ସୁକିନ୍ଦା: ସୁକିନ୍ଦାଗଡ଼ ପଞ୍ଚାୟତର ରାସ୍ତାଘାଟ ବୁଲା ଗାଈଗୋରୁଙ୍କ କବ୍ଜାରେ। ଫଳରେ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ପ୍ରଶାସନ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟାହେଲେ ସୁକିନ୍ଦାଗଡ଼ ପଞ୍ଚାୟତର ସମସ୍ତ ମୁଖ୍ୟରାସ୍ତା ଓ ଗ୍ରାମରାସ୍ତାରେ ଶହଶହ ବୁଲା ଗାଈଗୋରୁ ଓ ଷଣ୍ଢ ଆସ୍ଥାନ ଜମାଉଛନ୍ତି। ସେମାନଙ୍କ ଦ୍ବାରା ରାସ୍ତାଗୁଡ଼ିକ ଅବରୋଧ ହୋଇଯିବାରୁ ଲୋକଙ୍କ ଗମନାଗମନରେ ଅସୁବିଧା ସୃଷ୍ଟି ହେଉଛି।
ସେହିପରି ବୁଲା ଗାଈଗୋରୁ ଓ ଷଣ୍ଢ ଗୁଡ଼ିକ ପରସ୍ପର ମଧ୍ୟରେ ଲଢ଼େଇ ଲାଗିବାରୁ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବୁଲା ଗୋରୁଗାଈଙ୍କ ଉପଦ୍ରବରେ କିଛିଲୋକ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଲେଣି। ସୁକିନ୍ଦାଗଡ଼ ପଞ୍ଚାୟତରେ ବହୁବର୍ଷ ହେଲା କାଞ୍ଜିଆହୁଦା ନାହିଁ। ୧୯୯୯ ମହାବାତ୍ୟାରେ ସୁକିନ୍ଦାଗଡ଼ ପଞ୍ଚାୟତର କାଞ୍ଜିଆହୁଦା ଭାଙ୍ଗିଯାଇଛି। ପରେ ପଞ୍ଚାୟତ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ସୁକିନ୍ଦାଗଡ଼ ପଞ୍ଚାୟତର ପଡ଼ୋଶୀ ପଞ୍ଚାୟତ ଆମ୍ପୋଳବା, ଲେମ୍ବୋ, ସଁସାଇଲୋ, ବନ୍ଧଗଁ। ଇତ୍ୟାଦିରେ କାଞ୍ଜିଆହୁଦା ନାହିଁ। ସେହି ଅଞ୍ଚଳର ଲୋକମାନେ ମଧ୍ୟ ସୁକିନ୍ଦାଗଡ଼ ପଞ୍ଚାୟତ କାଞ୍ଜିଆହୁଦା ଉପରେ ନିର୍ଭର କରନ୍ତି। କାଞ୍ଜିଆହୁଦା ନଥିବାରୁ ବୁଲା ଗୋରୁଗାଈଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/14-4.jpg)