ବଲାଙ୍ଗୀର/ପାଟଣାଗଡ଼ : ଚର୍ଚ୍ଚାରେ ତମିଆ-ମୁଦଲସର ସୁକତେଲ ପୋଲ। ପୋଲ ଭାଙ୍ଗି ଦୁଇଜଣ ଶ୍ରମିକଙ୍କ ଜୀବନ ଗଲା। ଜଣେ ଗୁରୁତର ଏବେ ବି ଜୀବନ ସହ ସଂଘର୍ଷ କରୁଛନ୍ତି। ଲୋକଙ୍କ ଯିବାଆସିବା ବି ସେହି ରାସ୍ତାରେ ଠପ୍‌। ମାତ୍ର ଚାରିବର୍ଷରେ ଧରାଶାୟୀ ହେଲା ସାତକୋଟି ଟଙ୍କାର ବ୍ରିଜ୍। ଏସବୁ ଭିତରେ ଏବେ ଆଲୋଚନା ଚାଲିଛି ମଲେଇ ଖାଇଲେ ଯନ୍ତ୍ରୀ-ଠିକାଦାର; ଜୀବନ ଦେଲେ ଶ୍ରମିକ ଓ ହଇରାଣ ହେଲେ ସର୍ବସାଧାରଣ।

Advertisment

ସୁକତେଲ ନଦୀ ଉପରେ ପ୍ରାୟ ୧୮୩ମିଟରର ବ୍ରିଜ୍ ତିଆରି ହୋଇଥିଲା। ବ୍ୟୟ ଅଟକଳ ଥିଲା ସାତ କୋଟି। କଳବଳ କୌଶଳ ଲଗାଇ ଠିକା ହାତେଇଥିଲେ ବଲାଙ୍ଗୀର ସହରରେ ଥିବା ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ସଂସ୍ଥାର ମୁଖ୍ୟ କାର୍ପଟଦାର ସଂଜୟ ଅଗ୍ରୱାଲ। ୨୦୧୪ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୨୦୧୫ ମସିହାରେ ଉଦ୍‌ଘାଟନ ହୋଇଥିଲା ପୋଲ। ମାତ୍ର ଏକବର୍ଷ ଚାରିମାସରେ ପୋଲ ତିଆରି କରି ବିଭାଗୀୟ ବାହାବା ସାଉଁଟିଥିଲେ। ଏପରିକି ଠିକାଦାରଙ୍କ କାମରେ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର ଏତେ ଖୁସି ହୋଇଥିଲେ ଯେ, ତାଙ୍କୁ ପୁରସ୍କୃତ କରିବା ପାଇଁ ସୁପାରିସ୍‌ କରିଥିଲେ। ଆଉ ୫୬ ଲକ୍ଷ ଟଙ୍କାର ପୁରସ୍କାର ବି ପାଇଥିଲେ ଠିକାଦାର ସଂଜୟ ଅଗ୍ରୱାଲ।

ହେଲେ କାମର ତିନିବର୍ଷ ପରେ ସାମ୍ନାକୁ ଆସିଥିଲା ଠିକାଦାରଙ୍କ କାମର ଅସଲ ସ୍ବରୂପ। ସିମେଣ୍ଟ ଝଡ଼ି ଲୁହାଛଡ଼ ଦେଖାଯାଉଥିଲା। ଚାରି ନମ୍ବର ପିଲର ଦବିଯାଇଥିଲା। ଏ ନେଇ ପ୍ରଥମ କରି ‘ସମ୍ବାଦ’ରେ ଖବର ବି ବାହରିଲା। ବିଭାଗୀୟ ବାବୁମାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ପ୍ରତିକ୍ରିୟାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିସାନ ହାଲ୍‌କା ଭାବେ କହିଥିଲେ ସାମାନ୍ୟ ମରାମତି କରିଦେଲେ କାମ ହୋଇଯିବ। ସେତେବେଳେ ବି ଠିକାଦାରଙ୍କ ପାରିବାପଣିଆକୁ ସୁରକ୍ଷା ଦେଇଥିଲେ ପରବର୍ତ୍ତୀ ସମୟରେ ଯୋଗଦେଇଥିବା ବିଭାଗୀୟ ବାବୁ। ମାସକ ପରେ ସତ ହୋଇଥିଲା ‘ସମ୍ବାଦ’ ସନ୍ଦେହ। ଭୁଶୁଡ଼ିଗଲା ପୋଲ। ପର୍ଦ୍ଦାଫାସ ହେଲା ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକା। ସାଧାରଣରେ ଠିକାଦାରଙ୍କୁ ନେଇ ଆଲୋଚନା ହେବା ସ୍ୱାଭାବିକ। କିନ୍ତୁ ଏଇଠି ବଡ଼ ପ୍ରଶ୍ନ ପୋଲ ନିର୍ମାଣ କାମକୁ ତଦାରଖ କରୁଥିବା ଜୁନିୟର ଇଞ୍ଜିନିୟର ରଂଜିତ ବାଗ, ଏସ୍‌ଡିଓ ତପନ ବେହେରା, ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାପାତ୍ର ଓ ପରେ ସୁରକ୍ଷା ଦେଇଆସିଥିବା ବର୍ତ୍ତମାନର ନିର୍ବାହୀ ଯନ୍ତ୍ରୀ ଶ୍ରୀ କିସାନ ଆଦି ଯନ୍ତ୍ରୀଗଣ କରୁଥିଲେ କଣ? ଗ୍ରାଉଣ୍ଡ ଜିରୋକୁ ଯାଇ ପୋଲ କାମ ତଦାରଖ କରୁଥିଲେ ନା ଅଫିସରେ ବସି ବସି ଦସ୍ତଖତ କରୁଥିଲେ? ଯଦି ନିର୍ମାଣାଧୀନ ପୋଲ ପାଖକୁ ଯାଇ କାମ ତଦାରଖ କରୁଥିଲେ ତାହେଲେ ଏମାନଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ହେବା ବି ସ୍ୱାଭାବିକ।

ଲକ୍‌ଡାଉନ୍‌ ବେଳେ ବି ଫେରାର!
ସଫଳତା କମ ଓ ବିଫଳତା ଅଧିକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ବଲାଙ୍ଗୀର ପୁଲିସ। ପାଟଣାଗଡ଼ ପୋଲ ଭଙ୍ଗା ଘଟଣାରେ ସବୁଠାରୁ ପ୍ରଥମେ ତତ୍ପର ହୋଇଥିଲା ପୁଲିସ। ଘଟଣାସ୍ଥଳରେ ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କ ସହିତ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାର ମାତ୍ର କିଛି ଘଣ୍ଟା ଭିତରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ ମଡ଼କର ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଖୁବ୍‌ ଶୀଘ୍ର ଠିକାଦାରଙ୍କୁ ଗିରଫ କରିବାକୁ ବଲାଙ୍ଗୀର ପୁଲିସକୁ ତାଗିଦ କରିଥିଲେ। ହେଲେ ନିଜ ପାରିବାପଣିଆକୁ ନେଇ ପ୍ରସିଦ୍ଧି ଲାଭ କରିଥିବା ବଲାଙ୍ଗୀର ପୁଲିସ ଏଥର ପୁଣି ଥରେ ନିଜର ଦକ୍ଷତାକୁ ନେଇ ଚର୍ଚ୍ଚାରେ। ବଲାଙ୍ଗୀର ସହର ରେଲୱେ ଷ୍ଟେସନ ପାଖରେ ରାଜକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ସଂଜୟ ଅଗ୍ରୱାଲଙ୍କ ଘର। ହେଲେ ସେ ଘର ଖୋଜିବାକୁ ପୁଲିସକୁ ଲାଗିଗଲା ଦୁଇଦିନ। ଘରେ ପୁଲିସ ପହଞ୍ଚିବା ଆଗରୁ ଠିକାଦାର ଫେରାର। କିନ୍ତୁ ଫେରାର ହେଲେ ବି ଯିବେ କୁଆଡ଼େ? ଚାରିଆଡ଼େ ଲକ୍‌ଡାଉନ୍‌। ତାଲାବନ୍ଦ ସମୟରେ ଠିକାଦାରଙ୍କ ପାଇଁ କିଏ ଖୋଲିଲା ତାଲା? କେମିତି ଗଲେ? କେଉଁବାଟରେ ଗଲେ? କାହା ସହିତ ଗଲେ? ବାଇକ୍‌ରେ ଗଲେ ନା ଚାରିଚକିଆରେ ଗଲେ? ତାଙ୍କୁ ଅନୁମତି ଦେଲା କିଏ? ହେଲେ ଠିକାଦାର ବାବୁ କୁଆଡ଼େ ଯାଇଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ଖୋଜିପାଉନି ପୁଲିସ। ଯାହା ସୂଚନା ମିଳୁଛି ପ୍ରଥମେ ଜିଲ୍ଲା ବାହାରକୁ ଓ ତାପରେ ରାଜ୍ୟ ବାହାରକୁ ସେ ଚାଲି ଯାଇଛନ୍ତି। ଲୋକଦେଖାଣିଆ ଭାବେ ଦୁଇଟି ଟିମ୍‌ କରି କିଛି ସ୍ଥାନରେ ଛାପା ମାରିଛି ବଲାଙ୍ଗୀର ପୁଲିସ। ହେଲେ ଫେରାର ଠିକାଦାରଙ୍କ ଠିକଣା ପାଉନି ପୁଲିସ। ତାଲାବନ୍ଦ ସମୟରେ ଯଦି ଜଣେ ନାଁକରା ଠିକାଦାର ଫେରାର ମାରିପାରିଲେ, ପୁଲିସ ଆଖିରେ ଧୂଳି ଦେଇପାରିଲେ, ତେବେ ପୁଲିସ ଦକ୍ଷତା ଉପରେ ସନ୍ଦେହ ହେବା ସ୍ୱାଭାବିକ।