କୋରାପୁଟ: କୋରାପୁଟ ଜିଲ୍ଲାରେ ବଦଳୁଛି ଜଳବାୟୁ। ହଠାତ୍‌ ଶୀତ ଉଭାନ ହୋଇଯିବା ସହ ଗରମ ଅନୁଭୂତ ହେଲାଣି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରି ଛୁଇଁଲାଣି। ତେଣୁ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ଡିଗ୍ରି ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ହଠାତ୍‌ ଗରମ ବଢ଼ିବାରୁ ଆଗକୁ ଉତ୍ପାଦନ ହେବାକୁ ଥିବା ଶୀତଦିନିଆ ପରିବା ଚାଷ ଗଭୀର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ଏହି ସମୟରେ ମୁଖ୍ୟତଃ ଆଳୁ ଚାଷ ହୁଏ। ଚଳିତବର୍ଷ ୪୬୦୦ ହେକ୍ଟର ଜମ‌ିରେ ଆଳୁ ଚାଷ ହୋଇଛି। କୋରାପୁଟ ଉପଖଣ୍ଡ ଅନ୍ତର୍ଗତ ନନ୍ଦପୁର ବ୍ଲକର ୧୦୬୦ ହେକ୍ଟର ଜମିରେ ଚାଷ କରାଯାଇଛି। ସେହିପରି ସେମିଳିଗୁଡ଼ାରେ ୯୪୦, ଲମତାପୁଟରେ ୭୬୦, ଦଶମନ୍ତପୁରରେ ୪୪୦, କୋରାପୁଟରେ ୪୦୦, ପଟାଙ୍ଗିରେ ୮୦୦ ଏବଂ ଲକ୍ଷ୍ମୀପୁରରେ ୧୦୦ ହେକ୍ଟର ଜମିରେ ଆଳୁ ବିହନ ଲାଗିଛି। ଏହାବ୍ୟତୀତ ଜୟପୁର ଉପଖଣ୍ଡର ୧୫୦ହେକ୍ଟର ଜମିରେ ମଧ୍ୟ ଆଳୁ ଚାଷ ହୋଇଛି। ଜିଲ୍ଲାରେ ପ୍ରାୟ ୭୦୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି। ମାର୍ଚ୍ଚ ବେଳକୁ ଆଳୁ ଏବଂ ପିଆଜ ଉତ୍ପାଦନ ଆରମ୍ଭ ହେବ। କିନ୍ତୁ ବଦଳିଥିବା ଜଳବାୟୁ ଯୋଗୁ ଉତ୍ପାଦନ କମିବ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଏହାବ୍ୟତୀତ ଜିଲ୍ଲାର ୮୭୦୦ ହେକ୍ଟର ଜମିରେ ବିଭିନ୍ନ ପରିବା ଚାଷ କରାଯାଇଛି। ଶୀତ ନଥିବାରୁ କୋବି, ଟମାଟୋ ଭଳି ଫସଲରେ ପୋକ ଲାଗିବାର ସମ୍ଭାବନା ବଢ଼ିଛି।

Advertisment

ଚଳିତବର୍ଷ ଡିସେମ୍ବରରେ କଫି ଉତ୍ପାଦନ ଆରମ୍ଭ ହୋଇଥିଲା। ତେଣୁ ଆଗକୁ ଉତ୍ପାଦନ ଉପରେ ସାମାନ୍ୟ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି। ସର୍ବାଧିକ ପ୍ରଭାବିତ ଅଳସୀ ଚାଷ ହେବ ବୋଲି ଚାଷୀ କହିଛନ୍ତି। ଶୀତ ଦିନିଆ ପରିବା ଫସଲ ସାଧାରଣତଃ ଫେବ୍ରୁଆରି ଶେଷ ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ଅମଳ ହୋଇଯାଏ। ଯଦି ଏମିତି ଗରମ ବଢ଼ି ଚାଲିବ ତେବେ ଉତ୍ପାଦନ କମିବା ସହ ଦର ବୃଦ୍ଧି ହେବା ନିଶ୍ଚିତ। ପରିବା ପାଇଁ ଜିଲ୍ଲା ତଥା ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବାରେ। ଏ ନେଇ କୃଷି ବିଭାଗ ସିଡିଏଓ ବୈକୁଣ୍ଠନାଥ ବେହେରାଙ୍କୁ ଯୋଗାଯୋଗ କରିବାରୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଚାଷ ପ୍ରଭାବିତ ହେବା ଆଶଙ୍କାକୁ ସ୍ବୀକାର କରିଥିଲେ। ଗରମ ବଢ଼ିଥିବାରୁ କୃଷି ବିଭାଗ ପକ୍ଷରୁ ଫସଲ ସ୍ଥିତିକୁ ବାରମ୍ବାର ନିରୀକ୍ଷଣ କରାଯାଉଛି। ଆଉ ସପ୍ତାହେ ଅପେକ୍ଷା କରିବା ପରେ ଚାଷ ଉପରେ ଗରମର କ’ଣ ପ୍ରଭାବ ପଡ଼ୁଛି ଅନୁଧ୍ୟାନ କରାଯିବ। ଆସନ୍ତା ୧୬ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପ୍ରଶାସନକୁ ଚାଷ ଓ ସମ୍ଭାବ୍ୟ ଉତ୍ପାଦନ ସଂପର୍କିତ ରିପୋର୍ଟ ଦିଆଯିବ। ପରିସ୍ଥିତି ଅନୁସାରେ ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।