ଭୁବନେଶ୍ବର: କଟକ-ଭୁବନେଶ୍ବର ମଝିରେ ଫୁଲନଖରା ଛକରେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ର ନୂଆ କ୍ୟାମ୍ପସ୍ ଖୋଲିଛି। ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଛନ୍ତି। ଦ୍ବୈତନଗରୀ ସହ ସାରା ରାଜ୍ୟର ସ୍ବାସ୍ଥ୍ୟସେବାର ଭିତ୍ତିଭୂମିକୁ ସଶକ୍ତ କରିବାରେ ଏହା ବଡ଼ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ୭୫୦ ଶଯ୍ୟାରୁ ଆରମ୍ଭ ହେବାକୁ ଥିବା ଏହି ନୂଆ ହସ୍ପିଟାଲ୍ରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ଉଚ୍ଚମାନର ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ଯନ୍ତ୍ରପାତି ରହିଛି। ଦୁଇ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଏଥିରେ ୩ ହଜାର ଶଯ୍ୟା ରହିବ। ଏହି ହସ୍ପିଟାଲ୍ରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରି ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରିକ୍, ଆନେସ୍ଥେସିଓଲୋଜି, ରେଡିଓ-ଡାଇଗ୍ନୋସିସ୍, ଇମର୍ଜେନ୍ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ଜେନେରାଲ୍ ସର୍ଜରି, ଅର୍ଥୋପେଡିକ୍ସ୍, ଇଏନ୍ଟି, ପାଥୋଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଆଦି ସବୁ ବିଭାଗ ରହିଛି। ବିଶେଷ କରି କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯାଇଛି। ଏଠାରେ ଥିବା ଅଙ୍କୋକେୟାର ଫାସିଲିଟିଜ୍ରେ ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ଅଙ୍କୋଲୋଜି ଓ ଡାଇଗ୍ନୋଷ୍ଟିକ୍ ବ୍ୟବସ୍ଥା ରହିଛି।
ଉଦ୍ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ)ର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ମନୋଜ ରଞ୍ଜନ ନାୟକ ସମସ୍ତଙ୍କୁ ସ୍ବାଗତ କରିଥିଲେ। ହସ୍ପିଟାଲଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ପରିସରରେ ଉପଲବ୍ଧ ଥିବା ସୁବିଧା ଗୁଡିକକୁ ବୁଲି ଦେଖିଥିଲେ। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶାଶ୍ୱତୀ ଦାସ ଓ ସୋଆର ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଏହି ନୂତନ ହସ୍ପିଟାଲ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବାର ଲକ୍ଷ୍ୟ ରଖିଛି ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମ୍ ହସ୍ପିଟାଲର ଅନ୍ୟ ଏକ କ୍ୟାମ୍ପସ୍ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ ଠାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି। ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତ୍ତିଭୂମି ଉପଲବ୍ଧ ହେବ। ଏହି ତିନିଟି ହସ୍ପିଟାଲ୍ରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସେବା ଉପଲବ୍ଧ ହେବ ବୋଲି ପ୍ରଫେସର ନନ୍ଦ କହିଛନ୍ତି। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୋଆ ବିଶ୍ବବିଦ୍ୟାଳୟର ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ। ସୂଚନାଯୋଗ୍ୟ, ଶିକ୍ଷା ଓ ଅନୁସନ୍ଧାନ ଅଧୀନରେ ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବେଶ୍ ପରିଚିତ ନାମ ପାଲଟିଯାଇଛି। ହସ୍ପିଟାଲ୍ ଆରମ୍ଭ ହେବା ଦିନ ଠାରୁ ଏଠାରେ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏଠାରେ ପ୍ରତ୍ୟେକ ବର୍ଷ ଏମ୍ବିଏସ୍ଏସ୍ ପାଠ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ସମ୍ରେ ୧୬୭ଟି ପିଜି ସିଟ୍ ରହିଛି ଓ ୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ସୁପର୍ସ୍ପେସିଆଲିଟି କୋର୍ସ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fshfshfhhfsfh.jpg)