ବ୍ରହ୍ମପୁର: ସୁମିତ୍‌-ତପସ୍ବିନୀ ମାମଲାର କେବେ ଯବନିକା ପଡ଼ିବ? ତପସ୍ବିନୀଙ୍କୁ ନ୍ୟାୟ ମିଳିବ ତ? ସୁମିତ୍‌ଙ୍କ ନିଷ୍ପତ୍ତିରେ ଯଥାର୍ଥତା ରହିଛି ନା ନାହିଁ? ଏହିଭଳି ପ୍ରଶ୍ନ କେବଳ ବ୍ରହ୍ମପୁରରେ ନୁହେଁ, ସାରାରାଜ୍ୟର ଲୋକମାନଙ୍କ ମଧ୍ୟରେ ଉଙ୍କି ମାରୁଛି। ‌ଯେଉଁମାନେ ଗଣମାଧ୍ୟମ ଜରିଆରେ ଘଟଣା ସମ୍ପର୍କରେ ଜାଣୁଛନ୍ତି, ସେମାନଙ୍କ ମନରେ ବି ଉତ୍କଣ୍ଠା ଲାଗି ରହିଛି। ଆଗକୁ କେଉଁଆଡ଼କୁ ଯାଉଛି ଘଟଣାର ଗତି। ଏହିଭଳି ଏକ ପରିସ୍ଥିତିରେ ଆଜି ଗୋଟିଏ ପଟେ ପୁଲିସ୍‌ ଡା. ସୁମିତ୍‌ ସାହୁଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ଅନ୍ୟପଟେ ସୁମିତ୍‌ଙ୍କ ବିରୋଧରେ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅସୁସ୍ଥତା ଦର୍ଶାଇ ଚାଲିଆସିଥିବା ସୁମିତ୍‌ ଗତକାଲି ରାତିରେ ଘରକୁ ଆସିଥିଲେ ଏବଂ କାନ୍ଥ ଡେଇଁ ବାହାକୁ ଚାଲିଯାଇଥିଲେ। ଆହୁରି ମଧ୍ୟ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି କହିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ଏଏସ୍‌ପି ରମେଶ ଚନ୍ଦ୍ର ସେଠୀ, ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଧିକାରୀମାନେ ସୁମିତ୍‌ଙ୍କ ବାପା ପ୍ରମୋଦ ସାହୁଙ୍କ ସହ ଆଲୋଚନା କରିଥିଲେ। ସୁମିତ୍‌ କେଉଁଠି ଅଛନ୍ତି ବୋଲି ପଚାରିଥିଲେ। ହେଲେ, ସେମାନେ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିଲେ। ଅନ୍ୟପଟେ, ନ୍ୟାୟ ପାଇଁ ତପସ୍ବିନୀ ଦାଶ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ସ୍ଥିତ ଶ୍ବଶୁର ଘର ସମ୍ମୁଖରେ ଆଜି ମଧ୍ୟ ଧାରଣା ଜାରି ରଖିଛନ୍ତି।

ଅନ୍ୟପକ୍ଷରେ, ସୁମିତ୍‌ଙ୍କ ବିରୋଧରେ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ତପସ୍ବିନୀ। ସେ କହିଛନ୍ତି, ଗତକାଲି ରାତିରେ ସୁମିତ୍‌ ତାଙ୍କର ସ୍କୁଟିରେ ଘରକୁ ଆସିଥିଲେ। କିନ୍ତୁ ରାତିରେ ସେ ଘର କାନ୍ଥ ଡେଇଁ ଚାଲି ଯାଇଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି। ଯଦି ସୁମିତ୍‌ଙ୍କ ଦେହ ଅସୁସ୍ଥ ଅଛି ସେ କାନ୍ଥ ଡେଇଁ ଗଲେ କେମିତି? ସୁମିତ୍‌ ଜାଣିଶୁଣି ଆଇବିରୁ ଛାଡ଼ି ଚାଲିଗଲେ। ଗତରାତି ମଧ୍ୟ ସେ ମୋତେ ଛାଡ଼ି ଲୁଚି ପଳାଇଛନ୍ତି ବୋଲି ତପସ୍ବିନୀ ଅଭିଯୋଗ କରିଛନ୍ତି। ଯଦି ସୁମିତ୍‌ଙ୍କ ଦେହ ସତରେ ଖରାପ ଅଛି, ସେ କେଉଁଠି ଚିକିତ୍ସିତ ହେଉଛନ୍ତି ତାହା କୁହନ୍ତୁ ବୋଲି ତପସ୍ବିନୀ କହିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି ଜଣାଇଛନ୍ତି।