ଯାଞ୍ଚ୍‌ ବେଳେ ଦଳୀୟ ଟିକେଟ୍ ଦେଖାଇ ପାରିଲେନି ସୁଲୁ, ସ୍ୱାଧୀନ ଲଢ଼ିବେ!

ଛତ୍ରପୁର: ଦିନକ ଆଗରୁ ବିଜେଡି ପକ୍ଷରୁ ଖଲ୍ଲିକୋଟ ବିଧାୟିକାଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କଲେ। ତାପରଦିନ ବିଜେଡି ସୁପ୍ରିମୋଙ୍କ ଚିଠି ପହଞ୍ଚିଲା, ସେହି ଜୋନ୍‌ରେ ଦଳୀୟ ପ୍ରାର୍ଥୀ ଭା‌ବେ ବିଦାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଟିକେଟ୍‌ ଦିଆଗଲା ଓ ଶେଷ ଦିନରେ ସେ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କଲେ। ଶନିବାର ଦିନ ନାମାଙ୍କନ ଯାଞ୍ଚ୍‌ ଥିଲା। ଏହି କ୍ରମରେ ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନାମାଙ୍କନ ଯାଞ୍ଚ୍‌ ସରିଛି। କିନ୍ତୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପଦ ପାଇଁ ବିଜେଡିରୁ ପ୍ରଥମେ ନାମାଙ୍କନ ଦାଖଲ କରିଥିବା ୧୦ରୁ ଅଧିକ ଫୌଜଦାରୀ ମାମଲାରେ ଜଡ଼ିତ ସୁଲୁ ସ୍ବାଇଁ ଦଳୀୟ ଟିକେଟ୍ ଦେଖାଇ ପାରିନାହାନ୍ତି। ଫଳରେ ତାଙ୍କ ନାମାଙ୍କନ ସ୍ବାଧୀନ ପ୍ରାର୍ଥୀ ଭାବେ କାଏମ୍‌ ରହିଥିବା ନେଇ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ସୂଚନା ଦେଇଛନ୍ତି।

ସୁଲୁ ଗତ ୧୯ ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ଏହି ଜୋନ୍ ପାଇଁ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ତାଙ୍କ ନାଁରେ ୧୧ଟି ଫୌଜଦାରୀ ମାମଲା ଅଦାଲତରେ ବିଚାରାଧୀନ ଥାଇ ମଧ୍ୟ ତାଙ୍କୁ ଦଳୀୟ ପ୍ରାର୍ଥୀ କରା ଯାଇଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତକାଲି ତାଙ୍କ ଟିକେଟ୍‌ ନାକଚ କରିଥିଲେ। ଆଉ ଦଳୀୟ ପ୍ରାର୍ଥିନୀ ଭାବେ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍‌ ପଲାଇଙ୍କୁ ସୁଯୋଗ ଦିଆ ଯାଇଥିଲା। ସୋନମ୍ ଗତକାଲି ଶେଷ ଦିନରେ ଦଳୀୟ ଟିକେଟ୍‌ ସହ ନାମାଙ୍କନ ଦାଖଲ କରିଥିଲେ। ଆଜି ଯାଞ୍ଚ୍‌ ବେଳ‌େ ସୁଲୁ ଦଳୀୟ ଟିକେଟ୍ ଦେଖାଇ ନପାରିବାରୁ ତାଙ୍କ ପ୍ରାର୍ଥିତ୍ବ ୧୧ ନମ୍ବର ଜୋନ୍ ପାଇଁ ସ୍ବାଧୀନ ଭାବରେ କାଏମ୍‌ ରହିଛି। ହେଲେ ସୁଲୁ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ରହିବେ ନା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ, ଏହାକୁ ‌ନେଇ ସସ୍‌ପେନ୍ସ୍ ଲାଗି ରହିଛି। ଆସନ୍ତା ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏଭଳି ଏକାଧିକ ଅପରାଧ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିଷୟରେ ତନାଘନା ନ କରି ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ କିଭଳି ଚୟନ କରିଥିଲେ, ଏହାକୁ ନେଇ ଦଳୀୟ ଶିବିରରେ ବିତର୍କ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର