ଭୁବନେଶ୍ବର : ରାଜ୍ୟସଭା ପାଇଁ ସବୁ କଳ୍ପନାଜଳ୍ପନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୪ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ୍ ପାତ୍ର ଏବଂ ନିରଞ୍ଜନ ବିଶି। ସସ୍ମିତ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଯିବେ। ପ୍ରଥମ ତିନି ଜଣଙ୍କ ନାମ ଉଣା ଅଧିକେ ଚର୍ଚ୍ଚା ହେଉଥିଲା ବେଳେ ଆଦୌ ଆଲୋଚନା ପରିସରରେ ନ ଥିବା ପଶ୍ଚିମ ଓଡ଼ିଶାର ଆଦିବାସୀ ‌ନେତା ନିରଞ୍ଜନ ବିଶିଙ୍କ ନାମ ଘୋଷଣା କରି ନବୀନ ରାଜନୈତିକ ମହଲକୁ ଚକିତ କରିଦେଇଛନ୍ତି।

Advertisment

ରବିବାର ଦିନ ନାମ ଘୋଷଣା ହେବା ପରେ ଚାରି ଜଣ ଅପରାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ଦିନ ପୂର୍ବାହ୍ନରେ ସେମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ପ୍ରାର୍ଥୀମାନେ ଜିତିବାରେ କୌଣସି ସମସ୍ୟା ନାହିଁ। ଯେହେତୁ ବିରୋଧୀ ଦଳ ପ୍ରାର୍ଥୀ ଦେବାକୁ ଘୋଷଣା କରି ନାହାନ୍ତି, ତେଣୁ ନିର୍ଦ୍ବନ୍ଦ୍ବରେ ଏହି ଚାରି ଜଣ ନିର୍ବାଚିତ ହେବା ସ୍ପଷ୍ଟ। ସୁଲତା, ମାନସ ଓ ସସ୍ମିତ ୬ ବର୍ଷ ପାଇଁ ରାଜ୍ୟସଭାରେ ପ୍ରତିନିଧିତ୍ବ କରିବେ। ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ନିରଞ୍ଜନ ପ୍ରାର୍ଥୀ ହେବେ। ତେଣୁ ସେ ‌ସେହି ଆସନରେ ଅବଶିଷ୍ଟ ୪ ବର୍ଷ ପାଇଁ ପ୍ରତିନିଧିତ୍ବ କରିବେ।

publive-image Facebook

ସୁଲତା ଦେଓ ଏବେ ବିଜେଡିର ମୁଖପାତ୍ର ସହ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟରତ। ପୂର୍ବରୁ ସେ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇଛନ୍ତି। ବିଜେଡିର ଜଣେ ଆଗ ଧାଡ଼ିର ନାରୀନେତ୍ରୀ ଭାବେ ସୁଲତା ଜଣାଶୁଣା।

publive-image Odisha News In English

ବିଜେଡିର ଅନ୍ୟତମ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରା‌ଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି। ଏହା ସହ ଦଳର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସାମ୍ବାଦିକତାରୁ କ୍ୟାରିୟର୍‌ ଆରମ୍ଭ କରିଥିବା ମାନସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ସାମିଲ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ ବିଜେଡିରେ ସାମିଲ ହୋଇ ଗଣମାଧ୍ୟମ ଉପଦେଷ୍ଟା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିଲେ।

publive-image Sambad English

ସସ୍ମିତ ପାତ୍ର ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ୨୦୧୯ ଜୁନ୍ ମାସରେ ରାଜ୍ୟସଭା ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟସଭା ଯାଇଥିଲେ। ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ତାଙ୍କ କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ବିଜେଡି ସଭାପତି ତାଙ୍କୁ ଲଗାତାର ଦ୍ବିତୀୟ ଥର ପାଇଁ ମନୋନୀତ କରିଥିବା କୁହାଯାଉଛି। ବିଜେଡିରେ ତୃତୀୟ ବ୍ୟକ୍ତି ଭାବେ ସସ୍ମିତ ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବେ। ପୂର୍ବରୁ ବୈଜୟନ୍ତ ପଣ୍ଡା ଓ ପ୍ୟାରୀମୋହନ ମହାପାତ୍ର ଦୁଇ ଥର ଲେଖାଏ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

publive-image

ପଶ୍ଚିମ ଓଡ଼ିଶାର ଆଦିବାସୀ ସଂଗଠକ ନିରଞ୍ଜନ ବିଶିଙ୍କ ନାମ ଘୋଷଣା ରାଜନୈତିକ ମହଲକୁ ଆଚମ୍ବିତ କରିଛି। ତାଙ୍କ ନାମ ଆଦୌ ଚର୍ଚ୍ଚାରେ ନ ଥିଲା। ଦଳର ଆଗଧାଡ଼ିର ନେତାମାନେ ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲେ। ବିଭିନ୍ନ ସମୟରେ ସେ ଶାସକ ବିଜେଡି ବିରୋଧରେ ଆନ୍ଦୋଳନ କରିଥିବାର ନଜିର ରହିଛି। ଚଳିତ ସପ୍ତାହରେ ସେ ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ ରାଜ୍ୟସଭା ପାଇଁ ତାଙ୍କୁ ମନୋନୀତ କରାଯିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ।

ସୂଚନାଯୋଗ୍ୟ ଯେ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ତିନିଟି ଆସନ ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଚତୁର୍ଥ ଆସନ ଲାଗି ଆସନ୍ତା ୧୩ ତାରିଖରେ ଉପନିର୍ବାଚନ ଲାଗି ଦିନ ଧାର୍ଯ୍ୟ ହୋଇଛି।