ରାଉରକେଲା: ବୁଧବାରଠାରୁ ଜିଲ୍ଲାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମ୍‌ମେଟିଭ୍‌ ଆସେସ୍‌ମେଣ୍ଟ୍‌-୧ ପରୀକ୍ଷା ଆରମ୍ଭ ହେବ। ଏଥିରେ ଜିଲ୍ଲାର ୪ ଶହଟି ଉଚ୍ଚ ବିଦ୍ୟାଳୟର ୨୫ ହଜାର ୯୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୫,୨୮୨ ରେଗୁଲାର, ୭୧୫ ଏକ୍ସ-ରେଗୁଲାର। ୧୨୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କେନ୍ଦ୍ର ରହିଛି। ପ୍ରଶ୍ନପତ୍ର ଗଚ୍ଛିତ ରଖିବାକୁ ୨୦ ନୋଡାଲ ସେଣ୍ଟର୍‌ କରାଯାଇଛି। ନିର୍ଦ୍ଧାରିତ କୋଭିଡ୍‌ ନିୟମାନୁଯାୟୀ ପରୀକ୍ଷା ପରିଚାଳିତ ହେବ।

Advertisment

ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସମେଟିଭ-୧ ଓ ୨ ପରୀକ୍ଷା ଅନୁଷ୍ଠିତ ହେବ। ସମେଟିଭ୍‌-୧ରେ ପରୀକ୍ଷାର୍ଥୀ ବୋର୍ଡ ପରୀକ୍ଷା ଭଳି ଅନ୍ୟ ସେଣ୍ଟର୍‌କୁ ଯାଇ ଓଏମ୍‌ଆର୍‌ ସିଟ୍‌ରେ ପରୀକ୍ଷା ଦେବେ। ପ୍ରତ୍ୟେକ ବିଷୟବସ୍ତୁରେ ୫୦ ମାର୍କ୍‌ ଲେଖାଏଁ, ଅର୍ଥାତ୍‌ ୬ଟି ବିଷୟରେ ୩ ଶହ ମାର୍କ‌୍‌ର ପରୀକ୍ଷା ହେବ। ସେହିଭଳି ସମେଟିଭ-୨ରେ ୮୦ ମାର୍କ ଲେଖାଏଁ, ମୋଟ୍‌ ୪୮୦ ମାର୍କ‌୍‌ର ପରୀକ୍ଷା ଦେବେ। କୌଣସି କାରଣରୁ ସମେଟିଭ୍‌-୨ ପରୀକ୍ଷା ଯଦି ନହୁଏ, ତା’ହେଲେ ସମେଟିଭ-୧ରେ ମିଳିଥିବା ମାର୍କ୍‌ ଅନୁଯାୟୀ ଚୂଡ଼ାନ୍ତ ଫଳ ପ୍ରକାଶିତ ହେବ।

ରାଉରକେଲା ମହାନଗର ନିଗମ ଅଞ୍ଚଳର ୪୬୬୫, ବିଶ୍ରା ବ୍ଲକରୁ ୧୦୧୮ ଜଣ, ହେମଗିର ବ୍ଲକରୁ ୧୦୮୯, ଲେଫ୍ରିପଡ଼ାରୁ ୧୬୧୭, ଟାଙ୍ଗରପଲ୍ଲୀରୁ ୮୩୦, ସୁନ୍ଦରଗଡ଼ ଟାଉନ୍‌ ଓ ସଦର ବ୍ଲକରୁ ୧୯୬୪, ସବଡେଗାରୁ ୮୫୯, ବାଲିଶଙ୍କରା ବ୍ଲକରୁ ୯୮୫, ବଡ଼ଗାଁରୁ ୯୩୧, କୁତ୍ରାରୁ ୧୧୫୫, ରାଜଗାଙ୍ଗପୁର ପୌରପାଳିକା ଓ ବ୍ଲକରୁ ୧୯୦୮, ଲାଠିକଟାରୁ ୧୧୮୦, କୁଆଁରମୁଣ୍ଡା ବ୍ଲକରୁ ୨୦୯୯, ନୂଆଗାଁରୁ ୧୩୦୨, ବଣାଇଁରୁ ୧୨୨୭, ଲହୁଣୀପଡ଼ାରୁ ୧୦୫୭, ଗୁରୁଣ୍ଡିଆରୁ ୯୬୦ ଓ କୋଇଡ଼ା ବ୍ଲକରୁ ୧୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।