କିଶନନଗର: ଦୀର୍ଘ ୭୪ ବର୍ଷ ଧରି ମୃତ ଅବସ୍ଥାରେ ପଡ଼ି ରହିଥିବା ମହାନଦୀର ଶାଖା ନଦୀ ‘ସୁକପାଇକା’ ଜୀବନ୍ୟାସ ପାଇଛି। ଆଜି ସ୍ଲୁଇସ୍‌ ଗେଟ୍‌ ଦେଇ ନଦୀ ମଧ୍ୟକୁ ମହାନଦୀର ପାଣି ଛଡ଼ାଯାଇଛି। ସୁକପାଇକା ବଞ୍ଚାଅ କମିଟିର ସାଧାରଣ ସମ୍ପାଦକ ରୋଶନ ରଥ, ସଭ୍ୟ ତଥା ବିଜେପି ନେତା ହୃଷୀକେଶ ଜେନା ନଡ଼ିଆ ବାଡ଼େଇ ଏହାର ଶୁଭାରମ୍ଭ କରିଥିଲେ। ଡ୍ରେନେଜ୍‌ ବିଭାଗର ନିର୍ବାହୀଯନ୍ତ୍ରୀ ସୌରଭ ସାହୁ, ସହକାରୀ ଯନ୍ତ୍ରୀ ସୌଭାଗ୍ୟ ବେହେରା, ପ୍ରଶାନ୍ତ ମଲ୍ଲିକ, ସହକାରୀ ନିର୍ବାହୀଯନ୍ତ୍ରୀ ସତ୍ୟଜିତ ନାୟକ, ସାଉଥ୍‌ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର, ସେଚ ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦାସ, ସରପଞ୍ଚ ରାକେଶ ବେହେରା, ନିମାଇଁ ଚରଣ ମହାପାତ୍ର, ଜୀବନ ମହାନ୍ତି, ଅଭିତ ରଥଙ୍କ ସହ ସୁକପାଇକା ବଞ୍ଚାଅ କମିଟିର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Advertisment

ସୂଚନାଯୋଗ୍ୟ, ‘ସୁକପାଇକା’ ନଦୀର ପ୍ରାକୃତିକ ମୃତ୍ୟୁ ହୋଇ ନଥିଲା। ସମୟର ଆବଶ୍ୟକତାକୁ ଦେଖି ଓଡ଼ିଶାର ପ୍ରଥମ ରାଜବନ୍ଦୀ ସ୍ବର୍ଗତ ରାଜକୃଷ୍ଣ ବୋଷ ୧୯୫୧ରେ ପୂର୍ତ୍ତ ମନ୍ତ୍ରୀ ଥିବା ବେଳେ ‘ସୁକପାଇକା’ ମୁହାଣକୁ ବନ୍ଦ କରିଦେଇଥିଲେ। ତେବେ ଗତ କିଛିବର୍ଷ ଧରି ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଜଳସ୍ତର ନିମ୍ନଗାମୀ ହୋଇଛି। ସ୍ଥାନୀୟ ଅଞ୍ଚଳର କୂଅ ପୋଖରୀ ଆଦି ଜଳ ଉତ୍ସ ଶୁଖିଗଲାଣି।

ପ୍ରବାହିତ ହେଲା ମହାନଦୀ ପାଣି

‘ସୁକପାଇକା’ର ଉଭୟପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ଜଳସ୍ତରକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ‘ସୁକପାଇକା’ରେ ବର୍ଷସାରା ଜଳପ୍ରବାହର ଆବଶ୍ୟକତା ରହିଥିଲା। ଏଥି ସହ ନଦୀକୁ ଆବର୍ଜନାମୁକ୍ତ ଓ ଜବରଦଖଲମୁକ୍ତ କରିବା, ନଦୀର ଉଭୟପାର୍ଶ୍ୱରେ ପନିପରିବା ଚାଷ ପାଇଁ ବର୍ଷସାରା ପାଣି ଯୋଗାଇବା ଆଦି ଲକ୍ଷ୍ୟ ନେଇ ସ୍ଥାନୀୟ ବୋଧପୁର ଗ୍ରାମର ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ୨୦୧୯ ମସିହାରୁ ସୁକପାଇକା ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହୋଇଥିଲା। ‘ସୁକପାଇକା’ ଖୋଲିବା ପାଇଁ ଓ ଏହି କାର୍ଯ୍ୟକୁ ୧୩ ମାର୍ଚ୍ଚ ୨୦୨୩ ମଧ୍ୟରେ ସାରିବାକୁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ୪୯.୬୭୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇ ୨୦୨୩ ନଭେମ୍ବର ୧୦ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ନୂଆ ସରକାର ଆସିବା ପରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ବିଭିନ୍ନ ସମୟରେ ଏହାର ସମୀକ୍ଷା କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।