ବରଗଡ଼: ଖରାଦିନ ବଢ଼ାଉଛି କିଡ୍‌ନି ରୋଗ ଆଶଙ୍କା

ବରଗଡ଼ : କିଛି ଦିନ ତଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରି‌ବେଶ ବିଜ୍ଞାନ ବିଭାଗର କ୍ଲିନିକାଲ୍‌ ଟକ୍ସି‌କୋପାଥୋଲୋଜି ଏବଂ ମେଡିସିନ୍‌ ରିସର୍ଚ୍ଚ ଲାବ୍‌ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନି ରୋଗଜନିତ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ ବରଗଡ଼ ଜିଲ୍ଲାରେ ଜାତୀୟ ହାରଠାରୁ ୨ ପ୍ରତିଶତ ଅଧିକ କିଡ୍‌ନି ରୋଗୀ ଥିବା ଉଲ୍ଲେଖ ରହିଛି। ଜିଲ୍ଲାର ୧୭ଟି ଗାଁକୁ କିଡ୍‌ନି ରୋଗର ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଏସବୁ ଗାଁ ଭେଡ଼େନ, ଭଟଲି, ଅତାବିରା ଏବଂ ଗାଈସିଲାଟ୍‌ ବ୍ଲକ୍‌ରେ ରହିଛି।

ପୂର୍ବରୁ ବରଗଡ଼ ଜିଲ୍ଲାର କିଡ୍‌ନି ରୋଗ ସମସ୍ୟା ନେଇ ସଂସଦରେ ବି ଉଦ୍‌ବେଗ ପ୍ରକାଶ ପାଇଛି। ଗାଈସିଲାଟ ବ୍ଲକ୍‌ ଡାଙ୍ଗବାହାଲ, ଗୌରେନମୁଣ୍ଡା, ଜଗଲପାଟ ଓ ସାଇଡୁଙ୍ଗରିପାଲି, ବରଗଡ଼ ବ୍ଲକ୍‌ର କୁର୍ଲା, ବରଡ଼ୋଲ, ବିଜେପୁର ବ୍ଲକ୍‌ର ପିପିଲିପାଲି, ଅତାବିରା ବ୍ଲକ୍‌ର ବାଗବାହାଲ ଓ ଭାଲୁପାଲିରେ ମାତ୍ରାଧିକ କିଡ୍‌ନି ରୋଗ ବ୍ୟାପୁଥିବା ସଂସଦରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଏସବୁ ଅଞ୍ଚଳଗୁଡ଼ିକ ଉଭୟ ଜଳସେଚିତ ଓ ଅଣଜଳସେଚିତ। ଗବେଷକମାନେ ଉଭୟ କୀଟନାଶକ ଏବଂ ଦୂଷିତ ଜଳକୁ କିଡ୍‌ନି ରୋଗର କାରଣ ବୋଲି ଦର୍ଶାଇଛନ୍ତି। ଏବେ ଖରାଦିନରେ କିଡ୍‌ନି ରୋଗ ଆହୁରି ବଢ଼ିବା ଆଶଂକା ରହିଛି। କାରଣ ବର୍ତମାନ କ୍ଷେତଗୁଡ଼ିକ ଶୁଖିଲା ପଡ଼ିଛି। କିଛି ସ୍ଥାନରେ ଥିବା ଅସ୍ଥାୟୀ ଜଳଉତ୍ସରେ କୀଟନାଶକ ଔଷଧ ଭରି ରହିଛି। କେନାଲ୍‌ ପାଣି ବନ୍ଦ ଥିବାରୁ ଲୋକେ ଏସବୁ ଜଳଉତ୍ସକୁ ବ୍ୟବହାର କରୁଛନ୍ତି। ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଖାଲୁଆ ଇଲାକାରେ ଥିବା ଜଳକୁ ପିଇବା ପାଇଁ ବି ବ୍ୟବହାର କରୁଛନ୍ତି। ତେଣୁ ରସାୟନଯୁକ୍ତ ପାଣି କିଡ୍‌ନି ରୋଗର ଅନ୍ୟତମ କାରଣ ହେବା ସ୍ବାଭାବିକ। ତେଣୁ ହଟ୍‌ସ୍ପଟ୍‌ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର