ଶୁଖାସୋଡ଼ାକୁ ଭୁଲିଗଲେ : ଛତିଶଗଡ଼ର ମାଡ଼ ସାଙ୍ଗକୁ ଓଡ଼ିଶାର ଅବହେଳାର କାହାଣୀ

ବର୍ଷାଦିନେ ବନ୍ୟା, ଅନ୍ୟଦିନେ ମରୁଡ଼ି, ମହାନଦୀ କୂଳରେ ଥାଇ ବି ତୃଷାର୍ତ୍ତ

(ଶୁଖାସୋଡ଼ାରୁ ଦେବେନ୍ଦ୍ର ସାମନ୍ତରାୟ), ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଢେଇକେଲା ପଞ୍ଚାୟତର ଶୁଖାସୋଡ଼ା ଗାଁ। ଛତିଶଗଡ଼ ସୀମାକୁ ଲାଗି ମହାନଦୀ କୂଳରେ ଥିବା ଏହି ଗାଁ ଗତବର୍ଷ ମେ ମାସ ପର୍ଯ୍ୟନ୍ତ ଥିଲା ଏକ ଅଖ୍ୟାତ ପଲ୍ଲୀ। ବାହାର ଜିଲ୍ଲା କ’ଣ ଝାରସୁଗୁଡ଼ା ଜିଲ୍ଲାର ଲୋକ ବି ଶୁଣିନଥିଲେ ଏ ଗାଁର ନାଁ। କିନ୍ତୁ ଗତବର୍ଷ ମେ ୧୬ ତାରିଖରେ ଏହି ଗାଁ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଏହି ଗାଁରେ ପହଞ୍ଚିଥିଲେ। ତାଙ୍କ ସହ ବହୁ ନେତା ଓ ମନ୍ତ୍ରୀ। ହଜାର ହଜାର ସଂଖ୍ୟାରେ ଲୋକ। ମହାନଦୀରେ ଛତିଶଗଡ଼ର ମନଇଚ୍ଛା ବ୍ୟାରେଜ୍‌ ନିର୍ମାଣ ଓ ଜଳବନ୍ଧନ ପ୍ରତିବାଦରେ ଏହି ଗାଁରୁ ହିଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମହାନଦୀ ମହାସଂଗ୍ରାମ। ଶୁଖାସୋଡ଼ା ଓ ଚିଖିଲି (ନଦୀ ସେପଟ ବରଗଡ଼ ଜିଲ୍ଲା ଅନ୍ତର୍ଗତ) ଗାଁରୁ ଆରମ୍ଭ ହୋଇଥିବା ‘ମହାନଦୀ ସୁରକ୍ଷା ଅଭିଯାନ’ ୧୪ଟି ଜିଲ୍ଲା ଦେଇ ପାରାଦୀପରେ ଶେଷ ହୋଇଥିଲା।

ସେଦିନ ସବୁ ଗଣମାଧ୍ୟମର ଫୋକସ୍‌ରେ ରହିଥିଲା ଶୁଖାସୋଡ଼ା। ଅଖ୍ୟାତରୁ ଚର୍ଚ୍ଚିତ ପାଲଟିଥିବା ଏହି ପଲ୍ଲୀ ଗାଁ ଏବେ କେମିତି ଅଛି? ବର୍ଷେ ପରେ କିଛି ବଦଳିଛି କି ଏହାର ଭାଗ୍ୟ? ଏ କଥା ଜାଣିବାକୁ ‘ସମ୍ବାଦ’ ପହଞ୍ଚିଥିଲା ଏହି ଗାଁରେ। ଗାଁ ମୁଣ୍ଡରେ ଥିଲା ଶୁଖାସୋଡ଼ା ପ୍ରାଥମିକ ସ୍କୁଲ। ଚଳିତ ନିର୍ବାଚନ ବେଳେ ଏହି ସ୍କୁଲରେ ହୋଇଥିଲା ଝାରସୁଗୁଡ଼ା ଜିଲ୍ଲାର ୧ ନମ୍ବର ବୁଥ୍‌। କିଛି ଲୋକଙ୍କଠାରୁ ଆମେ ଗାଁର ଭଲମନ୍ଦ ସଂପର୍କରେ ପଚାରି ବୁଝିଥିଲୁ। ପ୍ରାୟ ୯୦୦ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ଗୋଟିଏ କଥା ସ୍ପଷ୍ଟ ବାରି ହେଉଥିଲା। ଗୋଟିଏ ପଟେ ଛତିଶଗଡ଼ର ମାଡ଼ରେ ଏହି ଗାଁର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ବି ଗାଁ ପ୍ରତି ବେଶ୍ ଉଦାସୀନ ଥିବା ଜଳଜଳ ଦିଶୁଥିଲା।

କିଛି ପୁରୁଖା ଲୋକଙ୍କ କହିବା ଅନୁସାରେ ଦୁଇଟି ରାଜ୍ୟର ସୀମାରେ ରହିଥିବା ଏହି ଗାଁର ଲୋକେ ଏକଦା ଖୁସିରେ ଥିଲେ। ରାସ୍ତାଘାଟ, ବିଦ୍ୟୁତ ଓ ମୋବାଇଲ ସେବା ଆଦି ନଥିଲେ ବି ଆଗରୁ ମହାନଦୀ ସେମାନଙ୍କ ଜୀବନଧାରା ଥିଲା। ପାଣି ମିଳୁଥିବାରୁ ଉଭୟ ଖରିଫ ଓ ରବି ଋତୁରେ ଭଲ ଚାଷବାସ ହେଉଥିଲା। ଧାନ ଚାଷ ସହ କଲରା, ଜହ୍ନି ଓ ତରବୁଜ, ଅନ୍ୟ ପନିପରିବା ଚାଷ ବି ହେଉଥିଲା। ସେପଟେ ମହାନଦୀରୁ ମାଛ ଧରି ଭଲ ରୋଜଗାର କରୁଥିଲେ କିଛି ଲୋକ। ପରେ ହୀରାକୁଦ ଡ୍ୟାମ୍‌ ହେଲା। ଅନେକ ଜମି ଜଳଭଣ୍ଡାରରେ ଗଲା। ଗାଁର ୪୦ ଭାଗ ଲୋକ ଜମିହୀନ ହୋଇଗଲେ। କିନ୍ତୁ ପଛୁଆ ପାଣି ଛାଡ଼ିବା ପରେ ଜଳଭଣ୍ଡାର ଭିତର ଜମିରେ ସେମାନେ ଚାଷବାସ କରିପାରୁଥିଲେ। ହେଲେ ଛତିଶଗଡ଼ରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ ପରଠାରୁ ସବୁକିଛି ବଦଳିଗଲା। ଏବେ ଏଠାରେ ମହାନଦୀ କହିଲେ ବର୍ଷକୁ ୯ ମାସ ଶୁଖିଲା ବାଲିଶଯ୍ୟା। ଜଳଭଣ୍ଡାର ବି ଅଧିକାଂଶ ଦିନ ଶୁଖିଲା। ପାଣି ଅଭାବରୁ ପନିପରିବା ଚାଷ ବନ୍ଦ ହେବା ଉପରେ। ବର୍ଷାଦିନେ ବନ୍ୟା ତ ଅନ୍ୟ ଦିନେ ଜଳାଭାବ। ଏବେ ଉଠା ସେଚ ପ୍ରକଳ୍ପ ଯୋଜନାରେ କିଛି ଚାଷୀ ଗଭୀର ନଳକୂଅ ଖନନ କରି ଚାଷବାସ କରୁଛନ୍ତି। ହେଲେ ସମସ୍ତେ ଏହାର ସୁବିଧା ପାଇପାରୁନାହାନ୍ତି।

ଗାଁରେ ସମସ୍ୟା ଅନେକ। ମୁଖ୍ୟ ସମସ୍ୟା ଗାଁକୁ ଭଲ ରାସ୍ତାଟିଏ ନାହିଁ। କନକତୋରା-ମହୁଲପାଲି ରାସ୍ତାର ମୁରଲିପାଲିଠାରୁ ଗାଁକୁ ୪ କିଲୋମିଟରର କଚ୍ଚା ରାସ୍ତା। ଏ ରାସ୍ତା ପୁଣି ଛତିଶଗଡ଼ ସୀମା ଭିତର ଦେଇ ଯାଇଛି। ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତାରେ ଲାଲଗୋଡ଼ି ପକାଯାଇଥିଲା। ଏବେ ପୁଣି ଖାଲଖମାରେ ଭର୍ତ୍ତି ହୋଇଗଲାଣି। ବର୍ଷାଦିନେ ଗାଁବାସୀଙ୍କ ପାଇଁ ବେଶି ସମସ୍ୟା। ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ ୭ କିଲୋମିଟର। ରାସନ ହେଉ କି ଅନ୍ୟ କାମ, ପଞ୍ଚାୟତ ଅଫିସ ନଗଲେ ନଚଳେ। ଗାଁରେ ଏକ ସ୍କୁଲ ଅଛି। ସେଠାରେ ଏବେ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏହା ପରେ ନିକଟବର୍ତ୍ତୀହାଇସ୍କୁଲ ବି କଣ୍ଢେଇକେଲା। ୭ କିଲୋମିଟର। ଗାଁର ଛାତ୍ରଛାତ୍ରୀମାନେ ଖରାବର୍ଷାରେ ବେଶ୍ ଦୁର୍ଦ୍ଦଶା ଭୋଗୁଛନ୍ତି।

ଗାଁରେ ସ୍ବାସ୍ଥ୍ୟସେବା ସ୍ଥିତି ସବୁଠୁ ଖରାପ। କାହାର ଦେହ ଖରାପ ହେଲେ ୫ କିମି ଦୂର ଚାଣ୍ଟିପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡ଼େ। ସେଠାରେ ବି ଡାକ୍ତର କର୍ମଚାରୀ ରହନ୍ତି ନାହିଁ। ବ୍ଲକ ସଦର ମହକୁମା ଗାଁ ଠାରୁ ପ୍ରାୟ ୪୦ କିଲୋମିଟର ଦୂର। ୨୦୧୪-୧୫ ମସିହାରେ ଗାଁରେ ଏକ ଏଏନ୍‌ଏମ୍‌ ସେଣ୍ଟର ଖୋଲିବାକୁ ସ୍ଥିର ହୋଇଥିଲା। ମାତ୍ର ରାଜନୈତିକ କାରଣରୁ ସେଇଟି ୭ କିଲୋମିଟର ଦୂରରେ ଥିବା କଣ୍ଢେଇକେଲାକୁ ଉଠିଯାଇଛି। ଫଳରେ ଗାଁର ସାଧାରଣ ରୋଗୀ ଓ ଗର୍ଭବତୀ ମହିଳାମାନେ ଏହି କେନ୍ଦ୍ରର ସେବା ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି। କଣ୍ଢେଇକେଲାରେ ଏଥିଲାଗି ନିର୍ମିତ ଘର ଭୂତକୋଠି ହୋଇପଡ଼ିଛି। ଗାଁରେ ବିଦ୍ୟୁତ ଅବ୍ୟବସ୍ଥା କଥା ନ କହିଲେ ଭଲ। ପାନୀୟ ଜଳ ସମସ୍ୟା ବି ଉତ୍କଟ। ବର୍ଷାଦିନେ ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ଗାଁର ଅଧା ବୁଡ଼ିଯାଏ। ଅନ୍ୟଦିନ ଗାଁରେ ଜଳାଭାବ। ଗାଁରେ ବିଭିନ୍ନ ସମୟରେ ପ୍ରାୟ ୧୩ଟି ନଳକୂଅ ଖୋଳାଯାଇଥିଲେ ବି ଏବେ ସେଥିରୁ ୧୦ଟି ଅଚଳ ହୋଇ ପଡ଼ିଛି। ଗାଁରେ ବିଭିନ୍ନ ସରକାରୀ ଯୋଜନାର କା‌େର୍ଯ୍ୟାନ୍ବୟନ ହାର ବି ନୈରାଶ୍ୟଜନକ।

ଛତିଶଗଡ଼ର ମାଡ଼ ଖାଇଥିବା ଏହି ଗାଁ ଲୋକଙ୍କୁ ରାଜ୍ୟ ସରକାର କି ସ୍ଥାନୀୟ ପ୍ରଶାସନ ବି କିଛି ଦୟା କରିନାହାନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ଗାଁକୁ ଆସିଥିବା ବେଳେ ଗାଁ ଲୋକେ ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇ ‌ଏକ ସ୍ମାରକପତ୍ର ଦେଇଥିଲେ। ସେଥିରେ ବେଶି ଅଧିକ ଦାବି ବି ନଥିଲା। ୩ଟି ମୁଖ୍ୟ ସମସ୍ୟା ସମାଧାନ ପାଇଁ ଗୁହାରି କରିଥିଲେ। ବନ୍ୟା ଦାଉରୁ ଲୋକଙ୍କୁ ରକ୍ଷା ପାଇଁ ଗାଁରେ ଏକ ବନ୍ୟା ଆଶ୍ରୟସ୍ଥଳୀ, ଗାଁକୁ ପକ୍କା ରାସ୍ତା ଓ ଏକ ହାଇସ୍କୁଲ। ମାତ୍ର ବର୍ଷେ ପରେ ବି ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ। ସମସ୍ତେ ଯେମିତି ଭୁଲି ଯାଇଛନ୍ତି ଏହି ଗାଁକୁ।

ଖଣି ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ପାରିପାର୍ଶ୍ବିକ ଉନ୍ନୟନ ଓ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାର ସାମାନ୍ୟ ସୁଫଳ ଯଦି ଶୁଖାସୋଡ଼ାବାସୀଙ୍କ ପାଖରେ ପହଞ୍ଚିପାରିଥାନ୍ତା ତେବେ ଲୋକଙ୍କ ଅବସ୍ଥା ଓ ଗାଁର ଭାଗ୍ୟ ବଦଳି ଯାଇଯାନ୍ତା ନିଶ୍ଚୟ।
(ଫଟୋ, ସହାୟତା: ଗୌତମ ସାହୁ)

ସମ୍ବନ୍ଧିତ ଖବର