ପିପିଏଲ୍‌ ଡିଏଭି ସ୍କୁଲରେ ୪ଦିନିଆ ଗ୍ରୀଷ୍ମ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ପିପିଏଲ୍‌ସ୍ଥିତ ଡିଏଭି ସ୍କୁଲ ପରିସରରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ଦିନିଆ ଗ୍ରୀଷ୍ମ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପିପିଏଲ୍‌ ମହାପ୍ରବନ୍ଧକ (ଉତ୍ପାଦନ) ଅନିଲ ବର୍ମା ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଏଭଳି କାର୍ଯ୍ୟକ୍ରମର ଆୟୋଜନ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସଙ୍ଗେସଙ୍ଗେ ଆନନ୍ଦ ଉପଲବ୍ଧିରେ ସାହାଯ୍ୟ କରିବ ଓ ଏପରି କର୍ମଶାଳାରେ ଶୃଙ୍ଖଳିତ ଭାବେ ଯୋଗଦେଇ ନୂଆ କୌଶଳ ଶିକ୍ଷା କରି ନିଜର ଦକ୍ଷତା ବିଭିନ୍ନ କ୍ଷେତ୍ରରେ ପ୍ରତିପାଦନ କରିବା ଉଚିତ।

ସମ୍ମାନିତ ଅତିଥି ତଥା ପିପିଏଲ୍‌ ମହାପ୍ରବନ୍ଧକ (ବିତ୍ତ ବିଭାଗ) ପ୍ରଶାନ୍ତ କୁମାର ପ୍ରଧାନ ଓ ମହାପ୍ରବନ୍ଧକ (ଯୁଗ୍ମ) ଉପସ୍ଥିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଏହିପରି କର୍ମଶାଳାର ପ୍ରଶିକ୍ଷଣକୁ ପ୍ରତି କ୍ଷେତ୍ରରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ଏହି ଉପଲକ୍ଷେ ଏକ ଚିତ୍ର କଳାପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଦୁଇ କଳା ଶିକ୍ଷକଙ୍କ ଚିତ୍ର, ପୁରାତନ ଛାତ୍ରୀ ରୁବିନା ବେହେରାଙ୍କ ଦ୍ବାରା ପ୍ରସ୍ତୁତ ପଟ୍ଟଚିତ୍ର ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପସ୍ତୁତ ବିଭିନ୍ନ ଚିତ୍ରକଳା ସ୍ଥାନ ପାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏହି ପ୍ରଦର୍ଶନୀ ବୁଲି ଦେଖିଥିଲେ ଓ ତାହାର ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ବିଷୟରେ ପ୍ରଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।

ସଂଯୋଜକ ବୃନ୍ଦାବନ ରାଉତ ସ୍ବାଗତ ଭାଷଣ ଦେଇ କହିଥିଲେ, ଏଭଳି କର୍ମଶାଳାମାନ ଆଗାମୀ ଦିନରେ ଆୟୋଜନ କରାଯିବ ଓ ମୌଳିକ ପ୍ରତିଭାର ସୃଷ୍ଟି ଓ ପୁଷ୍ଟି ପାଇଁ ଉଦ୍ୟମ ଅବ୍ୟାହତ ରହିବ। ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଭାଗ୍ୟବତୀ ଦାସ, ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ମହାନ୍ତି, ସପ୍ତମ ଶ୍ରେଣୀର ଛାତ୍ର ଅଂଶୁମାନ ପଟେଲ ଓ ଚନ୍ଦ୍ରାୟଣ ଲେଙ୍କା ତୃତୀୟ ଶ୍ରେଣୀର ଆଶ୍ରିୟା ରାଉତ ଏହି ଶିବିରରେ ଆୟୋଜନ ତାଙ୍କୁ କିପରି ଶିକ୍ଷା ଓ ଆନନ୍ଦ ଦେଇଛି ସେ ବିଷୟରେ ନିଜର ମତାମତ ଦେଇଥିଲା। ବିଦ୍ୟାଳୟର ସଂଗୀତ ଶିକ୍ଷକ ସତ୍ୟବ୍ରତ କାଠଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଶେଷରେ ବିଦ୍ୟାଳୟର ଓଡ଼ିଆ ମାଧ୍ୟମର ଗଣିତ ବିଭାଗର ବରିଷ୍ଠ ଶିକ୍ଷକ ମହେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥିମାନେ ତାଙ୍କର ମୂଲ୍ୟବାନ ସମୟ ଦେଇ ଏହି କାର୍ଯ୍ୟକ୍ରମର ସଫଳ ସଂପାଦନରେ ସହଯୋଗ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ କୃତଜ୍ଞତା ଜଣାଇ ଥିଲେ। କଳା ଶିକ୍ଷକ ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ ଓ କମଳାକାନ୍ତ ନନ୍ଦଙ୍କୁ ପରିଚାଳନାରେ ସକ୍ରିୟ ଭାବେ ସହଯୋଗ କରିଥିବା ସୁଶ୍ରୀ ସଚଳା ପଟ୍ଟନାୟକ, ମିତା ମହାପାତ୍ର, ରଶ୍ମିତା ବେହେରା ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବରିଷ୍ଠ ଶିକ୍ଷକ ଜୟଦେବ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର