ଭୁବନେଶ୍ବର ମହାନଗର ନିଗମ ପାଇଁ ସୁଲୋଚନା ଦାସ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ବର: ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି। ସୁଲୋଚନା ଦାସ ଭୁବନେଶ୍ବର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ସୁଲୋଚନା ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତେବେ ବିଜୁ ଜନତା ଦଳ ତାଙ୍କ ଉପରେ ଭରସା କରିଛି।

କଂଗ୍ରେସ ଦଳରେ ଥିବା ସମୟରେ ସେ ଦଳର ମୁଖପାତ୍ର ଭାବେ ନିଯୁକ୍ତ ହୋଇଥିଲେ। ପରେ ସାଧାରଣ ସମ୍ପାଦିକା ମଧ୍ୟ ଥିଲେ। ୨୦୧୭ରେ ସୁଲୋଚନା ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳର ମୁଖପାତ୍ର ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା ତାଙ୍କୁ।

ମେୟର ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା ଦାସ । ସମସ୍ତ ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବୋଲି ସେ କହିଛନ୍ତି । ଏହାସହ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞ ଏବଂ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ବିଜେଡି ଭୁବନେଶ୍ବର ମେୟର ପ୍ରାର୍ଥୀନି ସୁଲୋଚନା ଦାସ ।

ରାଜନୀତିକୁ ଆସିବା ପୂର୍ବରୁ ସୁଲୋଚନା ଦାସ ସାମ୍ବାଦିକତା କରୁଥିଲେ। ବିଭିନ୍ନ ଓଡ଼ିଆ ଟିଭି ଚାନେଲ ସହ ସେ ସଂପୃକ୍ତ ଥିଲେ ଏବଂ ଏକ ଇଂରାଜୀପୋର୍ଟାଲ୍ ମଧ୍ୟ ପରିଚାଳନା କରୁଥିଲେ।

ଏଣେ ବିଏମସିର ମେୟର ପ୍ରାର୍ଥୀଙ୍କୁ ନେଇ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ କଂଗ୍ରେସ ଗତକାଲି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ। ବିଧାୟକ ସୁରେଶ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଥିଲେ। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଛି। ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶା ନୃତ୍ୟଶିଳ୍ପୀ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଏବେ ଅପେକ୍ଷା ବିଜେପି କାହାକୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରୁଛି।

ସମ୍ବନ୍ଧିତ ଖବର