ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ ମହଙ୍ଗା ପଡ଼ିଲା: ସୁକିନ୍ଦା ତହସିଲଦାର ନିଲମ୍ବିତ

ଯାଜପୁର/ସୁକିନ୍ଦା/ଜଗତସିଂପୁର ଟାଉନ : କୋଭିଡ ଆଇନ୍ ଉଲ୍ଲଂଘନ କରି ବାହାଘର ଶୋଭାଯାତ୍ରାରେ ନାଗିନ ଡ୍ୟାନ୍ସ କରିଥିବା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ସରକାର ଶୁକ୍ରବାର ଦିନ ନିଲମ୍ବନ କରିଛନ୍ତି। ଭାଇ ବାହାଘର ପାଇଁ ବରଯାତ୍ରୀଙ୍କ ଗହଣରେ ଶ୍ରୀମତୀ ବେହେରାଙ୍କ ନୃତ୍ୟ ସୋସିଆଲ ମିଡ଼ିଆରେ‌ ବେଶ ଚର୍ଚ୍ଚା ହୋଇଥିଲା। ଆଇନ୍ ରକ୍ଷକ ହୋଇ ଆଇନ ଭଙ୍ଗ କରୁଥିବା ଅଭିଯୋଗରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ପ୍ରକାଶ ଥାଉକି ଗତ ମାସ ୨୧ ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗିନ ନୃତ୍ୟରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ୍ ଆଦାୟ କରୁଥିବା ତହସିଲଦାର ଶ୍ରୀମତୀ ବେହେରା ନିଜେ ବିନା ମାସ୍କରେ ଅନୁମତି ଠାରୁ ଢେର ଅଧିକ ସଂଖ୍ୟକ ବରଯାତ୍ରୀଙ୍କୁ ସାଥୀରେ ନେଇ ଗାଁ ଦାଣ୍ଡରେ ନାଚିବା ଘଟଣା ତାଙ୍କୁ ବିବାଦ ଘେରକୁ ଟାଣି ନେଇଥିଲା। ଯେଉଁ‌ଠି ସାଧାରଣ ଲୋକଙ୍କ ଭୋଜିଭାତକୁ ପ୍ରଶାସନ ଅଧିକାରୀ ମାନେ ଢାଳି ଦେଉଛନ୍ତି, ବରକୁ ଗିରଫ କରୁଛନ୍ତି ସେଠାରେ ନିଜେ ତହସିଲଦାର ବରଯାତ୍ରୀରେ ସାମିଲ ହୋଇ ସାମାଜିକ ଦୂରତାକୁ ଭୁଲିଯାଇଥିଲେ।

ଜଗତସିଂପୁର ପୁଲିସ ସେଦିନ ଘଟଣାସ୍ଥଳକୁ ଯାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ପରେ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ପୁଲିସ ବାଧ୍ୟ ହୋଇ ଶ୍ରୀମତୀ ବେହେରାଙ୍କ ନାମରେ ମାମଲା ରୁଜୁ କରିଥିଲା। ଶୁକ୍ରବାର ଦିନ ସରକାର ଶ୍ରୀମତୀ ବେହେରାଙ୍କୁ ନିିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ହୋଲି ସମୟରେ ପାଣିକୋଇଲି ଥାନା କାର୍ଯ୍ୟାଳୟରେ ପୁଲିସ ଡ୍ରେସରେ ଅଧିକାରୀ ଓ କର୍ମଚରୀ ନାଗିନ ନୃତ୍ୟ କରିବାରୁ ଜଣେ ଅଧିକାରୀ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର