ସୁମନ୍ତ ଭୋଇ: ଅତି ପରିଚିତ ବନ୍ଧୁଟିଏ

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ସୌମ୍ୟରଂଜନ, ସ୍ମୃତିଚାରଣ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ବଲାଙ୍ଗୀର : ସୁମନ୍ତ ଭୋଇ। ବଲାଙ୍ଗୀରର ଜଣାଶୁଣା ଚେହେରା। କ୍ରୀଡ଼ା ସଂଗଠକ ଭାବରେ ଜଣାଶୁଣା ଥିଲେ ବି ଅନେକ ପ୍ରତିଭାର ଅଧିକାରୀ ଥିଲେ। ରାଜନୀତିରେ ଜଣାଶୁଣା ଚେହେରା ନଥିଲେ ବି ରାଜନେତାଙ୍କ ସଂପର୍କରେ ସୁମନ୍ତଙ୍କ ପାଖରେ ଥିଲା ପେନ୍ଥାପେନ୍ଥା ତଥ୍ୟ। ପଡ଼ିଆ ଭିତରେ ଖେଳୁନଥିଲେ ବି ଖେଳାଳି ତିଆରି କରିବାର କାରଖାନା ଥିଲେ ସୁମନ୍ତ ଭୋଇ। ଯୁବକମାନଙ୍କର ଠାଣି ଦେଖି କହୁଥିଲେ ସେ ବୋଲର ହେବ ନା ବ୍ୟାଟସମ୍ୟାନ ହେବ। କ୍ରିକେଟ ପଡ଼ିଆରେ ତାଙ୍କର ବ୍ୟୂହ ରଚନାରେ ହାରିବା ମ୍ୟାଚ ବି ଜିତିଥିଲା ନବକିଶୋର କ୍ରିକେଟ କ୍ଲବ। ସେ ସାମ୍ବାଦିକ ନଥିଲେ ସତ; ହେଲେ ସାମ୍ବାଦିକମାନଙ୍କ ପାଇଁ ତଥ୍ୟର ଭଣ୍ଡାର ଥିଲେ। ସେ ଲେଖକ ନଥିଲେ, କିନ୍ତୁ ଲେଖା ଲେଖୁଥିବାର ସ୍ତମ୍ଭକାର ସାମ୍ବାଦିକମାନଙ୍କ ପାଇଁ ସୂଚନା ଦେଉଥିଲେ। ସେ ଥିଲେ ଖାଦ୍ୟ ପ୍ରେମୀ। ଖାଉଥିଲେ ଖୁଆଉଥିଲେ। ତେଣୁ ସମାଜର ସବୁବର୍ଗର ଲୋକଙ୍କ ସହିତ ସ୍ୱର୍ଗତ ସୁମନ୍ତ ଥିଲେ ଅତି ପରିଚିତ ବନ୍ଧୁଟିଏ। ତାଙ୍କ ମହାପ୍ରୟାଣର ଦ୍ୱାଦଶାହ ତିଥିରେ ସୁମନ୍ତଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଅନେକ ଗୁଣାବଳିକୁ ବାହୁନିଥିଲେ ବନ୍ଧୁବର୍ଗ।

ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସୁମନ୍ତଙ୍କ ସହିତ ତାଙ୍କର କଟିଥିବା ଦିନଗୁଡ଼ିକର ସ୍ମୃତିଚାରଣ କରିଥିଲେ। ସେ କହିଥିଲେ, ‘ ଅନେକ ବର୍ଷରୁ ସୁମନ୍ତ ଦା’ଙ୍କ ସହିତ ମୋର ବନ୍ଧୁତା ଥିଲା। ବଲାଙ୍ଗୀର ଆସିବାର ଯେଉଁମାନେ ଆକର୍ଷଣ ଥିଲେ, ସେମାନେ ଥିଲେ ସ୍ୱର୍ଗତ ଲଳିତ ନାୟକ ଓ ସ୍ୱର୍ଗତ ସୁମନ୍ତ ଭୋଇ। ତେଣୁ ଧୀରେ ଧୀରେ ବଲାଙ୍ଗୀର ଆସିବାର ଆକର୍ଷଣ କମିଯାଉଛି। ଅସମୟରେ ବନ୍ଧୁ ସୁମନ୍ତଙ୍କୁ ହରାଇ ମୁଁ ମର୍ମାହତ, ବ୍ୟଥିତ। ’

ରସରାଜ ଅଚ୍ୟୁତ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସଂଜୟ ପାତ୍ର, ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ, ଡା. ବେଣୁଧର ପାଣ୍ଡେ, ଡ. ପୁଷ୍ପରଂଜନ ମିଶ୍ର, ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ, ଦୀପକ ସମଜଦାର, ସଂଗଠକ ପ୍ରଫୁଲ୍ଲ ମହାନ୍ତି, ପାର୍ଥ ମହାପାତ୍ର, କୃଷ୍ଣଚନ୍ଦ୍ର ଦାନୀ, ହିମାନୀ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯୁବ ସଂଗଠକ ବିଧୁଭୂଷଣ ତ୍ରିପାଠୀ, ଶଙ୍କର ପାତ୍ର, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ଚେମ୍ବର ଅଫ୍‌ କମର୍ସର ତ୍ରିପୁରାରୀ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ନିଗମାନନ୍ଦ ନାଥ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଦ୍ୱାଦଶାହ କାର୍ଯ୍ୟକ୍ରମରେ ବନ୍ଧୁବର୍ଗ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର