ସୁଲତାଙ୍କ ଯାତ୍ରା : ସରପଞ୍ଚରୁ ରାଜ୍ୟସଭା

ତିନି ସୁ-ନାରୀନେତ୍ରୀ ଙ୍କ ପାଇଁ ବରୀ ରାଜନୀତିରେ ଚର୍ଚ୍ଚା

ଯାଜପୁର/ବରୀ/ବ୍ରହ୍ମବରଦା : ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ଭୂମିକା ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛି। ୪ଟି ରାଜ୍ୟସଭା ପଦବି ପାଇଁ ବିଜେଡି ଘୋଷଣା କରିଥିବା ନାମଗୁଡ଼ିକ ମଧ୍ୟରେ ବରୀ ଅଞ୍ଚଳର ନାରୀନେତ୍ରୀ ସୁଲତା ଦେଓ ଅଛନ୍ତି। ଯାହାଫଳରେ ରାଜ୍ୟ ରାଜନୀତିରେ ଯାଜପୁର ନେତାଙ୍କ ପ୍ରଭାବ ଆଉ ଏକପାଦ ଆଗକୁ ବଢ଼ିଛି। ବରୀ ଅଞ୍ଚଳର ସୁଲୋଚନା ଦାସ ଗତ ପୌର ନିର୍ବାଚନରେ ଭୁବନେଶ୍ବର ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

୨୦୦୨ ମସିହାରେ ସୁ‌ଲତା ଦେଓ ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଶ୍ରୀମତୀ ଦେଓ ଆଉ ପଛକୁ ଫେରିନାହାନ୍ତି। ୨୦୦୭ରେ ଜିଲ୍ଲାପରିଷଦ ଜୋନ (୩୬)ରୁ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ଜିଲ୍ଲାପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଦାୟିତ୍ବରେ ରହିଲେ। ୨୦୧୨ ମସିହାରେ ବରୀ ବିଧାୟକ ଦେବାଶିଷ ନାୟକ ଦଳରୁ ନିଲମ୍ବିତ ହେବା ପରେ ୨୦୧୩ ପର୍ଯ୍ୟନ୍ତ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ବ ତୁଲାଇଥିଲେ। ଶ୍ରୀମତୀ ‌ଦେଓ ୨୦୧୨ ମସିହା ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ସହିତ ଦଳୀୟ ଟିକେଟ୍ ମଧ୍ୟ ବାଣ୍ଟିଥିଲେ। ୨୦୧୬-୨୦୧୮ ବିଜେଡି ପ୍ୟାନେଲିଷ୍ଟ ଥିଲେ। ୨୦୧୮ ମସିହାରୁ ବିଜେଡି ମୁଖପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳର ସଂପାଦିକା ଥିଲେ। ୨୦୨୦ ମସିହାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହିତ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ତଥା ମୁଖପାତ୍ର ଅଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ବରୀର ବିଧାୟିକା ଅଛନ୍ତି ସୁନନ୍ଦା ଦାସ। ଏବେ ତିନି ସୁ-ନାରୀନେତ୍ରୀ ସୁନନ୍ଦା, ସୁଲୋଚନା ଓ ସୁଲତାଙ୍କ ପାଇଁ ବରୀ ରାଜନୀତି ଚର୍ଚ୍ଚାରେ।

ସମ୍ବନ୍ଧିତ ଖବର