ରବି ନାରାୟଣ କର
କାଳିଆପାଣି: ସରକାରୀ ରେକର୍ଡରେ ରାଜସ୍ବ ଗ୍ରାମ। ହେଲେ ଏଠାରେ କେହି ଲୋକ ରହୁନାହାନ୍ତି କି ଘର ଖଣ୍ଡିଏ ନାହିଁ। ଜନଶୂନ୍ୟ ଗାଁଗୁଡ଼ିକର ଦାୟିତ୍ବରେ କିନ୍ତୁ ରାଜସ୍ବ ଓ କୃଷି ବିଭାଗର ଅଧିକାରୀ ଅଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅଧୀନରେ ଏଭଳି ୨୧ଟି ଜନଶୂନ୍ୟ ରାଜସ୍ବ ଗ୍ରାମ ରହିଛି। ସୁକିନ୍ଦା ତହସିଲର ୬ଟି ରାଜସ୍ବ ସର୍କଲ କାଙ୍କଡ଼ପାଳ, କାଳିଆପାଣି, ନିଜିଗଡ଼, ବନ୍ଧଗାଁ, ହରିପୁର ଓ ଅତ୍ତାରରେ ଜନବସତି ନଥିବା ୨୧ଟି ରାଜସ୍ବ ଗାଁ ରହିଛି। ଜନବସତି ଶୂନ୍ୟ ଗ୍ରାମଗୁଡ଼ିକ ମଧ୍ୟରେ କାଙ୍କଡ଼ପାଳ ପଞ୍ଚାୟତର ଚିରିଗୁଣିଆ, କୁହିକା ପଞ୍ଚାୟତର କରଗୋଳା, କାଳିଆପାଣି ପଞ୍ଚାୟତର ମୁଣ୍ଡିଆଉପର, ଚିଙ୍ଗୁଡ଼ିପାଳ ପଞ୍ଚାୟତର ରାହାଙ୍ଗୀ, ସୁକିନ୍ଦାଗଡ଼ ପଞ୍ଚାୟତର କମଳାଦେଇପୁର, ବନ୍ଧଗାଁ ପଞ୍ଚାୟତର ଉଦୟପୁର ଓ ପଡ଼ିଆପଶି, ହରିପୁର ପଞ୍ଚାୟତର ଜଗତପଦା, ଜାମୁନଣ୍ଡା ଓ ବାଲିପଶି-୨, ହାତୀବାରି ପଞ୍ଚାୟତର ଭରଡ଼ାପଶି, ବଡ଼ସିହାମାଳ ଓ ସାନସିହାମାଳ, ପିଙ୍ଗଲ ପଞ୍ଚାୟତର ବଡ଼କୁରାଡ଼ିଆ, ସାନକୁରାଡ଼ିଆ, ଦାମୋଦରପୁର ଓ ବିରିଟିକର, ବର୍ତ୍ତଣ୍ଡା ପଞ୍ଚାୟତର କାଠଖୁଣ୍ଟିଆ ଏବଂ ଅତ୍ତା ପଞ୍ଚାୟତର ବୁଆଳି, ନିଳାପୁର ଓ ଛତ୍ରକଣ ରହିଛି। ବର୍ଷବର୍ଷ ଧରି ଜନଶୂନ୍ୟ ଥିବା ଏସବୁ ରାଜସ୍ବ ଗ୍ରାମକୁ ‘ବେଛପରି’ ବୋଲି କୁହାଯାଉଛି।
ଘର ନାହିଁ କି ଲୋକ ନାହାନ୍ତି
ସରକାରୀ ରେକର୍ଡରେ ବର୍ଷବର୍ଷ ଧରି ଗାଁ ନାଁ ଗଡ଼ୁଛି
ବିଭାଗୀୟ ତଥ୍ୟ ଅନୁଯାୟୀ ୧୯୨୪ ମସିହା ବନ୍ଦୋବସ୍ତ ସମୟରୁ ନଗଡ଼ାକୁ ଅବିଭକ୍ତ କଟକ ଜିଲ୍ଲା ସୁକିନ୍ଦା ତହସିଲର ପ୍ରଥମ ରାଜସ୍ବ ଗ୍ରାମ ଭାବେ ଗଣାଯାଉଥିଲା। ପରେ ଏହା ଯାଜପୁର ଜିଲ୍ଲାର ପ୍ରଥମ ରାଜସ୍ବ ଗ୍ରାମ ହେଲା। ଦ୍ବିତୀୟ ରାଜସ୍ବ ଗ୍ରାମ ରାହାଙ୍ଗୀ ଓ ତୃତୀୟ ରାଜସ୍ବ ଗ୍ରାମ ଗୁହିଆଶାଳ। ସାତକୁଲିଆ ପାହାଡ଼ର ନଗଡ଼ା ଓ ଗୁହିଆଶାଳ ମଧ୍ୟବର୍ତ୍ତୀ ଅଞ୍ଚଳ ରାହାଙ୍ଗୀ ଗାଁରେ ପୂର୍ବରୁ ଜନବସତି ଥିଲା। ଦେହୁରୀ ସଂଜ୍ଞାଧାରୀ ଆଦିବାସୀ ଶବର ସମ୍ପ୍ରଦାୟର ଲୋକମାନେ ଏଠାରେ ବସବାସ କରୁଥିଲେ। ସ୍ବାଧୀନତା ପୂର୍ବରୁ ସେଠାରେ ମହାବଳ ବାଘର ଘନଘନ ଆକ୍ରମଣ ପାଇଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଦିନେ ଗାଁର ମୁଖିଆଙ୍କ ପତ୍ନୀଙ୍କୁ ବାଘ ମାରି ଦେଇଥିବା ଲୋକକଥାରୁ ଜଣାପଡ଼େ। ଏହାପରେ ରାହାଙ୍ଗୀବାସୀ ନଗଡ଼ା ସଂଲଗ୍ନ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ର ଏକୁଲ ଗାଁକୁ ଉଠି ପଳାଇ ଯାଇଥିଲେ। ଏବେ ବି ରାହାଙ୍ଗୀ ଗ୍ରାମବାସୀଙ୍କ ପରପିଢ଼ି ଏକୁଲରେ ବସବାସ କରୁଥିବା ଗାଁର ପୂଜକ ତ୍ରିନାଥ ଦେହୁରୀ କହନ୍ତି।
କାଳିଆପାଣି ପଞ୍ଚାୟତର ଘାଗିଆସାହି ଓ ଡମଶାଳ ନାଳ ମଧ୍ୟରେ ଚିରିଗୁଣିଆ ମାଝିସାହି ବସ୍ତି, ଥାନା ପାଖରେ ଚିରିଗୁଣିଆ ମୁଣ୍ଡାସାହି ବସ୍ତି ଓ ଓଏମ୍ସି ଚିରିଗୁଣିଆ ପ୍ରସ୍ପେକ୍ଟିଂ କ୍ୟାମ୍ପ୍ କଲୋନି ଥିଲେ ହେଁ ଜନବସତି ଥିବା ଏହି ୩ ଅଞ୍ଚଳ ଏଯାଏ ରାଜସ୍ବ ଗ୍ରାମର ମାନ୍ୟତା ପାଇନାହିଁ। ଏହି ଚିରିଗୁଣିଆ ନାଁରେ କାଙ୍କଡ଼ପାଳ ପଞ୍ଚାୟତ ଶିରିଆଖଳି ଓ ଗରାମିଆଁ ମଧ୍ୟବର୍ତ୍ତୀ ଅଞ୍ଚଳ ଚିରିଗୁଣିଆ ରାଜସ୍ବ ମୌଜା ଭାବେ ଚିହ୍ନଟ ହୋଇଛି। ପୂର୍ବରୁ ତହସିଲ ନଥିପତ୍ରରେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ସତ୍ତ୍ବେ ଏବେ ଜନଶୂନ୍ୟ ରହିଛି। ସୁକିନ୍ଦାଗଡ଼ର ରାଜା ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ରଙ୍କୁ ପଚାରିବାରେ ଅତୀତରେ ରାଜାମାନେ କର ଆଦାୟକୁ ନେଇ ରାଜସ୍ବ ମୌଜା ଘୋଷଣା କରୁଥିଲେ। କିନ୍ତୁ ୧୯୫୨ ମସିହାରେ ସରକାର ରାଜାଙ୍କଠାରୁ ସବୁ କ୍ଷମତା କାଢ଼ି ନେବା ପରେ ଏହାର ଦାୟିତ୍ବ ପ୍ରଶାସନ ଉପରେ ନ୍ୟସ୍ତ ରହିଥିବା କହନ୍ତି। ଏ ସମ୍ପର୍କରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଏସବୁ ମୌଜା ‘ବେଛପରି’ ରହିଥିବା କହନ୍ତି।