ଭୁବନେଶ୍ବର: ବିଜେଡି ସରକାରରେ କ୍ଷମତାଶାଳୀ ଆଇଏଏସ୍ ଅଧିକାରୀ ଥିବା ସୁଜାତା ଆର୍ କାର୍ତ୍ତିକେୟନ୍ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ନେଇଛନ୍ତି। ଭିଆର୍ଏସ୍ ପାଇଁ ସେ କରିଥିବା ଆବେଦନକୁ ରାଜ୍ୟ ଓ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ସୁଜାତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ବିଜେପି ସରକାର ଶପଥ ନେବା ପୂର୍ବରୁ ୨୦୦୦ ବ୍ୟାଚ୍ର ଏହି ଆଇଏଏସ୍ ଅଧିକାରୀ ୬ ମାସ ଛୁଟି ନେଇଥିଲେ। ଗତ ନଭେମ୍ବର ମାସରେ ସେ ଛୁଟିର ଅବଧି ବଢ଼ାଇବାକୁ ଚାହୁଁଥିଲେ ବି ସରକାର ଅନୁମତି ଦେଇ ନଥିଲେ। ଫଳରେ ସେ ତାଙ୍କ ପୂର୍ବ ପଦବି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ବିଭାଗର କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉ ନଥିଲା। ବିଜେଡି ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ଥିବା ଏହି ଅଧିକାରୀ ବର୍ତ୍ତମାନ ସରକାରରେ ଏକପ୍ରକାର ଅଲୋଡ଼ା ଓ ଅଛୁଆଁ ହୋଇଯାଇଥିଲେ।
ଶ୍ରୀମତୀ କାର୍ତ୍ତିକେୟନ୍ ଚଳିତ ମାସ ୧୩ ତାରିଖରେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଏ ସମ୍ପର୍କରେ ରାଜନୈତିକ ମହଲ କିମ୍ବା ଗଣମାଧ୍ୟମରେ କେହି ଟେର୍ ସୁଦ୍ଧା ପାଇ ନଥିଲେ। ରାଜ୍ୟ ସରକାର ବେଶ୍ ସତର୍କତାର ସହ ତାଙ୍କ ଭିଆର୍ଏସ୍ ଆବେଦନକୁ ବିଚାରକୁ ନେଇ ତାହାକୁ ଗ୍ରହଣ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। କେନ୍ଦ୍ର ସରକାର ତାହାକୁ ମଞ୍ଜୁରି ଦେଇଛନ୍ତି। ଗତକାଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଭିଆର୍ଏସ୍ ଆବେଦନ ମଞ୍ଜୁର ହୋଇଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି।
ବିଜେଡି ସରକାର ସମୟରେ ଦ୍ବିତୀୟ କ୍ଷମତା କେନ୍ଦ୍ର ପାଲଟିଥିବା ଭି କେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ଥିଲେ ୨୦୦୦ ବ୍ୟାଚ୍ର ଆଇଏଏସ୍। ସୁଜାତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହି ଆଇଏଏସ୍ ଦମ୍ପତି କ୍ଷମତା କରିଡର୍ରେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ମହିଳାମାନଙ୍କୁ ବିଜେଡିର ଭୋଟ୍ ବ୍ୟାଙ୍କ କୁହାଯାଉଥିଲା ବେଳେ ମିସନ୍ ଶକ୍ତି ବିଭାଗ ମାଧ୍ୟମରେ ସେମାନଙ୍କ ପାଇଁ ଅନେକ ଯୋଜନା ଖଞ୍ଜି ଦିଆଯାଇଥିଲା। ଆଉ ସୁଜାତା ସମ୍ଭାଳୁଥିଲେ ଏହି ବିଭାଗ। ନିର୍ବାଚନ ବେଳେ ସେ ବିଜେଡି ସପକ୍ଷରେ ଭୋଟ୍ ପାଇଁ ପ୍ରବର୍ତ୍ତାଉଥିବାର ଅଭିଯୋଗ ଆସିଲା ପରେ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେଠାରୁ ହଟାଯାଇଥିଲା। ୨୦୨୩ ଅକ୍ଟୋବର ମାସରେ ଭି କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ତାହାର କିଛି ଦିନ ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ନିର୍ବାଚନରେ ବିଜେଡିର ପରାଜୟ ପରେ ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ନବୀନଙ୍କ ସହ ଛାଇ ପରି ରହିଛନ୍ତି। ଏବେ ସୁଜାତା ଚାକିରି ଛାଡ଼ିଲା ପରେ ଏହି ଦମ୍ପତିଙ୍କ ପରବର୍ତ୍ତୀ ଯୋଜନାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଜାରି ରହିଛି।