ସୁଜାତା, ଜନ୍ମେଜୟଙ୍କୁ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର

ଜାହ୍ନବୀ, ସର୍ବେଶ୍ୱର ପାଇବେ ବିସ୍‌ମିଲା ଖାଁ ଯୁବ ପୁରସ୍କାର

ଭୁବନେଶ୍ୱର: କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ହୋଇଛି । ସଂଗୀତ, ନୃତ୍ୟ, ଲୋକକଳା ଓ ଅଭିନୟରେ ନିଜର ପ୍ରତିଭାକୁ ସମଗ୍ର ଦେଶରେ ପ୍ରତିପାଦିତ କରିଥିବା କଳାକାରଙ୍କ ନାମ ଘୋଷଣା କରାଯାଇଛି। ସମଗ୍ର ଦେଶରୁ ୪୨ ଜଣଙ୍କ ନାମ ଏକାଡେମି ପୁରସ୍କାର ପାଇଁ ଘୋଷଣା ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଏବଂ ଛଉ ନୃତ୍ୟରେ ଅବଦାନ ପାଇଁ ମୟୂରଭଂଜର ଜନ୍ମେଜୟ ସାଇବାବୁ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଉଭୟଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରିବେ। ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୭ ମସିହାରେ ଭୁବନେଶ୍ୱର ଆସିବା ପରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ। ଜନ୍ମେଜୟ ସାଇବାବୁ ମଧ୍ୟ ଛଉକୁ ସୁଦୂରପ୍ରସାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ତାଙ୍କର ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି।

ଏଥିସହ ସମଗ୍ର ଦେଶରୁ ୩୪ ଜଣ ଉସ୍ତାଦ ବିସ୍‌ମିଲା ଖାଁ ଯୁବ ପୁରସ୍କାର ୨୦୧୭ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା ଏବଂ ଲୋକନୃତ୍ୟ ପାଇଁ ସମ୍ବଲପୁରର ସର୍ବେଶ୍ୱର ଭୋଇଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ଘୋଷଣା ପରେ ଜାହ୍ନବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ମୁଁ ଗଙ୍ଗାଧର ପ୍ରଧାନ, ଅରୁଣା ମହାନ୍ତି, ରମେଶ ଚନ୍ଦ୍ର ଜେନା, ଯୁଧିଷ୍ଠିର ନାୟକଙ୍କ ଭଳି ଗୁରୁଙ୍କଠାରୁ ନୃତ୍ୟ ଶିକ୍ଷା କରିଛି। ଗୁରୁମାନଙ୍କର ଆଶୀର୍ବାଦ ସହ ନିଷ୍ଠା ଓ ଉଦ୍ୟମର ଏହା ଫଳଶ୍ରୁତି। ଏହି ପୁରସ୍କାର ଆମ ଭଳି ଯୁବଶିଳ୍ପୀମାନଙ୍କୁ ନୃତ୍ୟରେ ଆହୁରି ସିଦ୍ଧ ହେବା ପାଇଁ ପ୍ରେରଣା ଯୋଗାଇବ’, ବୋଲି ଜାହ୍ନବୀ କହିଛନ୍ତି। ଗତ ଜୁନ୍‌ ୮ ତାରିଖରେ ମଣିପୁର ଇମ୍ଫାଲ୍‌ରେ ଅନୁଷ୍ଠିତ କେନ୍ଦ୍ର ସଂଗୀତ ନାଟକ ଏକାଡେମିର ସାଧାରଣ ପରିଷଦ ବୈଠକରେ ଏହି ନାମଗୁଡ଼ିକ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର