ସଂକ୍ରମଣ ଦେଖେନାହିଁ ସଂପର୍କୀୟ, ସଙ୍ଗରୋଧ କେନ୍ଦ୍ରକୁ ନ ଯିବା ଲାଗି ପରିବାର ଲୋକଙ୍କୁ ବାରଣ କରନ୍ତୁ

୪୦ ଲକ୍ଷ ମାସ୍କ ବିତରଣ କରିସାରିଲେଣି ଏସ୍‌ଏଚ୍‌ଜି ମହିଳା, ପ୍ରସ୍ତୁତ କଲେଣି ଦେଢ଼ କୋଟି ଥାଳି

ଭୁବନେଶ୍ବର : ଓଡ଼ିଶାର କରୋନା ଯୁଦ୍ଧରେ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍‌ଏଚ୍‌ଜି ମା’ମାନେ ବି ଜଣେ ଜଣେ ଯୋଦ୍ଧା। ମା’ମାନେ ମେରୁଦଣ୍ଡ ଭଳି ଛିଡ଼ା ହୋଇଛନ୍ତି। ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିଲେ ସେମାନଙ୍କୁ ୨୧ଦିନିଆ ସଙ୍ଗରୋଧ ବା କ୍ବାରେଣ୍ଟିନ୍‌ରେ ରଖାଯାଉଛି। ତେବେ ନିଜର ପୁଅ/ଝିଅ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି ବୋଲି ଧୈର୍ଯ୍ୟହରା ନ ହୋଇ ସେମାନଙ୍କୁ ଦେଖା କରିବା ଲାଗି ସଙ୍ଗରୋଧ କେନ୍ଦ୍ରକୁ ଯାଇ ଭିଡ଼ କରିବା କିମ୍ବା ଖାଦ୍ୟ ଦେବା ପାଇଁ ଯିବା ଉଚିତ୍ ନୁହେଁ। କାରଣ ସଂକ୍ରମଣ କାହାର ସଂପର୍କକୁ ଦେଖେନି ବୋଲି କହିଛନ୍ତି ମିସନ୍‌ ଶକ୍ତିର କମିସନର ତଥା ନିର୍ଦେଶକ ସୁଜାତା କାର୍ତ୍ତିକେୟନ୍।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ କାର୍ତ୍ତିକେୟନ୍ କହିଲେ ଯେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟର ୭୦ଲକ୍ଷ ଏସ୍‌ଏଚ୍‌ଜି ମଧ୍ୟରୁ ଗ୍ରାମାଞ୍ଚଳର ପ୍ରତ୍ୟେକ ମା’ ଜଣେ ଜଣେ ଏହାର ସଦସ୍ୟ। ରାଜ୍ୟରେ ସଂକ୍ରମଣ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ତାହା କେବଳ ମା’ମାନଙ୍କ ତ୍ୟାଗ ଓ ନିୟନ୍ତ୍ରଣ ପାଇଁ ସମ୍ଭବ ହୋଇପାରିଛି। ତେଣୁ ମା’ମାନେ ନିଜ ପୁଅ/ଝିଅଙ୍କୁ ଦେଖିବା ଲାଗି ସଙ୍ଗରୋଧ କେନ୍ଦ୍ରକୁ ନ ଯିବା ସହିତ ନିଜ ପରିବାର ଲୋକଙ୍କୁ ମଧ୍ୟ ଏଥିପାଇଁ ବାରଣ କରିବା ଆବଶ୍ୟକ। ଏପରିକି ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତିମାନେ ନିଜ ପରିବାର ଲୋକଙ୍କୁ ସରକାରଙ୍କ ନିୟମ ନ ଭାଙ୍ଗିବା ପାଇଁ ଫୋନ୍‌ରେ ମନା କରନ୍ତୁ। ରାଜ୍ୟରେ ଏବେ ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟବାସୀ ଏଥିପାଇଁ ବିଶେଷ ଚିନ୍ତିତ ହେବାର କୌଣସି କାରଣ ନାହିଁ। କାରଣ ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତେ ସଂଖ୍ୟକ ଲୋକ କରୋନା ଚିହ୍ନଟ ହୋଇଛନ୍ତି ସେମାନଙ୍କ ଯାତ୍ରା ବିବରଣୀ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ତେଣୁ ଗୋଷ୍ଠୀ ସ୍ତରରେ ଯେପରି ସଂକ୍ରମଣ ନ ହେବ ସେଥିଲାଗି ସମସ୍ତ ଚେଷ୍ଟା ଜାରି ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମିସନ ଶକ୍ତିର ମହିଳାମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି। ଏସ୍ଏଚ୍‌ଜିମାନେ ଏ ପର୍ଯ୍ୟନ୍ତ ୪୦ଲକ୍ଷରୁ ଅଧିକ ମାସ୍କ ବିତରଣ କରିସାରିଲେଣି। ଏପରିକି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦେଢ଼ କୋଟି ଥାଳି ବିତରଣ କରି ସାରିଲେଣି। ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ୮୦ଲକ୍ଷ ରାସନ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହାସହ ମତ୍ସ୍ୟ ଚାଷ, ପନିପରିବା, ଛତୁ ଚାଷ, ଗୋପାଳନ, ମନରେଗା ଭଳି କାର୍ଯ୍ୟ ନିଜ ହାତକୁ ନେଇଛନ୍ତି। ଯାହାଫଳରେ ସ୍ଥାନୀୟ ଅର୍ଥନୀତି ଚଳଚଞ୍ଚଳ ହୋଇପାରିଛି ବୋଲି ଶ୍ରୀମତୀ କାର୍ତିକେୟନ କହିଛନ୍ତି।

ସମ୍ବନ୍ଧିତ ଖବର