ଘଡ଼ାଇ ପୁଅଙ୍କୁ ମୁକାବିଲା ପାଇଁ ସଜବାଜ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ

ଯାଜପୁର, (ସଂଗ୍ରାମ ସିଂହ): ଉଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରେ। ହେଲେ ୨୦୧୯ ସାଧାରଣ ନିର୍ବାଚନ ତିନିଟି ପ୍ରମୁଖ ଦଳ ବିେଜଡି, କେଂଗ୍ରସ ଓ ବିେଜପି ପାଇଁ ଅଗ୍ନିପରୀକ୍ଷା ସଦୃଶ େହଲାଣି। ଗୋଷ୍ଠୀ କନ୍ଦଳ, ‌ରାଜନୈତିକ ବିଭେଦ, ନେତା-କର୍ମୀ ମନାନ୍ତର-ମତାନ୍ତର, ଠିକାଦାରୀ ପାଇଁ ଏହି ଆସନଟିରେ ନିର୍ବାଚନ ଏକ କଠୋର ପ୍ରତିେଯାଗିତା ଆଡକୁ ଟାଣିେନବା ବିଚିତ୍ର ନୁେହଁ।

ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ କାଳିଆପାଣି କ୍ରୋମ ଉପତ୍ୟକା ଭାବେ ପରିଚିତ। ୧୯୯୦ ମସିହାରୁ ବର୍ଷିୟାନ ନେତା ପ୍ରଫୁଲ୍ଲ ଘଡ଼ାଇ ସୁକିନ୍ଦାକୁ ହସ୍ତମୁଦି କରି ରଖିଛନ୍ତି। ୧୯୯୦ ରୁ ୨୦୦୯ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ଘଡ଼ାଇ ଲଗାତାର ପାଞ୍ଚ ପାଞ୍ଚ ଥର (ଜନତା ଦଳ ରୁ ୨ଥର ଓ ବିଜେଡ଼ିରୁ ୩ଥର) ବିଜୟୀ ହୋଇ ସୁକିନ୍ଦା ରାଜନୈତିକ ଇତିହାସରେ ରେକର୍ଡ କରିଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ଘଡ଼ାଇଙ୍କ ପୁଅ ପ୍ରୀତିରଂଜନ ଘଡ଼ାଇ ବି ସୁକିନ୍ଦା ଦଖଲ କରିଥିଲେ। ଅର୍ଥାତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଘଡ଼େଇ ପରିବାର ହାତରୁ ଖସିନାହିଁ।

୧୯୮୦ରୁ ସୁକିନ୍ଦା ରାଜନୀତିରେ ପାଦ ଦେଇଥିବା କଂଗ୍ରେସ ନେତା ଶରତ ରାଉତ ପ୍ରାରମ୍ଭରେ ୧୯୮୦ ଓ ୧୯୮୫ରେ ଲଗାତର ୨ଥର ବିଜୟୀ ହୋଇ ଚର୍ଚ୍ଚାରେ ରହିଥିଲେ। ହେଲେ ତା’ପରଠାରୁ ପରାଜୟ ଧାରାରୁ ବାହାରି ପାରୁନାହାନ୍ତି। ଶ୍ରୀ ରାଉତଙ୍କ ରାଜନୀତି ଗୋଟି ଚାଳନାରେ ତ୍ରୁଟି, ବାରମ୍ବାର ନିଜ ଲୋକଙ୍କ ବିଶ୍ବାସଘାତକତା ଓ ନିଜର ମାତ୍ରାଧିକ ଆତ୍ମବିଶ୍ବାସ ତାଙ୍କୁ ଧରାଶାୟୀ କରିଛି େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖନ୍ତି। ତା ସତ୍ତ୍ବେ ଘଡ଼ାଇ ପରିବାରକୁ କଡ଼ା ଟକ୍କର ଦେଇ ଆସୁଛନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳ ମଧ୍ୟ ବିଭିନ୍ନ ସମୟରେ ତାଙ୍କୁ ପଛକୁ ଟାଣିଥିଲା।

ଏଥର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଏକାଠି ହୋଇଥିବା ବେଳେ ଶରତଙ୍କ ବାହିନୀ ଅଧିକ ଜୋସ୍ ନେଇ ମଇଦାନକୁ ଓହ୍ଲାଇ‌େବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେଡିର ଅସନ୍ତୁଷ୍ଟ ନେତା ଓ ଗତ ନିର୍ବାଚନର ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ(ଟୁଟୁ ବଳ) ଇତିମଧ୍ୟରେ ବିଜେପିରେ ଯୋଗ ଦେଇ ସଙ୍ଗଠନ ବୃଦ୍ଧିରେ ଲାଗିପଡ଼ିଛନ୍ତି। ତେବେ ଜିଲ୍ଲାରେ ବିଜେପିର ନୂଆ-ପୁରୁଣା ବିବାଦରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡ଼ିନାହିଁ।

ସୁକିନ୍ଦା ଓ ଦାନଗଦୀ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ସୁକିନ୍ଦା ଖଣି ଉପତ୍ୟକାରେ ପ୍ରଫୁଲ୍ଲ ଘଡ଼ାଇଙ୍କ ଶ୍ରମିକ ସଂଗଠନ ଦଳୀୟ ମେରୁଦଣ୍ଡକୁ ସମ୍ଭାଳୁଥିବା ‌େବଳେ ଶରତ ରାଉତଙ୍କର ପୂର୍ବତନ ସେନାପତି ସୁକିନ୍ଦା ବ୍ଲକ୍ ପୂର୍ବତନ ସଭାପତି ଅମଳେନ୍ଦୁ ବେହୁରା ବହୁଦିନ ହେଲାଣି ବିଜେଡି ଶିବିରରେ ପାଦ ଥାପିଛନ୍ତି। ସେ ଦୃଷ୍ଟିରୁ ସୁକିନ୍ଦା ବ୍ଲକ୍ରେ କଂଗ୍ରେସ ସଂଗଠନ ତୁଳନାତ୍ମକ ଭାବରେ ଦୁର୍ବଳ ରହିିଛି। ଦାନଗଦୀ ବ୍ଲକରେ ଜୁନିୟର ଘଡ଼ାଇ ତଥା ବିଧାୟକ ପ୍ରୀତିରଂଜନ ଘଡ଼ାଇ(ଡାନି)ଙ୍କୁ ବିରୋଧ କରିବା ଲାଗି ବିଜେଡିର ଗୋଟିଏ ଗୋଷ୍ଠୀ ସଜବାଜ ହେଉଛନ୍ତି। ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଠିକାଦାର, କେତେକ ରାଜନେତା ଏଥିରେ ସାମିଲ ହୋଇଛନ୍ତି। ଡାନିଙ୍କର ବିକଳ୍ପ କିଏ ହେବ ବି‌ଦ୍ରୋହୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଶରତ ନା ଟୁଟୁ! ଏମିତି ଦୋ’ଛକିରେ ଡାନି ବିରୋଧୀ ଅଙ୍କ କଷୁଛନ୍ତି। ଏହି ପରିସ୍ଥିତିରେ ଡାନିଙ୍କ ବିରୋଧୀ ମହେନ୍ଦ୍ର ଧଳ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେଡି ଟିକେଟ୍ ହାସଲ କରିବେ ବୋଲି ଆଶା ବାନ୍ଧିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ             ପ୍ରମୁଖ ପ୍ରାର୍ଥୀ              ଭୋଟ
ବିଜେଡି         ପ୍ରୀତିରଞ୍ଜନ ଘଡ଼ାଇ      ୫୮,୧୨୨
କଂଗ୍ରେସ        ଶରତ ରାଉତ            ୫୩,୪୧୮
ସ୍ବାଧୀନ         ପ୍ରଦୀପ ବଳସାମନ୍ତ      ୧୭,୯୨୭
ଆମ ଓଡ଼ିଶାପାର୍ଟି ରବୀନ୍ଦ୍ର ଜାରିକା        ୬,୩୧୪
ବିଜେପି          ଅଭିନ୍ନକୁମାର ହୋତ‌ା    ୩,୭୩୮
ନୋଟା            ……                   ୯୯୪

ସମ୍ବନ୍ଧିତ ଖବର