ଟମକା ପରେ ସୁକିନ୍ଦା ରେଞ୍ଜ : କରୋନା କାଳରେ କୋଟିକୋଟି ଟଙ୍କା ହଡ଼ପ

ଠିକା କର୍ମଚାରୀଙ୍କ ମା’ ଓ ପତ୍ନୀ ନାମରେ ଖାଇଗଲେ
୨ଦିନରେ ୩୦୪ ଭାଉଚରରେ ୬୪ଲକ୍ଷ ଟଙ୍କା ହେରଫେର

ଯାଜପୁର : କଟକ ବନଖଣ୍ଡ ଅଧୀନସ୍ଥ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ବନୀକରଣ ଆଳରେ ‌କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ମନରେଗା ଠାରୁ ଆରମ୍ଭ କରି କାମ୍ପା, ଓମବାଡ଼ସି ଓ ଡଏମଏଫ ଅନୁଦାନ ଅର୍ଥକୁ ଜାଲ ଭାଉଚର ଜରିଆରେ ଲୁଟି ନିଆଯାଇଛି। କରୋନା ପାଇଁ ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଜାରି ଥିବା ବେଳେ ଠିକା କର୍ମଚାରୀଙ୍କ ମା’ ଓ ପତ୍ନୀ ବନୀକରଣ କାର୍ଯ୍ୟରେ ଶ୍ରମିକ ଯୋଗାଇଥିବା ଦର୍ଶାଇ ଲକ୍ଷଲକ୍ଷ ଟଙ୍କା ଲୁଟିନେବାକୁ ପଛାଇ ନାହାନ୍ତି ଅସାଧୁମେଣ୍ଟ।

ଡାଳିଯୋଡ଼ା ରେଞ୍ଜର ବନୀକରଣ ମହାଦୁର୍ନୀତି ପର୍ଦ୍ଦାଫାସ ହେବା ପରେ ତଦନ୍ତ ଚାଲିଛି। ଅବଶିଷ୍ଟ ୩ଟି ରେଞ୍ଜ ଯାଜପୁରରୋଡ଼, ଟମକା ଓ ସୁକିନ୍ଦା ରେଞ୍ଜ କେଳେଙ୍କାରୀ ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୁକିନ୍ଦା ରେଞ୍ଜର ହରିଲୁଟ୍ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ଲାଗିଛି। ଗୋଟିଏ ଗୋଟିଏ ଦିନରେ ଶତାଧିକ ବିଲ୍ କରାଯାଇ ବ୍ୟାପକ ଅର୍ଥ ହେରଫେର କରାଯାଇଛି।

ସୁକିନ୍ଦା ରେଞ୍ଜରେ ୨୦୨୦ ମାର୍ଚ୍ଚ ୩୧ତାରିଖରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ଶତାଧିକ ବିଲ୍‌ କରାଯାଇଛି। ଏହି ଦିନ ବାସନ୍ତୀ ସାହାଣୀଙ୍କ ନାମରେ ୨୪ଟି ଭାଉଚରରେ ୩ଲକ୍ଷ ୭୭ହଜାର ୫୦୬ଟଙ୍କା ଶ୍ରମିକ ଯୋଗାଣ ନାମରେ ପଇଠ କରାଯାଇଛି। ଧର୍ମଶାଳା ବ୍ଲକ୍ କୋହ୍ଲା ଗ୍ରାମର ବାସନ୍ତୀ ସାହାଣୀ ହେଉଛନ୍ତି ଡାଳିଯୋଡ଼ା ରେଞ୍ଜର ଠିକା କର୍ମଚାରୀ ପ୍ରଭାସ ସାହାଣୀଙ୍କ ମା’। ସେହିପରି ପ୍ରଭାସଙ୍କ ପତ୍ନୀ ସସ୍ମିତା ସାହାଣୀଙ୍କ ନାମରେ ସେହି ୩୧ତାରିଖରେ ୧୬ଟି ଭାଉଚରରେ ୪ଲକ୍ଷ ୭୨ହଜାର ଟଙ୍କା ଶ୍ରମିକ ମଜୁରି ବାବଦକୁ ପଇଠ କରାଯାଇଛି। ମାର୍ଚ୍ଚ ମାସରେ ପ୍ରଭାସଙ୍କ ମା ଓ ପତ୍ନୀଙ୍କ ନାମରେ ମୋଟ ୪୦ଟି ଭାଉଚରରେ ୮ଲକ୍ଷ ୪୯ହଜାର ୬୦୫ଟଙ୍କା ଶ୍ରମିକମାନ ମଜୁରି ବାବଦରେ ବିଲ୍ ହୋଇଥିବା ବେଳେ ଏ ସମ୍ପର୍କରେ ପ୍ରଭାସ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।

କେବଳ ବାସନ୍ତୀ ଓ ସସ୍ମିତା ନୁହନ୍ତି ଏହି ରେଞ୍ଜରେ ଶହ ଶହ ଜାଲ ଭାଉଚର କରାଯାଇ ସରକାରୀ ଅନୁଦାନ ହଡ଼ପ କରାଯାଇଛି। ଯାଜପୁର ବ୍ଲକ୍‌ ପାଟପୁର ଗ୍ରାମର ଶିବ ମାଝିଙ୍କ ନାମରେ ୨୭ଟି ଭାଉଚର ବାବଦରେ ୫ଲକ୍ଷ ୪୧ହଜାର ୫୭୫ଟଙ୍କା ମାର୍ଚ୍ଚ ୨୯ତାରିଖରେ ବିଲ୍ କରାଯାଇଛି। ଗତ ମାର୍ଚ୍ଚ ୩୧ତାରିଖରେ ସିଦ୍ଧିପୁର ଗ୍ରାମର ବୁଲୁ ମଲିକଙ୍କ ନାମରେ ୧୮ଟି ଭାଉଚରରେ ୫ଲକ୍ଷ ୧୮ହଜାର ୩୭୩ଟଙ୍କା, ଜଗତସିଂପୁର ଜିଲ୍ଲାର ରଇପୁର ଗ୍ରାମ ନିର୍ମଳ ଯେନାଙ୍କ ନାମରେ ୨୦ ଭାଉଚରରେ ୪ଲକ୍ଷ ୬୯ହଜାର ୫୦ଟଙ୍କା , ଜଗତସିଂପୁର ଜିଲ୍ଲାର ମଧୁବନ ଗ୍ରାମର ନିରାକାରା ଯେନାଙ୍କ ନାମରେ ୨୨ଟି ଭାଉଚରରେ ୩ଲକ୍ଷ ୪୧ହଜାର ୧୪୧ଟଙ୍କା ବିଲ୍ ହୋଇଛି। ନିର୍ମଳ ଓ ନିରାକାରାଙ୍କ ଗାଁ ଅଲଗା ହୋଇଥିବା ବେଳେ ଉଭୟଙ୍କର ବାପା ନିତ୍ୟାନନ୍ଦ ଯେନା ବୋଲି ଦର୍ଶାଯାଇଛି। ଯାଜପୁରର ଆମ୍ବସରା ଗ୍ରାମର ତନୋଜ ବରାଳଙ୍କ ନାମରେ ୧୬ଟି ଭାଉଚର ବାବଦରେ ୪ଲକ୍ଷ ୬୧ହଜାର ୬୩ଟଙ୍କା ଓ ଦେବବ୍ରତ୍ତ ବରାଳଙ୍କ ନାମରେ ୧୫ଟି ଭାଉଚର କରାଯାଇ ୪ଲକ୍ଷ ୩୬ହଜାର ୨୯୭ଟଙ୍କା ବିଲ୍ କରାଯାଇଛି। ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ଗତ ମାର୍ଚ୍ଚ ୨୯ ତାରିଖରେ ୪ଜଣଙ୍କ ନାମରେ ୫୫ଟି ଭାଉଚରରେ ୧୦ଲକ୍ଷ ୭୩ହଜାର ୯୯୧ଟଙ୍କା ବିଲ୍ ହୋଇଛି। ଏହାର ୨ଦିନ ପରେ ୧୫ଜଣଙ୍କ ନାମରେ ୨୪୯ ଭାଉଚରରେ ୫୩ଲକ୍ଷ ୬୩ହଜାର ଟଙ୍କା ବିଲ୍ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଶ୍ରମିକ ଯୋଗାଇଥିବା ବ୍ୟକ୍ତିଙ୍କର ଲାଇସେନ୍ସ ଅଛି ତ? ମାର୍ଚ୍ଚ ମାସ ୨୨ରୁ କରୋନା କଟକଣା ଆରମ୍ଭ ହୋଇଯାଇଥିବା ବେଳେ ଶ୍ରମିକମାନେ ଆସି ଏଠାରେ କାମ କଲେ କିପରି ? ଏହି ସମୟରେ ଶ୍ରମିକଙ୍କ ପାଉଣା ବାବଦକୁ ପ୍ରାୟ ୬୪ଲକ୍ଷ ଟଙ୍କା କିଭଳି ଖର୍ଚ୍ଚ ହେଲା ଇତ୍ୟାଦି ପ୍ରଶ୍ନ ଅଧିକାରୀଙ୍କୁ ହରଡ଼ଘଣାରେ ପକାଇଛି।

ସମ୍ବନ୍ଧିତ ଖବର