ଭୁବନେଶ୍ବର: ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଅବଧି ବଢ଼ିନି। ଆଉ ୬ ମାସ ଛୁଟି ପାଇଁ ସେ କରିଥିବା ଆବେଦନକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କୁ କୁହାଯାଇଛି। ୨୦୦୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସୁଜାତା ଗତ ମେ’ ୩୧ ତାରିଖରୁ ୬ ମାସ ପାଇଁ ଛୁଟିରେ ଯାଇଥିଲେ। ଝିଅର ଦଶମ ପରୀକ୍ଷା ଥିବାରୁ ତା’ର ଯତ୍ନ ପାଇଁ ସେ ଏହି ଛୁଟି ନେଇଥିଲେ। ତେବେ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଅର୍ଥାତ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ଛୁଟି ମଞ୍ଜୁର କରିଥିବା ଜଣାପଡ଼ିଥିଲା। ପିଛିଲା ଭାବେ ମେ’ ୩୧ରୁ ଏହି ଛୁଟି ଲାଗୁ ହୋଇଥିଲା। ଯଦିଓ ସୁଜାତାଙ୍କ ଛୁଟି ଆଇନ ଅନୁଯାୟୀ ଠିକ୍, ତେବେ ତାହା ସ୍ବାଭାବିକ ନଥିଲା। କାରଣ ସୁଜାତାଙ୍କ ସ୍ବାମୀ ଭି କେ ପାଣ୍ଡିଆନ୍ ଥିଲେ ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର। ସେଥି ପାଇଁ ପ୍ରଶାସନରେ ସୁଜାତାଙ୍କ କାଟ୍ତି ଅଧିକ ଥିଲା। ବିଜେଡି କ୍ଷମତାଚ୍ୟୁତ ହେଲା ପରେ ସୁଜାତା ଛୁଟିରେ ଚାଲିଯାଇଥିବା ସ୍ପଷ୍ଟ ହୋଇଥିଲା।
ତାଙ୍କର ୬ ମାସର ଛୁଟି ଅବଧି ଆଜି ଶେଷ ହୋଇଛି। କିନ୍ତୁ ସେ ଆଉ ୬ ମାସ ଛୁଟି ପାଇଁ ଗତ ୪ ତାରିଖରେ ସରକାରଙ୍କୁ ଆବେଦନ କରିଥିଲେ। ସରକାର ଏହାକୁ ଗ୍ରହଣ କରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯିବା ସହ ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ସୁଜାତା ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି କାର୍ଯ୍ୟରେ ଯୋଗ ଦିଅନ୍ତି, ତେବେ ସରକାର ତାଙ୍କୁ କେଉଁଠି ନିଯୁକ୍ତି ଦେବେ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ବିଜେଡି ସରକାର ସମୟରେ ସୁଜାତା ବେଶ୍ କ୍ଷମତାଶାଳୀ ଅଧିକାରୀ ଥିଲେ। ମିସନ୍ ଶକ୍ତି ବିଭାଗର ସଚିବ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ନିର୍ବାଚନ ବେଳେ ତାଙ୍କ ବିରୋଧରେ ଶାସକ ଦଳ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ଫଳରେ ଭାରତୀୟ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶରେ ତାଙ୍କୁ ମିସନ୍ ଶକ୍ତିରୁ ହଟାଯାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା।
ସୁଜାତାଙ୍କ ଛୁଟି ଅବଧି ବୃଦ୍ଧି ଆବେଦନକୁ ସରକାର ଖାରଜ କଲା ପରେ ତାହାକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଆପଣଙ୍କ ପତ୍ନୀ ଆୟୁଷ ଡାକ୍ତର। ପିଲାଙ୍କ ଲାଳନ ପାଳନ ପାଇଁ ସେ ଛୁଟିରେ ରହିପାରିବେ। କିନ୍ତୁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କର ଛୁଟି ଆପଣ ବାତିଲ କରିବେ। ଏପରି ଛୋଟ ରାଜନୀତି ଦୟାକରି କରନ୍ତୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/26/6T8mbvMFvjqsB2Ct2ZrD.jpg)