ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ପକ୍ଷରୁ ଆଜି ସକାଳେ ସୁଜିତ କୁମାରଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଶ୍ରୀ କୁମାର ବିଧାନସଭା ପରିସରକୁ ଯାଇ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି।

Advertisment

ଏହି ନାମାଙ୍କନପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୁଜିତ କୁମାର ବିଜେପି ଟିକେଟ୍‌ରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି ରାଜ୍ୟ ସଭାପତି ମ‌ନମୋହନ ସାମଲ କହିଛନ୍ତି ଯେ ସେ ରାଜ୍ୟସଭାକୁ ମନୋନୀତ ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଉଠୁଥିବା ସ୍ୱର ଅଧିକ ସୁଦୃଢ଼ ହେବ। ସେହିପରି ସୁଜିତ କୁମାର କହିଛନ୍ତି ଯେ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ ଜାରି ରହିବ।

ଆସନ୍ତା ୧୦ ତାରିଖ ନାମାଙ୍କନର ଶେଷ ତାରିଖ ଥିବା ବେଳେ ୧୧ରେ ନାମାଙ୍କନ ଯାଞ୍ଚ ଓ ୧୩ରେ ହିଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ ନକରନ୍ତି ତେବେ ଡିସେମ୍ବର ୧୩ରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏକାଧିକ ପ୍ରାର୍ଥୀ ଥିଲେ ଡିସେମ୍ବର ୨୦ରେ ନିର୍ବାଚନ ହେବ। ଯଦି ନାମାଙ୍କନପତ୍ରରେ କୌଣସି ତ୍ରୁଟି ନଥାଏ ତେବେ ସୁଜିତ କୁମାର ପୁଣି ରାଜ୍ୟସଭା ଯିବା ଏକପ୍ରକାରର ନିଶ୍ଚିତ। ସୁଜିତ କୁମାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୧କୋଟି ୯୨ଲକ୍ଷ ୭୪ହଜାର ୨୫୦ଟଙ୍କାର ସମ୍ପତ୍ତି ଥିବାବେଳେ ୮୮ଲକ୍ଷ ୭୨ହଜାର ୨୦୮ଟଙ୍କାର ଋଣ ଅଛି। 

ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିବାରୁ ଏଥିପାଇଁ ଏବେ ଉପନିର୍ବାଚନ ହେଉଛି। ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏବେ ସୁଜିତ କୁମାର ପୁଣି ନିର୍ବାଚିତ ହେଲେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ରହିବ।