ସଂଗ୍ରାମ କେଶରୀ ସିଂହ
ଯାଜପୁର: ଶିଳ୍ପ ଓ ଖଣି ଖାଦାନରେ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଜୀବନ ଓ ଜୀବିକାକୁ ନେଇ ରାଜନୀତି ଶାଣିତ ହେବାରେ ଲାଗିଛି। ଦାନଗଦୀ ଓ ସୁକିନ୍ଦା ବ୍ଲକ୍କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ କଳିଙ୍ଗନଗର ଇସ୍ପାତ ରାଜଧାନୀ ସହିତ କାଳିଆପାଣି କ୍ରୋମ ଉପତ୍ୟକାର ବିକାଶ ଓ ନିଯୁକ୍ତ ପ୍ରସଙ୍ଗକୁ ନେଇ ଜନ ଅସନ୍ତୋଷ ରହିଛି। ଖଣିଖାଦାନ ଓ ଶିଳ୍ପ ଦ୍ବାରା ରାଜକୋଷ ସମୃଦ୍ଧ ହେଉଥିବା ବେଳେ ଏଠାରେ ଅପପୁଷ୍ଟି, ଖାଦ୍ୟ ସୁରକ୍ଷା, ପ୍ରଦୂଷଣ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ଆରମ୍ଭ କରିଛନ୍ତି। ଅନ୍ୟପଟେ ବିକାଶ କଥା କହି ଶାସକ ଦଳ ପ୍ରଭାବ ବିସ୍ତାର କରିବାରେ ଲାଗିଛି।
ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ସୁକିନ୍ଦାରେ କଂଗ୍ରେସ ଦିନକୁ ଦିନ ନିଜର ସତ୍ତା ହରାଇବାରେ ଲାଗିଛି। ଫଳରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ(ଡାନି) ବିକାଶକୁ ପ୍ରସଙ୍ଗ କରି ନିଜର ପ୍ରଭାବ ବିସ୍ତାର ଚେଷ୍ଟାରେ ଅଛନ୍ତି। ମୁଖ୍ୟ ବିରୋଧୀ ବିଜେପି ନେତା ପ୍ରଦୀପ ବଳସାମନ୍ତ(ଟୁଟୁ) ଅଞ୍ଚଳର ଦାରିଦ୍ର୍ୟତା, ବେକାରୀ ଓ ସରକାରୀ ଅବହେଳାକୁ ପ୍ରସଙ୍ଗ କରି ଘଡ଼େଇ ପରିବାର ବିରୋଧରେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଡାନି-ଟୁଟୁଙ୍କ ଶିବିର ନିଜର ପତିଆରା ବୃଦ୍ଧି କରି ଚାଲିଥିବା ବେଳେ ପୁରୁଖା କଂଗ୍ରେସ ନେତା ଶରତ ରାଉତଙ୍କ ଶିବିର ଏକ ପ୍ରକାର ନିରବ। ଦିନକୁ ଦିନ ଶ୍ରୀ ରାଉତଙ୍କ ପ୍ରଭାବ ରାଜନୀତି ମୈଦାନରୁ ଲୀନ ହେବାରେ ଲାଗିଛି। ଶ୍ରୀ ରାଉତ ୧୯୮୦ ଓ ୧୯୮୫ରେ ଲଗାତାର ଦୁଇ ଥର ବିଧାୟକ ହେବା ସହିତ ସ୍ବର୍ଗତ ଜାନକୀବଲ୍ଲବ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସର୍ବକନିଷ୍ଠ ମନ୍ତ୍ରୀ ହୋଇଥିଲେ। ପରେ କିନ୍ତୁ ସେ ଲଗାତାର ପାଞ୍ଚ ଥର ହାରିଲେଣି। ବହୁ ଦିନ ଧରି ସୁକିନ୍ଦାରେ ମୁଖ୍ୟ ବିରୋଧୀ ଭାବେ ଶ୍ରୀ ରାଉତଙ୍କ ଶିବିର ଡ଼ ପ୍ରଫୁଲ୍ଲ ଘଡ଼େଇ ଓ ପରେ ତାଙ୍କ ପୁଅ ଇଂ ପ୍ରୀତିରଞ୍ଜନ ଘଡ଼େଇ(ଡାନି)ଙ୍କୁ ଟକ୍କର ଦେଉଥିଲେ। ୨୦୧୯ରେ ଶ୍ରୀ ରାଉତ ତୃତୀୟ ସ୍ଥାନକୁ ଖସିଯାଇଥିବା ବେଳେ ବିଜେପି ନେତା ଟୁଟୁ ବଳ ମୁଖ୍ୟ ବିରୋଧୀ ଭୂମିକାରେ।
ସ୍ମରଣ ଯୋଗ୍ୟ ୩୩ବର୍ଷ ହେଲା ସୁକିନ୍ଦାର ବିଧାୟକ ପଦ ଘଡ଼େଇ ପରିବାର ନିୟନ୍ତ୍ରଣରେ। ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ପ୍ରଫୁଲ୍ଲ ଘଡ଼େଇ ପାଞ୍ଚଥର ବିଧାୟକ ହୋଇ ରେକର୍ଡ କରିଥିଲେ। ଡ. ଘଡ଼େଇଙ୍କ ପରେ ତାଙ୍କ ପୁଅ ଡାନି ୨୦୧୪ ରୁ ଆଜି ପର୍ଯ୍ୟନ୍ତ ଏଠାରୁ ପ୍ରତିନିଧିତ୍ବ କରୁଛନ୍ତି। ବାପାଙ୍କ ନିକଟତମ ପ୍ରମୁଖ ରାଜନେତାଙ୍କୁ ଡାନି ଦୂରେଇ ଦେଇ ନିଜର ସଙ୍ଗଠନ ସୁଦୃଢ଼ କରିଚାଲିଛନ୍ତି। ବିଜେପି ନେତା ଟୁଟୁ ବଳ ୨୦୧୪ରେ ସ୍ବାଧୀନ ପ୍ରାର୍ଥୀ ହୋଇ ବିରୋଧୀ ଭୋଟ ବିଭାଜନ କରି କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାଉତଙ୍କ ପରାଜୟର କାରଣ ବନିଥିଲେ। ୨୦୧୯ରେ ଟୁଟୁ ବଳ ବିଜେପିରୁ ପ୍ରାର୍ଥୀ ହୋଇ କଡ଼ା ମୁକାବିଲା କରିଥିଲେ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ​ସେ ରାଜ୍ୟ ଓ କେନ୍ଦ୍ରର ବରିଷ୍ଠ ବିଜେପି ନେତାଙ୍କୁ ସୁକିନ୍ଦାକୁ ଆଣି ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/political-l.jpg)