ଲୋକାର୍ପିତ ହେଲା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ନୂତନ ଶାଖା ‘ସମ୍ ଅଲ୍ଟିମେଟ୍‌ ମେଡିକେୟାର’

ଆୟୁଷ୍ମାନ ପାଇଁ ପୁଣି ନିବେଦନ କଲେ ଧର୍ମେନ୍ଦ୍ର
ଏହି ହସ୍ପିଟାଲ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବ: ମୁଖ୍ୟମନ୍ତ୍ରୀ
ସ୍ବାସ୍ଥ୍ୟସେବାରେ ଘରୋଇ ଉଦ୍ୟୋଗପତିଙ୍କ ଯୋଗଦାନ ପ୍ରଶଂସନୀୟ: ଅମିତ ଶାହ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣକାରୀ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ନିଦେବନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ସକାଳେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ନୂତନ ଶାଖା ସମ୍ ଅଲ୍‌ଟିମେଟ୍‌ ମେଡିକେୟାର୍‌ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀ ପ୍ରଧାନ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ଓଡ଼ିଶାର ସମସ୍ତ ଗରିବ ଜନସାଧାରଣ ବହୁମାତ୍ରାରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି।

ଏହି ବିଶ୍ବସ୍ତରୀୟ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ହସ୍ପିଟାଲ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବ ବୋଲି ଗଭୀର ଆସ୍ଥା ପ୍ରକଟ କରି ସଂକ୍ଷିପ୍ତ ଭାଷଣରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ସମ୍ ଅଲ୍‌ଟିମେଟ୍‌ ମେଡିକେୟାର ଓଡ଼ିଶା ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକଟ କରିଥିଲେ। କେବଳ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବା ଯଥଷ୍ଟେ ନୁହେଁ ବୋଲି କହିବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଉଦ୍ୟୋଗପତିଙ୍କ ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ନିଜ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟର ସ୍ବାସ୍ଥ୍ୟସେବା ଉନ୍ନତି କ୍ଷେତ୍ରରେ ଘରୋଇ ଉଦ୍ୟୋଗମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରି ଚାଲିଥିବାରୁ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଅବସରରେ ଏହି ଅବସରରେ ହସ୍ପିଟାଲର ପ୍ରତିଷ୍ଠାତା ଡ. ମନୋଜରଂଜନ ନାୟକ ଅତିଥିମ‌ାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିବାବେଳେ ହସ୍ପିଟାଲର ସିଇଓ ଡା. ଶ୍ବେତପଦ୍ମା ଦାସ ହସ୍ପିଟାଲର ବିବରଣୀ ପ୍ରଦାନ କରିଥିଲେ। ୧୦ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ୩୭୫ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲରେ ୩୦ଟି ବିଭାଗ ରହିଛି। ଏଥିରେ କାର୍ଡିଆକ୍ ସାଇନ୍‌ସ, ନ୍ୟୁରୋ ସାଇନ୍‌ସ, କ୍ରିଟିକାଲ୍ କେୟାର, ଗ୍ୟାସ୍ଟ୍ରୋ ସାଇନ୍‌ସ, ଜଏଣ୍ଟ ରିପ୍ଲେସମେଣ୍ଟ, ଅଙ୍କୋ ସାଇନ୍‌ସ, ପୁଲ୍ ମୋନୋଲୋଜି, ରେନାଲ୍ ସାଇନ୍‌ସ, ଅର୍ଥୋପେଡିକ୍‌ସ ଭଳି ପାଠ୍ୟକ୍ରମ ପାଇଁ ଉତ୍କର୍ଷ କେନ୍ଦ୍ର ରହିଛି। ରାଜ୍ୟରେ ପ୍ରଥମ ଏଭଳି ଅନ୍ତଃରାଷ୍ଟ୍ରୀୟ ହସ୍ପିଟାଲରେ ସବୁ ପ୍ରକାରର ଜରୁରୀକାଳୀନ ଚିକିତ୍ସା ସେବା, ହାର୍ଟ କେୟାର୍, ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା, ଅଙ୍ଗ ପ୍ରତିରୋପଣ ଭଳି ଗୁରୁତ୍ବପୂର୍ଣ ଚିକିତ୍ସାସେବା ଅଭିଜ୍ଞ ସ୍ପେସାଲିଷ୍ଟମାନଙ୍କ ଦ୍ବାରା କରାଯିବ ବୋଲି ଶ୍ରୀମତି ଦାସ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର