ସଲ୍‌ଫ୍ୟୁରିକ୍‌ ଏସିଡ୍‌ ପାଇପ୍‌ରେ ବିସ୍ଫୋରଣ: ୨ ଇଂଜିନିୟରଙ୍କ ସମେତ ୬ ଗୁରୁତ

ବଡ଼ ବିପତ୍ତିରୁ ବର୍ତ୍ତିଗଲା ଗଞ୍ଜାମ ସହର

ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ଗ୍ରାସିମ୍‌ କେମିକାଲ୍‌ ଇଣ୍ଡଷ୍ଟ୍ରିଜ୍‌ରେ ଆଜି ସକାଳେ ସଲ୍‌ଫ୍ୟୁରିକ୍‌ ଏସିଡ୍‌ ପାଇପ ଲାଇନ୍‌ ବିସ୍ଫୋରଣ ଘଟି ଦୁଇଜଣ ଇଞ୍ଜିନିୟରଙ୍କ ସମେତ ଛଅଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପ୍ରଡକ୍‌ସନ ଇଞ୍ଜିନିୟର ଶଶିକାନ୍ତ ମହାରଣା, ଇନଷ୍ଟ୍ରୁମେଣ୍ଟ୍‌ ଇଞ୍ଜିନିୟର କେଶବ ସାହୁ, ସୁପରଭାଇଜର ରାହୁଲ ଯାଦବ, ଲକ୍ଷ୍ମୀଧର ନାୟକ, ଜି. ଅଶୋକକାନା ଓ ଜଗଦୀଶ ରେଡ୍ଡୀ। ଏତେ ବଡ଼ ଦୁର୍ଘଟଣାରୁ କାରଖାନାରେ କାର୍ଯ୍ୟରତ ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ୪୫ମିନିଟରେ କାରଖାନାରେ ଥିବା ସଲଫ୍ୟୁରିକ୍‌ ଏସିଡ୍‌ ଟ୍ୟାଙ୍କ୍‌ ସହ ସଂଯୋଗ ପାଇପ୍‌ଲାଇନ୍‌କୁ ଏକ ବୈଷୟିକ ଟିମ୍‌ ସଜାଡ଼ୁଥିବା ବେଳେ ୧୫ରୁ ୨୦ ଫୁଟ ଦୈର୍ଘ୍ୟ ବିଶିଷ୍ଟ ପାଇପ୍‌ଲାଇନ୍‌ ହଠାତ୍‌ ଫାଟିଯାଇ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ କାର୍ଯ୍ୟରତ ଦୁଇ ଇଞ୍ଜିନିୟର୍‌ଙ୍କ ସମେତ ସୁପରଭାଇଜର ଓ କର୍ମଚାରୀ ବିଷାକ୍ତ ଏସିଡ୍‌ ପ୍ରଭାବରେ ଆସି ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ତୁରନ୍ତ ଆହତଙ୍କୁ କାରଖାନାର ନିଜସ୍ୱ ଆମ୍ବୁଲାନ୍ସରେ ଚିକିତ୍ସା ପାଇ ପ୍ରଥମେ ବ୍ରହ୍ମପୁର ନିଆଯାଇଥିଲା। ହେଲେ ସୁପରଭାଇଜର୍‌ ରାହୁଲ ଓ ଇଞ୍ଜିନିୟର କେଶବଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁରରୁ ତୁରନ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅନ୍ୟ ଆହତଙ୍କୁ ମଧ୍ୟ ଅଧିକ ଚିକିତ୍ସା ପାଇଁ ଏକା ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆ ଯାଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ବିସ୍ଫୋରଣରେ ସଲ୍‌ଫ୍ୟୁରିକ ଏସିଡ୍‌ ପ୍ଲାଣ୍ଟରୁ ମାତ୍ର ୨୦ମିଟର ଦୂରରେ ଥିବା କ୍ଲୋରିନ୍‌ ଓ ଏଚସିଏଲ୍‌ ପ୍ଲାଣ୍ଟର କୌଣସି କ୍ଷୟକ୍ଷତି ହୋଇନଥିବା କାରଖାନାର ବରିଷ୍ଠ ଇଞ୍ଜିନିୟର ସୂଚନା ଦେଇଛନ୍ତି। ବିସ୍ଫୋରଣ ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଯଦି ଏହାଦ୍ବାରା କ୍ଲୋରିନ୍‌ ଓ ଏଚ୍‌ସିଏଲ୍‌ ପ୍ଲାଣ୍ଟ ପ୍ରଭାବିତ ହୋଇଥାନ୍ତା, ତେବେ କାରଖାନାରେ ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଗଞ୍ଜାମ ସହରବାସୀଙ୍କ ପ୍ରତି ଭୋପାଳ ଗ୍ୟାସ୍‌ ଟ୍ରାଜେଡ଼ି ଭଳି ବଡ଼ ବିପତ୍ତି ଉପୁଜିଥାନ୍ତା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଦୁର୍ଘଟଣା ପରେ କାର୍ଯ୍ୟରତ ଶ୍ରମିକ କାରଖାନା ବାହାରକୁ ଆସି ପ୍ରତିବାଦ କରିଥିଲେ। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଆଗକୁ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନଘଟେ ସେଥିପ୍ରତି କଡ଼ା ନଜର ରଖିଛନ୍ତି। ଗ୍ରାସିମ ଇଣ୍ଡଷ୍ଟ୍ରିଜ୍‌ରେ ବାରମ୍ବାର ଏହିଭଳି ଅଘଟଣ ଘଟୁଥିବାରୁ ଶ୍ରମିକ ଓ କର୍ମଚାରୀ ମହଲରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର