ପ୍ରଶାନ୍ତ ମିଶ୍ର
Sambad is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗୀର: ନିମ୍ନ ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲିବାସୀ ନିଜ ଗାଁ ଭିଟାମାଟିକୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛନ୍ତି। ପ୍ରକଳ୍ପ ଦ୍ବାରା ଗ୍ରାମର ୭୫୦ ପରିବାରକୁ ଝାଙ୍କରପାଲି ଥଇଥାନ ଓ ପୁନର୍ବାସ କଲୋନିରେ ରଖାଯାଇଛି। ଏଠାରେ ବ୍ୟାପକ ଅବ୍ୟବସ୍ଥାରେ ରହୁଥିବା ବିସ୍ଥାପିତ ଗାଁ ମାଟିକୁ ପ୍ରତି ମୁହୂର୍ତ୍ତରେ ଝୁରି ହେଉଛନ୍ତି।
ବିସ୍ଥାପନ କଲୋନିରେ ରହୁଥିବା ୭୫ ବର୍ଷୀୟ ଶଶିଭୂଷଣ ଗଡ଼ତିଆ ଓ ତାଙ୍କ ପତ୍ନୀ ୭୦ ବର୍ଷୀୟା କୋଇଲି ଗଡ଼ତିଆ କୋହଭରା କଣ୍ଠରେ କହିଥିଲେ, ସେମାନେ ଗାଁ-ମାଟି ଛାଡ଼ି ଆସିବା ପରେ ଆଦୌ ଶାନ୍ତିରେ ରହିପାରୁ ନାହାନ୍ତି। ଏହି ବିସ୍ଥାପନ କଲୋନିକୁ ଆସି ରହିବା ପରେ ସେମାନେ ୪-୫ ଦିନ ଶୋଇନଥିଲେ। ଖାଇବାକୁ ମଧ୍ୟ ଏମାନଙ୍କୁ ଇଚ୍ଛା ହୋଇନଥିଲା। କାନ୍ଦ କାନ୍ଦ ହୋଇ କୋଇଲି କହିଥିଲେ ଯେ, ଆଖି ବନ୍ଦକଲେ ତାଙ୍କୁ ତାଙ୍କର ଭିଟାମାଟିରେ ଥିବା ଘର, ବାଡ଼ି ବଗିଚା, ଗାଁ ଦାଣ୍ଡ, ଶାଗ କିଆରି ସବୁ କିଛି ଜଳ ଜଳ ହୋଇ ଦେଖାଯାଉଥିବା ବେଳେ ଆଖିରୁ ଲୁହଧାର ବିରାମ ନେଉନାହିଁ। ଶଶିଭୂଷଣ କହିଥିଲେ ଯେ, ଗାଁ ନଦୀରେ ପିଲାଟି ଦିନରୁ ସେ ଗାଧୋଇ ଆସୁଥିଲେ। କୂଅ କିମ୍ବା ଘରେ ଗାଧୋଇବା ତାଙ୍କର ଅଭ୍ୟାସ ନାହିଁ। ଜମିରେ ହେଉଥିବା ଧାନ, ଡାଲି, ପନିପରିବା ସବୁକିଛି ତାଙ୍କୁ ମିଳି ଯାଉଥିଲା। ଟୋଲ ସଂଗ୍ରହ କରି ସେଥିରୁ ପ୍ରଚୁର ପରିମାଣରେ ତେଲ ମିଳୁଥିଲା। ଖାଇବା ପାଇଁ ମୁଢ଼ି ମଧ୍ୟ ଘରେ ଭାଜୁଥିଲେ। ପ୍ରାୟ ଖାଇବା ସାମଗ୍ରୀ ଗାଁରୁ ମିଳି ଯାଉଥିଲା। କେବଳ ଲୁଣ ଓ ଚିନି ଟିକେ କିଣିବାକୁ ପଡ଼ୁଥିଲା ବୋଲି ସେ କହନ୍ତି। ସରକାର ବିସ୍ଥାପନ ପାଇଁ ଯାହା କ୍ଷତିପୂରଣ ଦେଲେ ମଧ୍ୟ ତାଙ୍କର ଜୀବନଧାରଣ ସ୍ଥିତିକୁ ଏହା ବଦଳାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରତି ବିସ୍ଥାପିତଙ୍କ ମୁହଁରେ ଏଭଳି ଯନ୍ତ୍ରଣାଦାୟକ କାହାଣୀ ରହିଛି। ବିସ୍ଥାପିତ ହୋଇଥିବା ବନଲତା ଗଡ଼ତିଆ, ବନଲତା ସାହୁ, ପ୍ରମୋଦିନୀ ସାହୁ ଜୀବନର ଶେଷ ସୋପାନରେ ସେମାନେ ଯେଉଁ ଯନ୍ତ୍ରଣା ପାଉଛନ୍ତି ତାହା ଭଗବାନ ଆଉ କାହାକୁ ନଦିଅନ୍ତୁ ବୋଲି କହିଛନ୍ତି।