ବେଗୁନିଆପଡ଼ା: କଥାରେ ଅଛି ଜୀବନର ଶେଷ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ସଂପ୍ରତି ବ୍ୟସ୍ତବହୁଳ ଜୀବନରେ ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଭେଜିପୁଟ ଗ୍ରାମ ରୋଡ୍ସାହିର ସୁମନ୍ତ କୁମାର ସୁବୁଦ୍ଧି। ପେସାରେ ଜଣେ ଶିକ୍ଷକ ହୋଇଥିବା ସତ୍ତ୍ବେ କାହାର ମୃତ୍ୟୁ ଖବର ପାଇବା କ୍ଷଣି ତତ୍କ୍ଷଣାତ୍ ମୃତକଙ୍କ ବନ୍ଧୁପରିଜନଙ୍କ ପାଖରେ ଛିଡ଼ା ହୋଇଯାଆନ୍ତି। ସେମାନଙ୍କୁ ସମବେଦନା ଜଣାଇବା ସହ ଶବଦାହରେ ବି ନିଜକୁ ସାମିଲ କରିଥା’ନ୍ତି।। ଏଭଳି ଭାବେ ନିଜ ଜୀବନକାଳ ମଧ୍ୟରେ ସୁମନ୍ତ ୯୫ରୁ ଅଧିକ ଶବଦାହ କରିସାରିଲେଣି।
ଦୀନବନ୍ଧୁ ସୁବୁଦ୍ଧି ଓ ଉମା ସୁବୁଦ୍ଧିଙ୍କ ତୃତୀୟ ସନ୍ତାନ ହେଉଛନ୍ତି ସୁମନ୍ତ। ଜୀବନରେ ଅନେକ ଝଡ଼ଝଞ୍ଜାକୁ ସହି ପାଠପଢ଼ା ସାରିବା ପରେ ୨୦୧୧ ମସିହା ମେ ମାସରେ ସହାୟକ ଶିକ୍ଷକ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୯୬ ମସିହାରେ ତାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା, ସେତେବେଳେ ଜେଜେମା ମେନକା ସୁବୁଦ୍ଧିଙ୍କ ଶବଦାହ ପାଇଁ ଅନ୍ୟମାନଙ୍କ ସହ ସେ ଶ୍ମଶାନକୁ ଯାଇଥିଲେ। ଏହାପରଠୁ ପ୍ରତି ମୃତକଙ୍କ ବନ୍ଧୁପରିଜନଙ୍କ ପାଖରେ ଅସମୟରେ ଛିଡ଼ା ହୋଇ ଶବଦାହରେ ସାମିଲ ହେବାକୁ ପଣ କରିଥିଲେ।
ଏହାମଧ୍ୟରେ ୨୮ ବର୍ଷ ବିତିସାରିଥିବା ବେଳେ ସେ ଆଉ ପଛକୁ ଫେରିନାହାନ୍ତି। ନିଜ ଗାଁ ହେଉ ଅଥବା ଆଖପାଖ ଇଲାକା, କେଉଁଠିବି କାହାର ମୃତ୍ୟୁ ଖବର ଶୁଣିବା କ୍ଷଣି ସୁମନ୍ତ ଶବଦାହ ପାଇଁ ସେଠାରେ ପହଞ୍ଚିଯାଆନ୍ତି। କେବଳ ଏତିକି ନୁହେଁ ଶ୍ମଶାନରେ ଜୁଇ ବି ସଜାଡ଼ିଦିଅନ୍ତି। ଏଥିରେ ମୋତେ ଆତ୍ମସନ୍ତୋଷ ଓ ପୁଣ୍ୟ ମିଳିବା ଭଳି ମନେ ହୁଏ ବୋଲି ସୁମନ୍ତ କହିଛନ୍ତି। ବର୍ତ୍ତମାନ ଖଲ୍ଲିକୋଟ ବ୍ଲକ୍ ଛକାସିଂ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସୁମନ୍ତ ସୁସ୍ବାଦୁ ଖାଦ୍ୟ ରୋଷେଇ କରିବାରେ ବେଶ୍ ସିଦ୍ଧହସ୍ତ। ଜଣେ ପରୋପକାରୀ ବ୍ୟକ୍ତି ଓ ଅସମୟର ବନ୍ଧୁ ଭାବେ ସୁମନ୍ତ ବିଭିନ୍ନ ମହଲରେ ସୁପରିଚିତ ହୋଇପାରିଛନ୍ତି।