ପୁଣି ଏକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍, ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଟ୍ରେନ୍‌ ଚଳାଚଳ କରିବ

ହୀରାଖଣ୍ଡ ଓ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଜୟପୁର ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉଛି। ଫଳରେ ଅଧିକ ସୁନିଶ୍ଚିତ ବର୍ଥ ସୃଷ୍ଟି ହେଉଛି। ପୂର୍ବରୁ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା ବେଳେ ଏବେ ଆହୁରି ଗୋଟିଏ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଗ୍ରୀଷ୍ମ ସମୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାକି ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍‌ରେ ଚାରିଟି ଏସି-୨ ଟାୟାର, ପାଞ୍ଚଟି ଏସି-୩ ଟାୟର, ଚାରିଟି ସ୍ଲିପର କ୍ଲାସ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍‌ ଉପଲବ୍ଧ ରହିଛି। ଏହା ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଖଡ଼ଗ୍‌ପୁର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍‌, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ, ଦୁଭାଡ଼ା, ରାଜମହେନ୍ଦ୍ରୀ, ବିଜୟୱାଡା, ନେଲୋର ଓ ଗୁଡ଼ୁର ଷ୍ଟେସନ୍‌ଠାରେ ରହଣି କରିବ। ପୂର୍ବରୁ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ୍‌, ଶାଲିମର-ପୁରୀ-ଶାଲିମର ଏସି ସ୍ୱତନ୍ତ୍ର ଟ୍ରେନ୍‌, କାଚେଗୁଡ଼ା-ବିଶାଖାପାଟଣା-କାଚେଗୁଡ଼ା ସ୍ୱତନ୍ତ୍ର ଟ୍ରେନ୍‌, ହାଇଦ୍ରାବାଦ-ଶ୍ରୀକାକୁଲମ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍‌, ପୁରୀ-ସନ୍ତ୍ରାଗାଛି-ପୁରୀ, ପୁରୀ-ହବିବଗଞ୍ଜ-ପୁରୀ, ଅନୁଗୁଳ ଓ ଭଦ୍ରକ ମାର୍ଗ ଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର, ରାଇଗଡ଼-ସମ୍ବଲପୁର-ରାଇଗଡ଼, ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ଭାୟା ରାୟଗଡ଼ା, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ଭୁବନେଶ୍ୱର ଓ କେନ୍ଦୁଝର ମାର୍ଗ ଦେଇ କାଚେଗୁଡା-ଟାଟା-କାଚେଗୁଡା, ବିଶାଖାପାଟଣା-ସିକନ୍ଦରାବାଦ, ବିଶାଖାପାଟଣା-ତିରୁପତି ଇତ୍ୟାଦି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାବ୍ୟତୀତ ଯାତ୍ରୀ ଭିଡ଼କୁ ନଜରରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା ଥିବାବେଳେ ଗୁରୁତ୍ୱପୂର୍ଣ ଟ୍ରେନ୍‌ଗୁଡ଼ିକରେ ଅତିରିକ୍ତ ବଗି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଛି।

ଭୁବନେଶ୍ବର: ପୂର୍ବତଟ ରେଳପଥ ୱାଲଟିଅର ରେଳମଣ୍ଡଳ ଅନ୍ତର୍ଗତ ଜୟପୁର-ଜଗଦଲପୁର ରେଳ ସେକ୍ସନରେ ତିନିଟି ଷ୍ଟେସନ୍‌ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱରରୁ ଜଗଦଲପୁର ଯାତ୍ରା କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓ ରାଉରକେଲାରୁ ଜଗଦଲପୁର ଯାତ୍ରା କରୁଥିବା ଏକ୍ସପ୍ରେସ ଟ୍ରେନ୍‌କୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଜୟପୁର ଯାଏଁ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଦୁଇଟି ଟ୍ରେନ୍‌ ଜୟପୁର ଓ ଜଗଦଲପୁର ମଧ୍ୟରେ ଆଂଶିକ ବାତିଲ କରାଯିବାକୁ ସ୍ଥିର କରାଯାଇଛି। ଚଳିତ ମାସ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲାଠାରୁ ଛାଡୁଥିବା ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭/୧୮୪୪୮) ଓ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ (୧୮୧୦୭/୧୮୧୦୮) ଜୟପୁର ପର୍ଯ୍ୟନ୍ତ ଚାଲିବ। ଫେରନ୍ତା ପଥରେ ଏହି ଟ୍ରେନ୍‌ଦ୍ବୟ ଏପ୍ରିଲ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ ଜୟପୁର ଷ୍ଟେସନଠାରୁ ଯାତ୍ରା ଆରମ୍ଭ କରିବ। ଉଭୟ ଦିଗରୁ ଜୟପୁର ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର