ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶୀତଳାପଲ୍ଲୀ କ୍ୟାମ୍ପସ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାମ୍ପସ୍‌ରେ ପହଞ୍ଚିଲା ପରେ ଫଳକ ଉନ୍ମୋଚନ କରିବା ସହ ସେଠାରେ ବୃକ୍ଷରୋପଣ କରି ହସ୍ପିଟାଲ୍‌କୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଞ୍ଚରେ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୋଆର ଉପସଭାପତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ। ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଣ୍ଟା ରୋଗୀ ସେବା ପ୍ରଦାନ କରାଯିବ। ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତ ମାସ ୨୧ ତାରିଖରେ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ୍‌ର ଦ୍ବିତୀୟ କ୍ୟାମ୍ପସ୍‌ ଫୁଲନଖରାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା।

Advertisment

୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ରାଙ୍କିଙ୍ଗ୍‌ରେ ଦେଶର ୧୬ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନିତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରରେ ଦୀର୍ଘ ୧୯ ବର୍ଷ ହେବ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ଉଭା ହୋଇଛି। ସୋଆର ଏହି ୪ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ବିଏସ୍‌କେୱାଇ ସୁବିଧା ଉପଲବ୍ଧ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ କ୍ୟାମ୍ପସ୍‌ର ମେଡିକାଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଫୁଲନଖରାର ମେଡିକାଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଫେସର ରାଜେଶ କୁମାର ଲେଙ୍କା, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ସୁନୀଲ ଦାସ ଉପସ୍ଥିତ ଥିଲେ।