ପୁଣି ରକ୍ତରେ ଭିଜିଲା ଶୁଲିଆ ପୀଠ

ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ପଡ଼ିଲା ବଳି

ବଲାଙ୍ଗୀର/ଦେଓଗାଁ : ମଙ୍ଗଳବାର ପ୍ରସିଦ୍ଧ ଶୁଲିଆ ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ପୁଲିସ ଓ ପ୍ରଶାସନର ଉପସ୍ଥିତିରେ ବଳି ପଡ଼ିଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ, କଳାହାଣ୍ତି, ବରଗଡ଼, ନୂଆପଡ଼ା ଆଦି ଜିଲ୍ଲା ସମେତ ରାଜ୍ୟ ବାହାରରୁ ଛତିଶଗଡ଼ର ଲୋକମାନେ ମାନସିକ ବୋଦା ନେଇ ଏଠାରେ ବଳି ଚଢାଇଛନ୍ତି।

ଶୁଲିଆ ଯାତ୍ରା ପାଇଁ ପରଂପରା ଅନୁସାରେ ସୋମବାର ରାତିରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ରୀତିନୀତି ଅନୁସାରେ ସୋମବାର ରାତି ଶୁଲିଆ ଗୁଡ଼ି (ଗମ୍ଭୀରା)ରେ ନିଶି ପୂଜା ହୋଇଥିଲା। ଆଜି ପୌଷ ମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଭୋରରୁ ମୁଖ୍ୟ ଦେହେରୀ ତଥା ମୁଖ୍ୟ ପୂଜକ ସୋମନାଥ ଦେହେରୀ ଓ ହରିହର ଝାଙ୍କର ଶୁଲିଆ ପୀଠକୁ ପହଞ୍ଚିଥିଲେ। ସକାଳ ୯ଟାରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବାଜା ନେଇ ପାଟ ବୁକା ଧରି ଶୋଭାଯାତ୍ରାରେ ଖଇରଗୁଡା ଗାଁ ଠାରୁ ମୁଖ୍ୟଖଳାକୁ ବାହାରିଥିଲେ। ସେହିପରି କୁମରିଆଠାରୁ ପାଟବୁକା ଧରି ଶୋଭାଯାତ୍ରା ସାନଖଳାରେ ପହଞ୍ଚିଥିଲା। ଆଦିବାସୀମାନେ ରାସ୍ତାରେ ବାଜା ବଜାଇ ନାଚି ନାଚି ମୁଖ୍ୟଖଳାରେ ପହଞ୍ଚିଥିଲେ। ସେଠାରେ ପୂଜାପାଠ ପରେ ପ୍ରଥମେ ପାଟବୁକାକୁ ବଳି ଚଢ଼ା ଯାଇଥିଲା।

ତା’ପରେ ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀମାନେ ଆଣିଥିବା ବୋଦାକୁ ବଳି ଚଢାଇ ଥିଲେ। ବଡ଼ଖଳାରେ ସୋମନାଥ ଦେହେରିଆ ଓ କୁମୁରିଆ ସାନଖଳାରେ ହରିହର ଝାଙ୍କର ମୁଖ୍ୟ ପୂଜକ ଭାବରେ ରହି ବଳି ଦେଇଥିଲେ।

କମିଟିର ସାଧାରଣ ସଂପାଦକ ମୟ ପ୍ରଧାନୀ କହିଛନ୍ତି, ୨୦୧୫ରେ ସୁପ୍ରିମକୋର୍ଟ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଥିଲେ। ସେହିଦିନ ଠାରୁ ଯାତ୍ରା ସୁରୁଖୁରୁରେ ଚାଲୁ ରହିଛି। ବହୁ ସ୍ଥାନରୁ ମାନସିକଧାରୀମାନେ ଆସି ବଳି ଚଢାଉଛନ୍ତି। ଶୁଲିଆ ପୀଠର ବର୍ତ୍ତମାନ କିଭଳି ବିକାଶ ହେବ ସେ ନେଇ କମିଟି ଉଦ୍ୟମ ଚଲାଇଛି ବୋଲି କହିଛନ୍ତି।
ବିଧାନସଭାରେ ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓ ପ୍ରମୁଖ ଶୁଲିଆ ଯାତ୍ରା ସ୍ଥଳକୁ ଯାଇ ମିଳିତ ଶୁଲିଆ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଶୁଲିଆ ପୀଠର ବିକାଶ ପାଇଁ ନେତାଗଣ କମିଟି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ମାଜିଷ୍ଟ୍ରେଟଙ୍କ ସହ ୩ ପୁଲିସ ଇନସପେକ୍ଟର, ୫ ଏସ୍‌ଆଇ, ୧୨ ଏଏସ୍‌ଆଇ ଓ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର