ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ଆଉ ଟିକିଏ ବିଳମ୍ବ ହେବ। ୨ରୁ ୩ ଦିନ ମଧ୍ୟରେ ଅର୍ଥାତ୍ ୯ ତାରିଖ ସୁଦ୍ଧା ଦକ୍ଷିଶ ଓଡ଼ିଶା ସ୍ପର୍ଶ କରିବା ନେଇ ଗତକାଲି ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମାତ୍ର ଆଜି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨ରୁ ୩ ଦିନ ନୁହେଁ, ବରଂ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଉପକୂଳ ଆନ୍ଧ୍ରର ବାକି ଥିବା ଅଞ୍ଚଳ, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଛୁଇଁବାକୁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୮ ଓ ୯ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ୧୦ ଓ ୧୧ ତାରିଖରେ ମଧ୍ୟ ସମାନ ସ୍ଥିତି ଲାଗିରହିବା ନେଇ ଆକଳନ କରାଯାଇଛି।
ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ନୂଆପଡ଼ାରେ ୪୩, ଟିଟିଲାଗଡ଼ ଓ ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୩, ବରଗଡ଼ରେ ୪୧, ଝାରସୁଗୁଡ଼ା ଓ ସୋନପୁରରେ ୪୦.୯, ରାଉରକେଲାରେ ୪୦.୮ ଓ ହୀରାକୁଦରେ ୪୦.୧ ଡିଗ୍ରି ଥିଲା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୫୭ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦୁଆରେ ୩୭, ସୁଳିଆପଦାରେ ୩୧, ବାଙ୍ଗିରିପୋଷୀରେ ୨୬.୬, ବାରିପଦାରେ ୨୦, କରଞ୍ଜିଆରେ ୧୯, ଜମସୋଲାଘାଟରେ ୧୭.୮, ରାୟଗଡ଼ା ଜିଲ୍ଲା କାଶିପୁରରେ ୩୦.୪, ଯାଜପୁର ଜିଲ୍ଲାର କୋରେଇରେ ୨୯, କେନ୍ଦୁଝର ଜିଲ୍ଲାର ଘଟଗାଁରେ ୨୭.୬, ବାଲେଶ୍ବର ଜିଲ୍ଲାର ବାହାନଗାରେ ୨୧, ଭଦ୍ରକର ଚାନ୍ଦବାଲିରେ ୧୯, କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି।