ସୁକତେଲ ସେତୁ ଭୁଶୁଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା

ପାଟଣାଗଡ଼/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ସେତୁ ନିର୍ମାଣକାରୀ ଠିକା ସଂସ୍ଥା ରାମକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡକୁ ରାଜ୍ୟ ସରକାର କଳା ତାଲିକାଭୁକ୍ତ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୯୮୩୪/ତା.୧୪.୫.୨୦୨୦ରେ ଏହା ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୯ ତାରିଖ ଏହି ସେତୁ ଭୁଶୁଡ଼ିଯାଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଗତ ମାର୍ଚ୍ଚ ମାସରୁ ସେତୁର ନିମ୍ନମାନର କାମ ନେଇ ଖବର ପ୍ରକାଶ କରିଆସୁଥିଲା ‘ସମ୍ବାଦ। ଠିକା ସଂସ୍ଥା ଓ ସରକାରୀ ଯନ୍ତ୍ରୀ- ଅଧିକାରୀଙ୍କ ମଧୁଚନ୍ଦ୍ରିକା ନେଇ ଖବର ପ୍ରକାଶିତ ହୋଇଆସୁଥିଲା। କିପରି ବାରବାର ଠିକାଦାରଙ୍କଠାରୁ ଅନୁକମ୍ପା ନେଇଥିଲେ ବିଭାଗୀୟ ବାବୁ ତଥ୍ୟ ପ୍ରମାଣ ସହ ଖବର ପ୍ରକାଶିତ ହୋଇଥିଲା। ଏହାପରେ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏବେ ସଂପୃକ୍ତ ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିଛନ୍ତି। ହେଲେ ସେତୁ ନିର୍ମାଣର ପ୍ରତ୍ୟକ୍ଷ ଦାୟିତ୍ୱରେ ଥିବା ତତ୍‌କାଳୀନ କିଛି ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେତୁ ଭୁଶୁଡ଼ିବା ଘଟଣାରେ ଠିକା ସଂସ୍ଥା ଯେତିକି ଦାୟୀ, ଦାୟିତ୍ୱରେ ଥିବା ବିଭାଗୀୟ ବାବୁମାନେ ବି ସେତିକି ଦାୟୀ। ଏଣୁ ବିଭାଗୀୟ ବାବୁଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର