିଙ୍ଗ ନଗରର କେ-୮ ଓ କେ-୩ (ବି), ୟୁନିଟ-୬, ଲୋକସେବା ଭବନ ଓ ଖାରବେଳ ଭବନକୁ ୨୪ଘଣ୍ଟା ପିଇବା ପାଣି ଯୋଗାଣ ହେଉଛି। ସେହିପରି ପୁରୀରେ ମଶାଣି ଚଣ୍ଡୀ ବସ୍ତି, ବଳିଆପଣ୍ଡା, ବଡ଼ଦାଣ୍ଡ ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପିଇବା ପାଣି ଯୋଗାଣ ହେଉଛି। ଏଠାରେ ଆଉ ପାଣି ଟାଙ୍କି ରଖିବା ଆବଶ୍ୟକ ପଡ଼ିବନି। ଲୋକମାନେ ୨୪ଘଣ୍ଟା ଟ୍ୟାପ୍ ଖୋଲି ପାଣି ପିଇପାରିବେ। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ରହୁଥିବା (ମିଲିଅନ୍ ପ୍ଲସ୍ )ସହରରେ ଲୋକଙ୍କୁ ପିଇବା ପାଣି ଯୋଗାଣରେ ଭୁବନେଶ୍ବର ପ୍ରଥମ ସହର। ପୂର୍ବରୁ ହୋଇଥିବା ସର୍ଭେ ଅନୁଯାୟୀ, ଏବେ ସବୁ ଘରକୁ ପିଇବା ପାଣି ଯୋଗାଣ ହେଉଛି। ଯେଉଁ କିଛି ଘର ବାକି ଅଛି ଅର୍ଥାତ୍ ସର୍ଭେ ପରେ ନୂଆ କରି ଘର ନିର୍ମାଣ କରିଛନ୍ତି ବା କୌଣସି ଅଞ୍ଚଳରେ ନୂଆ କରି ଗଢ଼ି ଉଠିଛି ସେଠାରେ ପୁନଃ ସର୍ଭେ ଚାଲିଛି। ସେହି ଅଞ୍ଚଳଗୁଡ଼ିକୁ ଖୁବ୍ ଶୀଘ୍ର ପାଇପ୍ ପାଣି ସଂଯୋଗ ଦିଆଯିବ। ଏହାପରେ ସବୁ ଘରକୁ ୨୪ଘଣ୍ଟା ପାଣି ଯୋଗାଣ ହେବ ବୋଲି ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/sujala.jpg)