ଚିନି ଶିଳ୍ପ ଆଇବିରେ ସୁମିତ, ତପସ୍ୱିନୀ; ସୁରକ୍ଷା ପାଇଁ ପୁଲିସ ମୁତୟନ

ବ୍ରହ୍ମପୁର/ଆସିକା : ସ୍ୱାମୀଙ୍କୁ ପାଇବା ପାଇଁ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ରେ ଦୀର୍ଘ ୧୦ଦିନ ହେଲା ସ୍ତ୍ରୀ ତପସ୍ୱିନୀ ଦାଶ ଧାରଣା ଦେଇଥିଲେ। ଗତକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ପିଟିସନ୍‌ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ ସ୍ୱାମୀ-ସ୍ତ୍ରୀଙ୍କୁ ଗୋଟିଏ ଛାତ ତଳେ ଏକାଠି ରହିବାକୁ ଅନୁମତି ଦେଇଥିଲେ। ଏହାପରେ ଧାରଣା ବନ୍ଦ ହୋଇଥିଲା। ଧାରଣାସ୍ଥଳରେ ଲାଗି ଥିବା ଅସ୍ଥାୟୀ ଟେଣ୍ଟ୍‌ ମଧ୍ୟ ବାହାର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡାକ୍ତର ସ୍ୱାମୀ ସୁମିତ ସାହୁ ଓ ତପସ୍ୱିନୀଙ୍କୁ ଆସିକା ଚିନି ଶିଳ୍ପ ସ୍ଥିତ ଆଇବିରେ ରଖାଯାଇଛି। ଏହି ଘଟଣା ଏବେ ଆସିକା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ସୁରକ୍ଷା ପାଇଁ ସେଠାରେ ଆସିକା ଥାନା ପୁଲିସର ଏକ ଟିମ୍‌ ମୁତୟନ କରାଯାଇଛି। ଭିତରକୁ କାହାକୁ ଛଡ଼ାଯାଉ ନାହିଁ। ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଆଇବିକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି। ଡା. ସୁମିତ ଶୁକ୍ରବାର ସଂଧ୍ୟାରେ ନିଜ କାର୍ଯ୍ୟସ୍ଥଳ ବାଲିସିରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେହିପରି ପ୍ରୋଟେକ୍ସନ୍‌ ଅଫିସର୍‌ ଭାବେ ସଂଗୀତା ପାତ୍ର ଆଇବିରେ ପହଞ୍ଚି ତପସ୍ୱିନୀଙ୍କୁ ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୭ଦିନ ପର୍ଯ୍ୟନ୍ତ ଉଭୟ ସ୍ୱାମୀ-ସ୍ତ୍ରୀ ସେଠାରେ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବେ। ଏହି ସମୟରେ ଉଭୟଙ୍କ ପରିବାରର କୌଣସି ସଦସ୍ୟ ତାଙ୍କୁ ସାକ୍ଷାତ କରି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶ୍ୱଶୁର ଘରେ ରହିବା ଦାବି ନେଇ ଗତ ୨୨ତାରିଖରୁ ତପସ୍ୱିନୀ ଧାରଣା ଜାରି ରଖିଥିଲେ। ତାଙ୍କୁ କେହି ନ୍ୟାୟ ନଦେବାରୁ ଶେଷରେ ସେ କୋର୍ଟର ଆଶ୍ରୟ ନେଇ ପିଟିସନ୍‌ ରୁଜୁ କରିଥିଲେ। ଗତକାଲି ପିଟିସନ୍‌ ଉପରେ ଏସ୍‌ଡିଜେଏମ୍‌ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପୁଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗତକାଲି ରାତିରେ ଡାକ୍ତର ସୁମିତଙ୍କ କର୍ମସ୍ଥଳ ଆସିକାକୁ ନେଇଥିଲା।

ସମ୍ବନ୍ଧିତ ଖବର