ସୁନ୍ଦରଗଡ଼: ଜିଲ୍ଲ ଯୋଜନାବୋର୍ଡର ସହରାଞ୍ଚଳ ବା ପୌରା ପରିଷଦ ସଭ୍ୟ ଭାବେ ଅଣ ସଂରକ୍ଷିତ ଆସନରୁ ସୁନ୍ଦରଗଡ଼ ପୌରପାର୍ଷଦ ସୁମନ୍ତ ସାହୁ ଓ ସଂରକ୍ଷିତ ଆସନରୁ ପୌରପାର୍ଷଦ ସୁଶୀଳା ନାଗ ନିର୍ବାଚିତ ହୋଇଛନ୍ତି। ବୋର୍ଡରେ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦରୁ ୧୧ ଜଣ ସଭ୍ୟ ଓ ପୌରପରିଷଦରୁ ୫ ଜଣ ସଭ୍ୟ ନିର୍ବାଚିତ ହୋଇ ଆସିଥାନ୍ତି।
ତେବେ ଜିଲ୍ଲାର ୪ଟି ପୌରପାଳିକା ମଧ୍ୟରୁ ରାଉରକେଲା ପୌର ପରିଷଦ ଗଠନ ହୋଇ ନଥିବାରୁ ସେଥିର ୩ ଜଣ ବୋର୍ଡ ସଭ୍ୟ ଆସନ ଖାଲି ରହିଛି। କେବଳ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରପାଳିକାରୁ ୨ ଜଣ ସଭ୍ୟଙ୍କ ପାଇଁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପୌରପାର୍ଷଦ ମୋଟ ୫୩ ଜଣ ମତଦାନ କରିଥିଲେ। ଅଣ ସଂରକ୍ଷିତ ଆସନ ପାଇଁ ସୁନ୍ଦରଗଡ଼ର ୧୬ ନମ୍ବର ପୌରପାର୍ଷଦ ସୁମନ୍ତ ସାହୁ ଓ ରାଜଗାଙ୍ଗପୁର ୱାର୍ଡ ନମ୍ବର ୧ର କୌଶଳ କୁମାର ସିଂ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସୁମନ୍ତ ୨୭ଟି ଭୋଟ୍ ପାଇଥିବାବେଳେ କୌଶଳ ୨୪ଟି ଭୋଟ୍ ପାଇଥିଲେ। ୩ଟି ଭୋଟ ନାକଚ ହୋଇଥିଲା। ସେହିପରି ସଂରକ୍ଷିତ ଆସନ ପାଇଁ ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମଧୁରୀ ଲୁଗୁନ, ବୀରମିତ୍ରପୁର ପୌରପାର୍ଷଦ ନିବେଦିତା ବାଗେ, ରାଜଗାଙ୍ଗପୁର ପୌରପାର୍ଷଦ ଶ୍ବେତା କୁମାରୀ ଓ ସୁନ୍ଦରଗଡ଼ ପୌରପାର୍ଷଦ ସୁଶୀଳା ନାଗ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସୁଶୀଳା ନିର୍ବାଚିତ ହୋଇଥିଲେ। ନିର୍ବାଚନକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ପରିଚାଳନା କରିଥିଲେ।